ବାରିପଦା: ମୟୂରଭଞ୍ଜ ଜିଲ୍ଲା ପାଇଁ ଗର୍ବ ଆଣିଲେ ଓଡିଆ ପୁଅ। ଜାମ୍ମୁକାଶ୍ମୀରର ପ୍ରଥମ ଲେଫନାଣ୍ଟ ଗଭର୍ଣ୍ଣର ହୋଇଛନ୍ତି ମୟୂରଭଞ୍ଜ ବେତନଟୀର ପୁଅ ଗିରିଶ୍ ଚନ୍ଦ୍ର ମୁର୍ମୁ । ଅଖ୍ୟାତପଲ୍ଲୀରୁ ଭୂସ୍ବର୍ଗର ଗୁରୁ ଦାୟିତ୍ବ ଗ୍ରହଣ କରିବାରେ ସେ ହେଉଛନ୍ତି ପ୍ରଥମ ଓଡିଆ । ଗିରିଶ୍ ଉପରାଜ୍ୟପାଳ ହେବା ପରେ ସମଗ୍ର ରାଜ୍ୟରେ ଖେଳି ଯାଇଛି ଖୁସିର ଲହରୀ ।
ଜାତୀୟ ସ୍ତରରେ ନିଜ କାମକୁ ନେଇ ଚର୍ଚ୍ଚାରେ ଥିବା ଏହି ଓଡିଆ ପୁଅଙ୍କ ଘର ହେଉଛି ମୟୂରଭଞ୍ଜର କୁଞ୍ଚିଶୋଳ ଗାଁରେ । ସେ ୨୧ ନଭେମ୍ବର ୧୯୫୯ ମସିହାରେ ଜନ୍ମ ଗ୍ରହଣ କରିଥିଲେ । ଗିରିଶ୍ କାଞ୍ଚିଶୋଳ ଗ୍ରାମରେ ପିଲାଦିନ କାଟିଥିବା ବେଳେ ପାଠ ପଢା ଆରମ୍ଭ କରିଥିଲେ ନିଜ ଗାଁ ଠାରୁ ୨ କିଲୋମିଟର ଦୂରରେ ଥିବା ଭୁଡୁରୁ ବାଣୀ ପ୍ରାଥମିକ ବିଦ୍ୟାଳୟରେ । ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଏଠାରେ ହିଁ ପଢିଥିଲେ । ପରେ ବେତନଟୀ ମହାରାଜା ପ୍ରତାପ ଚନ୍ଦ୍ର ହାଇସ୍କୁଲ, ବାରିପଦା ଶରତ ଚନ୍ଦ୍ର ବିଦ୍ୟାପୀଠ, ବାରିପଦା ମହାରାଜା ପୂର୍ଣ୍ଣଚନ୍ଦ୍ର ମହାବିଦ୍ୟାଳୟ ଓ ପରେ ଉତ୍କଳ ବିଶ୍ବବିଦ୍ୟାଳୟରେରୁ ରାଜିନୀତି ବିଜ୍ଞାନରେ ସ୍ନାତକ କରିଛନ୍ତି ସେ ।