ରାଇରଙ୍ଗପୁର: ପ୍ରାୟ ଦୁଇ ବର୍ଷ ତଳେ 5T ଯୋଜନାରେ ସ୍କୁଲ କାମ କରିଥିଲେ ଶ୍ରମିକ । ହେଲେ ବର୍ତ୍ତମାନ ସୁଦ୍ଧା ମିଳି ପାରିନାହିଁ ପାରିଶ୍ରମିକ ଟଙ୍କା । ତେବେ ମୟୂରଭଞ୍ଜ ଜିଲ୍ଲା ବହଳଦା ବ୍ଲକ ଗିଧିଘାଟି ଗ୍ରାମପଞ୍ଚାୟତ ଅନ୍ତର୍ଗତ ତାରଣା ଗ୍ରାମର କିଛି ଶ୍ରମିକ କାମ କରି ପାରିଶ୍ରମିକ ନପାଇ ଶେଷରେ ଶ୍ରମ ଅଧିକାରୀଙ୍କ କାର୍ଯ୍ୟାଳୟର ଦ୍ବାରସ୍ଥ ହୋଇଛନ୍ତି ।
ଅଭିଯୋଗ ଅନୁଯାୟୀ, ଜାନୁଆରୀ ମାସ ୨୦୨୨ମସିହାରେ ଗିଧିଘାଟି ଗ୍ରାମପଞ୍ଚାୟତ ଅନ୍ତର୍ଗତ ତାରଣା ଗ୍ରାମସ୍ଥିତ ତାରଣା ଏଫଏମ ଏକାଡେମୀ ହାଇସ୍କୁଲରେ 5T ଅଧିନରେ ଶ୍ରେଣୀ ଗୃହ କାର୍ଯ୍ୟ, ସ୍କଲ ଗୃହ ଚଟାଣରେ ଫାଇବର ବ୍ଲକ ବସାଇବା, କବାଟ ଝରକା, ଶୌଚାଳୟ ନିର୍ମାଣ କାର୍ଯ୍ୟ ଇତ୍ୟାଦି କାର୍ଯ୍ୟ କରିଥିଲେ ପ୍ରାୟ ୧୪ ଜଣ ଶ୍ରମିକ । ତେବେ ଏହିସବୁ ନିର୍ମାଣ କାର୍ଯ୍ୟ ୨୦୨୨ ମସିହା ମେ ମାସରେ ଶେଷ ହୋଇଥିଲା । ଦୀର୍ଘ ୧୪ରୁ ୧୫ ମାସ ବିତିଯାଇଥିଲେ ସୁଦ୍ଧା ବର୍ତ୍ତମାନ ସୁଦ୍ଧା ଶ୍ରମିକମାନେ ସମ୍ପୂର୍ଣ୍ଣ ପାରିଶ୍ରମିକ ପାଇ ପାରି ନାହାଁନ୍ତି । ସେ ସମୟରେ ବହଳଦା ବ୍ଲକର ଜେଇ ଜଗତ କିଶୋର ନାୟକ ମାସେ ମଧ୍ୟରେ ବିଲ୍ ହୋଇଯିବ କହି ଗୋଟିଏ ବର୍ଷ ପର୍ଯ୍ୟନ୍ତ ଠକି ଚାଲିଥିବା ଅଭିଯୋଗ କରିଛନ୍ତି ଶ୍ରମିକ । ଯାହା ଫଳରେ ଗରିବ ଖଟିଖିଆ ଦିନ ମଜୁରିଆ ଶ୍ରମିକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି ।