ରାଇରଙ୍ଗପୁର: ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ବନଖଣ୍ଡ ଅନ୍ତର୍ଗତ ବିଶୋଇ ବନବିଭାଗ ପକ୍ଷରୁ ଲକ୍ଷାଧିକ ଟଙ୍କାର କେନ୍ଦୁପତ୍ର ଜବତ କରାଯାଇଛି । ଏହା ସହିତ ବନବିଭାଗ ଚାରୋଟି ବାଇକ ଓ ଏକ ମହିନ୍ଦ୍ରା ଭ୍ୟାନକୁ ଜବତ କରିଛି । ବିଶୋଇ ରେଞ୍ଜର ବନାଞ୍ଚଳ ଅଧିକାରୀ ତପନ କୁମାର ମିଶ୍ରଙ୍କ ନେତୃତ୍ବରେ ଏକ ଦଳ ଦୁଇ ଦିନରେ ଲକ୍ଷାଧିକ ଟଙ୍କାର କେନ୍ଦୁପତ୍ର ଜବତ କରିଛନ୍ତି ।
ସୂଚନା ଅନୁଯାୟୀ କୌଣସି ସୁତ୍ରରୁ ଖବର ପାଇ ମଙ୍ଗଳବାର ବିଳମ୍ବିତ ରାତିରେ ବିଶୋଇ ବନବିଭାଗ ପକ୍ଷରୁ ବିଶୋଇ ରେଞ୍ଜ ଅଧିନସ୍ଥ ନଙ୍ଗଳବେଣ୍ଟା ପୋଖରିଆ ଗାଁ ନିକଟରୁ ଏକ କେନ୍ଦୁପତ୍ର ବୋଝେଇ ଭ୍ୟାନ ଜବତ କରାଯାଇଛି । ଚୋରାରେ କେନ୍ଦୁପତ୍ର ବୋଝେଇ କରି ଯାଉଥିବା ସମୟରେ ଚଢ଼ାଉ କରାଯାଇଥିଲା । ତେବେ ଭ୍ୟାନ ଚାଳକ ଜଣକ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି । ଭ୍ୟାନରେ ଅଢେ଼ଇ କୁଇଣ୍ଟାଲ କେନ୍ଦୁପତ୍ର ଥିବା ବେଳେ ଏହାର ଆନୁମାନିକ ମୂଲ୍ୟ ୫୦୦୦୦ ଟଙ୍କା ରୁ ଉର୍ଦ୍ଧ୍ବ ହେବ ବୋଲି ବନବିଭାଗ ସୂଚନା ଦେଇଛି ।