ରାଇରଙ୍ଗପୁର:ବିବାଦ ଘେରରେ ଥିବା ନୂତନ ଆଦିବାସୀ ଜମି ଅଧିଗ୍ରହଣ ଆଇନକୁ ବିରୋଧ କରି ରାଜ୍ୟ ସରକାରଙ୍କ ଉପରେ ବର୍ଷିଲା ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମଏମ) । ଆଦିବାସୀ ଜମି ଅଧିଗ୍ରହଣ ଆଇନ ବିରୁଦ୍ଧରେ ଆଜି ମୟୁରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ସହରରେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ଶକ୍ତି ପ୍ରଦର୍ଶନ କରିଛି । ବିଶାଳ ଶୋଭାଯାତ୍ରା ମାଧ୍ୟମରେ ଶକ୍ତି ପ୍ରଦର୍ଶନ କରି ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଉଦ୍ଦେଶ୍ୟରେ ରାଇରଙ୍ଗପୁର ଉପଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛି ଜେଏମଏମ ଦଳ ।
ଶହ ଶହ କାର୍ଯ୍ୟକର୍ତ୍ତା ଓ ବରିଷ୍ଠ ନେତାଙ୍କ ଉପସ୍ଥିତିରେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚାର ଓଡିଶା ରାଜ୍ୟ ସଭାପତି ଅଞ୍ଜନୀ ସୋରେନ ଏକ ବିଶାଳ ଶୋଭାଯାତ୍ରାରେ ବାହାରିଥିଲେ । ତେବେ ରାଇରଙ୍ଗପୁର ସହରର ଜଗନ୍ନାଥ ମନ୍ଦିରରୁ ଶୋଭାଯାତ୍ରା ବାହାରିଥିଲା। ହାତରେ ପ୍ଲାକାର୍ଡ ଧରି ବିଶାଳ ଶୋଭାଯାତ୍ରାରେ ବାହାରି ରାଇରଙ୍ଗପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ସେଠାରେ ସରକାର ବିରୋଧୀ ନାରା ଦେବା ସହିତ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ଦଳୀୟ କର୍ମୀ । ସେଠାରେ ରାଜ୍ୟ ସଭାପତି ଅଞ୍ଜନୀ ସୋରେନ ରାଜ୍ୟ ସରକାରଙ୍କ ଉପରେ ବର୍ଷିଥିଲେ । ଦୀର୍ଘ ୨୪ ବର୍ଷ ଧରି ଶାସନରେ ଥାଇ ମଧ୍ୟ ଆଦିବାସୀଙ୍କ ଆଖିଦୃଶିଆ ବିକାଶ ହୋଇ ନଥିବା କହିଛନ୍ତି ଅଞ୍ଜନୀ ସୋରେନ ।