ଓଡିଶା

odisha

By

Published : Feb 2, 2023, 7:57 AM IST

ETV Bharat / state

ବାଘଛାଲ ଡିଲ ବେଳେ ମାଡି ବସିଲା ପୋଲିସ, ୮ ଗିରଫ

ମୟୂରଭଞ୍ଜ ଜିଲ୍ଲା ଝାରଫୋଖରିଆ ଥାନା ଅଞ୍ଚଳର ଜଳଡିଙ୍ଗା ସ୍ଥିତ ୪୯ନମ୍ବର ଜାତୀୟ ରାଜପଥ କଡ଼ର ଟାୱାର ଢ଼ାବାରୁ ବାଘଛାଲ ଜବତ କରିଛି ପୋଲିସ । ଏହାସହ ୮ଜଣ ଗିରଫ । ଅଧିକ ପଢନ୍ତୁ

leopard skin seized from Mayurbhanj
leopard skin seized from Mayurbhanj

leopard skin seized from Mayurbhanj

ବାରିପଦା: ପୁଣି ଜବତ ହେଲା ବାଘଛାଲ । ମୟୂରଭଞ୍ଜ ଜିଲ୍ଲା ଝାରଫୋଖରିଆ ଥାନା ଅଞ୍ଚଳର ଜଳଡିଙ୍ଗା ସ୍ଥିତ ୪୯ନମ୍ବର ଜାତୀୟ ରାଜପଥ କଡ଼ର ଟାୱାର ଢ଼ାବାରୁ ବାଘଛାଲ ଡିଲ୍‌ ବେଳେ ମାଡି ବସିଲା ପୋଲିସ । ବାଘଛାଲ ଜବତ କରିବା ସହ ୮ଜଣଙ୍କୁ ଗିରଫ କରିଛି ।

ସୂଚନା ଅନୁଯାୟୀ, ଟାୱାର ଢ଼ାବାରେ ବାଘ ଛାଲ ଡିଲ୍‌ ନେଇ କୌଣସି ସୂତ୍ରରୁ ଖବର ପାଇଥିଲା ପୋଲିସ । ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଋଷିକେଶ ଖିଲାରୀ କୌଣସି ବିଶେଷ ସୂତ୍ରରୁ ଖବର ପାଇ ତାଙ୍କ ସ୍ପେଶାଲ ପୋଲିସ ଦଳକୁ ସେଠାରେ ନିୟୋଜିତ କରିଥିଲେ । ଢ଼ାବାରେ ବୁଧବାର ଏକ କଲରାପତାରିଆ ବାଘଛାଲ ଡିଲ ହେଉଥିବା ବେଳେ ପୂର୍ବ ଯୋଜନା ଅନୁଯାୟୀ ପୋଲିସ ଟିମ ଛପି ରହିଥିଲା ଓ ବାଘ ଛାଲ ଡିଲ୍‌ ଚାଲି ଥିବା ବେଳେ ମାଡି ବସିଥିଲା ।

କଲରାପତରିଆ ବାଘ ଚମଡା ଡିଲ ବେଳେ ଜବତ ସହ ୮ ଜଣକୁ ଗିରଫ କରିବାରେ ପୋଲିସ ଟିମ ସଫଳ ହୋଇଥିଲା । ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ଓ ଘଟଣା ସହ ସମ୍ପୃକ୍ତ ଅନ୍ୟ ଅଭିଯୁକ୍ତଙ୍କୁ ବିଭିନ୍ନ ସ୍ଥାନରୁ ଗିରଫ କରାଯାଇଛି । ଜବତ ଚମଡାର ଲମ୍ବ ୭୭ଇଞ୍ଚ ଓ ଓସାର ୧୩ ଇଞ୍ଚ ଥିବା ନେଇ ସୂଚନା ମିଳିଛି । ବାଘଟିର ବୟସ ପ୍ରାୟ ୬ରୁ ୮ ବର୍ଷ ମଧ୍ୟରେ ହୋଇଥିବା ବେଳେ ଏହାକୁ ୪ରୁ ୫ ମାସ ପୂର୍ବରୁ ଶିକାର କରାଯାଇଥିବା ନେଇ ଅନୁମାନ କରାଯାଉଛି ।

ଏହା ମଧ୍ୟ ପଢନ୍ତୁ: Budget 2023: ବଜେଟ ଦେଶର ବ୍ୟାପକ କ୍ଷତି କରିବ କହିଲେ ପୂର୍ବତନ ଅର୍ଥମନ୍ତ୍ରୀ

ଏହି ଘଟଣାରେ ଗିରଫ ଅଭିଯୁକ୍ତ ମାନେ ହେଲେ ବିଶୋଇ ଥାନା ଅନ୍ତର୍ଗତ ଅନ୍ଧାରୀଝରି ଗ୍ରାମର ଗୋବିନ୍ଦ ଚନ୍ଦ୍ର ହେମ୍ବ୍ରମ(୪୧), ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ଲବାଣିଆ ଗ୍ରାମର ସନତ ଚନ୍ଦ୍ର ହେମ୍ବ୍ରମ(୩୫), ବୁଢ଼ୀଖମାରି ଗ୍ରାମର ଅଜିତ ମହାନ୍ତ(୨୨), ଗୋଲାମୁଣ୍ଡାକଟା ଗ୍ରାମର ସୁଧୀର ଚନ୍ଦ୍ର ଦିଗାର(୫୫) ଓ ଲେମ୍ବୁ ଦିଗାର(୨୬), ଝାରଫୋଖରିଆ ଥାନା ଅନ୍ତର୍ଗତ ଆମଡ଼ିହି ଗ୍ରାମର ରେଣ୍ଟା ମାଝୀ(୪୫), ଦାନାଦାର ଗ୍ରାମର ଲକ୍ଷ୍ମୀଧର ଦେହୁରୀ(୪୦), ବାରିପଦା ସଦର ଥାନା ଅନ୍ତର୍ଗତ ବଜ୍ରତୁଣ୍ଡି ଗ୍ରାମର ଗୋବର୍ଦ୍ଧନ ମହାନ୍ତ(୪୦) ବୋଲି ସୂଚନା ପ୍ରଦାନ କରିଯାଇଛି ।

ଏ ସଂକ୍ରାନ୍ତରେ ବନ୍ୟପ୍ରାଣୀ ଆଇନ ଅନୁଯାୟୀ ମାମଲା ରୁଜୁ କରିବା ପାଇଁ ବାଘ ଚମଡା ସହ ଅଭିଯୁକ୍ତଙ୍କୁ ବନ ବିଭାଗକୁ ହସ୍ତାନ୍ତର କରାଯାଇଛି । ବେଧଡକ ବାଘ ଶିକାର ହେଉଥିବା ବେଳେ ବନ ବିଭାଗ ରୋକିବାରେ ବିଫଳ ହୋଇଥିବା ନେଇ ଚର୍ଚ୍ଚା ହେଉଛି । କିଛି ମାସ ପୂର୍ବେ ବାଘ ଛାଲ ଡିଲ ଚାଲିଥିବା ବେଳେ ଧରାପଡି ଜେଲ ଯାଇଥିଲେ ମାଫିଆ । ତେବେ ପୁଣି ଆଉ ଏକ ସମାନ ଘଟଣା ସମ୍ମୁଖକୁ ଆସିବା ପରେ ବୃହତ ଜୈବମଣ୍ଡଳ ଶିମିଳିପାଳରେ ବାଘ ଶୂନ୍ୟ ହୋଇଯିବ କି ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଥିବା ସୂଚନା ରହିଛି ।

ଇଟିଭି ଭାରତ, ମୟୂରଭଞ୍ଜ

ABOUT THE AUTHOR

...view details