ଓଡିଶା

odisha

ETV Bharat / state

ଆଜି ବି ବିଜୁଳି ସ୍ବପ୍ନ, ମୌଳିକ ସୁବିଧାରୁ ବଞ୍ଚିତ କାକଡାଘୁଟୁ ଗ୍ରାମବାସୀ - deprived of basic amenities

ବହଳଦା ବ୍ଲକରେ ସାଧାରଣ ଲୋକେ ଜନହିତକର ଯୋଜନାରୁ ବଞ୍ଚିତ ହେଉଥିବା ଦେଖିବାକୁ ମିଳିଛି । ବ୍ଲକର ଗିଧିଘାଟି ଗ୍ରାମପଞ୍ଚାୟତର ଗୟଳକଟା, ହାମଲେଟ ଓ କାକଡାଘୁଟୁ ଗାଁର ଆଦିମ ଜନଜାତି ଲୋକମାନେ ମୌଳିକ ସୁବିଧାରୁ ମଧ୍ୟ ବଞ୍ଚିତ ହୋଇଛନ୍ତି । ଆଦିବାସୀ ଶ୍ରେଣୀର ଲୋକେ ରାସ୍ତା, ବିଶୁଦ୍ଧ ପାନୀୟ ଜଳ ଓ ବିଜୁଳି ବିନା ଜୀବନ ଅତିବାହିତ କରୁଛନ୍ତି । ଅଧିକ ପଢନ୍ତୁ...

ମୌଳିକ ସୁବିଧାରୁ ବଞ୍ଚିତ କାକଡାଘୁଟୁ ଗ୍ରାମବାସୀ
ମୌଳିକ ସୁବିଧାରୁ ବଞ୍ଚିତ କାକଡାଘୁଟୁ ଗ୍ରାମବାସୀ

By

Published : Jul 17, 2020, 6:32 PM IST

Updated : Jul 17, 2020, 10:07 PM IST

ରାଇରଙ୍ଗପୁର: ଆଦିବାସୀଙ୍କ ସଭ୍ୟତା, ସଂସ୍କୃତି ଓ ଜୀବନ ଶୈଳୀରେ ଉନ୍ନତି ଆଣିବା ପାଇଁ ସରକାର ଖୋଲିଛନ୍ତି ସ୍ବତନ୍ତ୍ର ବିଭାଗ । ଅନେକ ଯୋଜନା ଓ ଜନହିତକର କାର୍ଯ୍ୟ କରିବାକୁ ପ୍ରତିବର୍ଷ ଆର୍ଥିକ ପ୍ୟାକେଜରେ ପୁଳା ପୁଳା ଟଙ୍କା ଘୋଷଣା ହେଉଛି । କିନ୍ତୁ ବିଭାଗୀୟ ପାରଦର୍ଶିତା କେଉଁଠି ବି ଦେଖିବାକୁ ମିଳୁନାହିଁ । ଜନହିତକର ଯୋଜନାରୁ ସାଧାରଣ ଲୋକେ ବଞ୍ଚିତ ହେଉଥିବା ଦେଖିବାକୁ ମିଳିଛି । ଏଭଳି ସ୍ଥିତି ଦେଖିବାକୁ ମିଳିଛି ବହଳଦା ବ୍ଲକରେ । ବ୍ଲକର ଗିଧିଘାଟି ଗ୍ରାମପଞ୍ଚାୟତର ଗୟଳକଟା , ହାମଲେଟ ଓ କାକଡାଘୁଟୁ ଗାଁର ଆଦିମ ଜନଜାତି ଲୋକମାନେ ମୌଳିକ ସୁବିଧାରୁ ମଧ୍ୟ ବଞ୍ଚିତ ହୋଇଥିବା ଦେଖିବାକୁ ମିଳିଛି । ଆଦିବାସୀ ଶ୍ରେଣୀର ଲୋକେ ରାସ୍ତା, ବିଶୁଦ୍ଧ ପାନୀୟ ଜଳ ଓ ବିଜୁଳି ବିନା ଜୀବନ ଅତିବାହିତ କରୁଛନ୍ତି । ଆସନ୍ତୁ ଦେଖିବା ଇଟିଭି ଭାରତର ଗ୍ରାଉଣ୍ଡ ଜିରୋ ରିପୋର୍ଟ ।

ଆଜି ବି ବିଜୁଳି ସ୍ବପ୍ନ, ମୌଳିକ ସୁବିଧାରୁ ବଞ୍ଚିତ କାକଡାଘୁଟୁ ଗ୍ରାମବାସୀ

ସ୍ବାଧୀନତାର ଦୀର୍ଘ 73 ବର୍ଷ ପରେ ମଧ୍ୟ ମୟୂରଭଞ୍ଜ ଜିଲ୍ଲା ବହଳଦା ବ୍ଲକ ଗିଧିଘାଟି ଗ୍ରାମପଞ୍ଚାୟତ ଅଧିନ କାକଡାଘୁଟୁ ଗାଁକୁ ପହଞ୍ଚି ପାରିନାହିଁ ସରକାରଙ୍କ ବିଭିନ୍ନ ଜନହିତକର ଯୋଜନା । ତେଣୁ ଗାଁ ଲୋକେ ମୌଳିକ ସୁବିଧାରୁ ବଞ୍ଚିତ ହୋଇଛନ୍ତି । ବଣ ପାହାଡ ଘେରା ଏହି ଅଞ୍ଚଳରେ ପ୍ରାକୃତିକ ସୌନ୍ଦର୍ଯ୍ୟ ଭରି ରହିଥିବା ବେଳେ ଅଞ୍ଚଳର ଲୋକେ ରାସ୍ତା ଖଣ୍ଡିଏ, ବିଶୁଦ୍ଧ ପାନୀୟ ଜଳ ଓ ବିଜୁଳି ସଂଯୋଗ ପାଇବାରୁ ବଞ୍ଚିତ ହୋଇଛନ୍ତି । ଯାହା ଦ୍ବାରା ସରକାରଙ୍କ ଆଦିବାସୀ କଲ୍ୟାଣକାରୀ ଯୋଜନା ଗୁଡିକ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ଚତୁପାର୍ଶ୍ବରେ ଥିବା ଗ୍ରାମ ଗୁଡିକ ବିକଶିତ ହୋଇଥିବା ବେଳେ କାକଡାଘୁଟୁ ଗ୍ରାମ ଅବହେଳାର ଶିକାର ହୋଇଛି । ଏଥିପାଇଁ ଆଦିବାସୀ ସମ୍ପ୍ରଦାୟର ଲୋକଙ୍କ ପାଇଁ ବିକାଶର ସ୍ବାଦ ସାତସପନ ପାଲଟିଛି । ତିନି ବର୍ଷ ପୂର୍ବେ ଗାଁରେ ଟ୍ରାନ୍ସଫର୍ମର ବସିଥିଲେ ମଧ୍ୟ ବିଦ୍ୟୁତ ସଂଯୋଗ କରାଯାଇନାହିଁ । ଯାହା ଫଳରେ ରାତିରେ ଗାଁ ଲୋକେ ନାନାଦି ଅସୁବିଧାର ସମ୍ମୁଖୀନ ହେବା ସହିତ କୁନିକୁନି ପିଲା ମାନେ ରାତିରେ ଡିବିରି ଆଲୁଅକୁ ହିଁ ଭରଷା କରି ପାଠ ପଢିଥାନ୍ତି । ଏପରିକି ଜଙ୍ଗଲୀ ଜୀବଜନ୍ତୁ ତଥା ବିଷାକ୍ତ ସରୀସୃପଙ୍କ ଭୟ ରହିଥିବାରୁ ସନ୍ଧ୍ୟା ହେଲେ କେହି ଘରୁ ବାହାରକୁ ଯିବାକୁ ନିରାପଦ ମଣୁନାହାନ୍ତି ।

ସେପଟେ ଗାଁରେ ବସବାସ କରୁଥିବା ଆଦିବାସୀ ସମ୍ପ୍ରଦାୟର ୨୫ଟି ପରିବାର ବିଶୁଦ୍ଧ ପାନୀୟ ଜଳ ପାଇଁ ମଧ୍ୟ ସମସ୍ୟାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଛି । ମହିଳାମାନେ ବିପଦସଂକୁଳ ଅବସ୍ଥାରେ ଅଧ କିଲୋମିଟର ଦୂରରେ ଥିବା ପରିତ୍ୟକ୍ତ କୂଅରୁ ପାନୀୟ ଜଳ ସଂଗ୍ରହ କରିଥାନ୍ତି । ତେଣୁ ଲୋକେ ପରିତ୍ୟକ୍ତ କୂଅର ପାଣି ପିଇ ବିଭିନ୍ନ ରୋଗରେ ଆକ୍ରାନ୍ତ ହେଉଥିବାର ଅଭିଯୋଗ ହୋଇଛି । ଗ୍ରାମରେ ପାନୀୟ ଜଳ ପାଇଁ ଗୋଟିଏ ନଳକୂପ ରହିଥିଲେ ମଧ୍ୟ ଗୋଳିଆ ପାଣି ବାହାରୁ ଥିବାରୁ ତାହା ପାନୀୟ ଉପଯୋଗୀ ହୋଇପାରୁନାହିଁ ।

ଅନ୍ୟପକ୍ଷରେ ଗାଁକୁ ଯିବା ଆସିବା ପାଇଁ ରାସ୍ତା କଥା ନ କହିବା ଭଲ । ମାଟି ରାସ୍ତା ଥିବାରୁ ବର୍ଷା ଦିନେ କାଦୁଅ ପଚପଚ ହେବା ସହ ଗାଁ ଭିତରକୁ ଆମ୍ବୁଲାନ୍ସଟିଏ ମଧ୍ୟ ଆସି ପାରିନଥାଏ । ଏଥିପାଇଁ ଗୁରୁତର ଅସୁସ୍ଥ ରୋଗୀ ଓ ଗର୍ଭବତୀ ମହିଳାଙ୍କୁ ଖଟିଆରେ ପାଖାପାଖି ଦୁଇ କିଲୋମିଟର ବୋହି ନେବାକୁ ପଡିଥାଏ । ତେବେ ଏ ନେଇ ପ୍ରଶାସନିକ ଅଧିକାରୀଙ୍କ ନିକଟରେ ବାରମ୍ବାର ଅଭିଯୋଗ ସତ୍ତ୍ବେ ବି କୌଣସି ସୁଫଳ ମିଳିପାରିନାହିଁ । ଗ୍ରାମ୍ୟ ଜନସ୍ବାସ୍ଥ୍ୟ ବିଭାଗ କି ଗୋଷ୍ଠୀ ଉନ୍ନୟନ ଅଧିକାରୀ ଏହି ଗାଁ ପ୍ରତି ଦୃଷ୍ଟି ଦେଇନଥିବା ଗ୍ରାମବାସୀ ଉଲ୍ଲେଖ କରିଛନ୍ତି ।

ଘଟଣା ସମ୍ପର୍କରେ ଇଟିଭି ପ୍ରତିନିଧିଙ୍କ ଦ୍ବାରା ଗିଧିଘାଟି ଗ୍ରାମପଞ୍ଚାୟତର ସରପଞ୍ଚ ସୁନାମଣୀ ହେମ୍ବ୍ରମଙ୍କୁ ଯୋଗାଯୋଗ କରାଯାଇଥିଲା ବେଳେ ସେ ଏଥିପ୍ରତି ଧ୍ୟାନ ଦେଇ ସମସ୍ତ ସୁବିଧା ସୁଯୋଗ ଯୋଗାଇବାକୁ ପ୍ରୟାସ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି । ଅପରପକ୍ଷରେ ବହଳଦା ବିଡ଼ିଓ କ୍ୟାମେରା ସମ୍ମୁଖରେ କିଛି କହିବାକୁ ମନା କରି ଦେଇଛନ୍ତି ।

ଅନୁସୂଚିତ ଜାତି ଓ ଜନଜାତିଙ୍କ ବିକାଶ ପାଇଁ ରାଜ୍ୟ ସରକାର ଆଦିବାସୀ ଉନ୍ନୟନ ବିଭାଗ ଓ ପଞ୍ଚାୟତ ସମିତିକୁ କୋଟି କୋଟି ସରକାରୀ ଅର୍ଥ ଯୋଗାଇ ଦେଉଛନ୍ତି । ହେଲେ ଆଦିବାସୀଙ୍କ ବିକାଶରେ ଏହା ସହାୟକ ହେଉନାହିଁ । ତେବେ କାକଡାଘୁଟୁ ଗ୍ରାମର ଲୋକଙ୍କ କେବେ ଦୁଃଖ ଦୂର ହେଉଛି ତାହା ଦେଖିବାକୁ ବାକି ରହିଲା ।

ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡା, ଇଟିଭି ଭାରତ

Last Updated : Jul 17, 2020, 10:07 PM IST

ABOUT THE AUTHOR

...view details