ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲା ମହୁଲଡିହା ଥାନା ଅନ୍ତର୍ଗତ ଠାକୁରମୁଣ୍ଡା- ଆନନ୍ଦପୁର ରାସ୍ତାର ସାତକୋଶିଆ ରାସ୍ତାରେ ଅଘଟଣ । ବାଇକ ଉପରେ ୧୧ କେଭି ବିଦ୍ୟୁତ ତାର(Electric Wire) ଛିଣ୍ଡିପଡିଥିବା ବେଳେ ଅଳ୍ପକେ ବର୍ତ୍ତିଛନ୍ତି ଆରୋହୀ । ଏହି ବିଦ୍ୟୁତ ଜନିତ ଦୁର୍ଘଟଣା(Electrical Accident) ପରେ ସ୍ଥାନୀୟ ବାସିନ୍ଦା ଠାକୁରମୁଣ୍ଡା- ଆନନ୍ଦପୁର ରାସ୍ତାକୁ ଅବରୋଧ କରିଛନ୍ତି ।
Mayurbhanj Accident: ଛିଣ୍ଡିଲା ୧୧ କେଭି ବିଦ୍ୟୁତ ତାର, ଅଳ୍ପକେ ବର୍ତ୍ତିଲେ ଆରୋହୀ ବାଇକ ଆରୋହୀଙ୍କ ବାଇକଟି ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଥିବାରୁ ସଂପୂର୍ଣ୍ଣ ଜଳି ଭସ୍ମ ହୋଇଯାଇଛି । ଏହି ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ଉତ୍ତ୍ୟକ୍ତ ହୋଇ ସାତକୋଶିଆ ଠାରେ ଠାକୁରମୁଣ୍ଡା-ଆନନ୍ଦପୁର ରାସ୍ତା ଅବରୋଧ କରିଛନ୍ତି । ଦୁର୍ଘଟଣାର ଶିକାର ହୋଇଥିବା ବ୍ୟକ୍ତି ସାତକୋଶିଆ ଗ୍ରାମପଞ୍ଚାୟତ ଅନ୍ତର୍ଗତ ବାଲିଘାଟ ଗ୍ରାମର ଶ୍ରୀରାମ ନାଏକ ବୋଲି ଜଣାପଡ଼ିଛି ।
ତେବେ ସେ ଜଣେ ସାଙ୍ଗ ସହିତ ଏକ ବାଇକ ଯୋଗେ ସାତକୋଶିଆ ଡାକ୍ତରଖାନାକୁ ଚିକିତ୍ସା ପାଇଁ ଆସୁଥିବା ଘଟିଛି ଏହି ଦୁର୍ଘଟଣା । ସକାଳ ପ୍ରାୟ ୮.୩୦ଟା ସମୟରେ ମେଡ଼ିକାଲ ନିକଟରେ ରାସ୍ତା ଉପର ଦେଇ ଯାଇଥିବା ୧୧ କେଭି ବିଦ୍ୟୁତ ତାର ହଠାତ ବାଇକ ଉପରେ ଛିଣ୍ଡି ପଡିଥିଲା ।
ଏହାପରେ ବାଇକରେ ଥିବା ୨ ଜଣ ଅଳ୍ପକେ ବର୍ତ୍ତି ଯାଇଥିଲେ କିନ୍ତୁ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ବାଇକଟି ସଂପୂର୍ଣ୍ଣ ଭାବେ ପୋଡି ଭସ୍ମ ହୋଇଯାଇଛି । ଖବର ପାଇ ଠାକୁରମୁଣ୍ଡା ଅଗ୍ନିଶମ ବିଭାଗ ଯାଇ ନିଆଁକୁ ଆୟତ୍ତ କରିଥିଲା । ପରେ ସ୍ଥାନୀୟ ଲୋକେ କ୍ଷତିପୂରଣ ଦାବିରେ ମେଡ଼ିକାଲ ଛକ ନିକଟରେ ରାସ୍ତା ଅବରୋଧ କରିଥିଲେ। ଖବର ପାଇ ମହୁଲଡିହା ଥାନା ପୋଲିସ ପହଞ୍ଚି ରାସ୍ତାରୋକ କରିଥିବା ଲୋକଙ୍କ ସହିତ ବୁଝାସୁଝା ପରେ ରାସ୍ତାରୋକ ହଟିଥିଲା ।
ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡ଼ା, ଇଟିଭି ଭାରତ