ରାଇରଙ୍ଗପୁର:ଆସନ୍ତା ୬ ତାରିଖରେ କଳା ଦିବସ ପାଳନ କରିବ କୁଡୁମୀ ସେନା । କେନ୍ଦ୍ର ସରକାର କୁଡୁମୀ ଜାତିକୁ ଆଦିବାସୀ ତାଲିକାରୁ ବାଦ ଦେଇଥିବା ପ୍ରତିବାଦରେ କଳା ଦିବସ ପାଳନ କରାଯିବ । ଏନେଇ ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ସହରସ୍ଥିତ କୁଡୁମୀ ଭବନ ପରିସରରେ କୁଡୁମୀ ସେନା ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇ ଯାଇଛି । ସେହିପରି ଅନ୍ୟପଟେ ଆଦିବାସୀ ସେଙ୍ଗେଲ ଅଭିଯାନର ରାଷ୍ଟ୍ରୀୟ ସଭାପତି ସାଲଖାନ ମୁର୍ମୁ କୁଡୁମୀ ସମାଜ ପ୍ରତି ଦେଇଥିବା କଟୁ ମନ୍ତବ୍ୟକୁ କଡ଼ା ନିନ୍ଦା କରିଛି କୁଡୁମୀ ସେନା ।
ସୂଚନା ମୁତାବକ, ୧୯୫୦ ମସିହା ସେପ୍ଟେମ୍ବର ମାସ ୬ ତାରିଖ ଦିନ କେନ୍ଦ୍ର ସରକାରଙ୍କ ଦ୍ଵାରା କୌଣସି ସୂଚନା ଦିଆ ନଯାଇ ବିନା କାରଣରେ କୁଡୁମୀ ଜାତିକୁ ଏସଟି ତାଲିକାରୁ ବାଦ୍ ଦେଇଥିଲେ । କେନ୍ଦ୍ର ସରକାରଙ୍କ ଏହି ଅନ୍ୟାୟକୁ ପ୍ରତିବାଦ କରି ପ୍ରତ୍ୟେକ ବର୍ଷ ସେପ୍ଟେମ୍ବର ମାସ ୬ ତାରିଖକୁ କୁଡୁମୀ ସେନା କଳା ଦିବସ ଭାବେ ପାଳନ କରୁଛନ୍ତି । ସେହିପରି ଚଳିତ ମାସ ୬ ତାରିଖକୁ ମଧ୍ୟ କଳା ଦିବସ ଭାବେ ପାଳନ କରିବାକୁ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ କହିଛି କୁଡୁମୀ ସେନା । ସେହିଦିନ କୁଡୁମୀ ଭବନରୁ ଏକ ବିଶାଳ ଶୋଭାଯାତ୍ରା ବାହାରି ରାଇରଙ୍ଗପୁର ଉପଜିଲ୍ଲାପାଳଙ୍କୁ ଏକ ପ୍ରମାଣପତ୍ର ଦିଆଯିବ ।