ରାଇରଙ୍ଗପୁର: ସହିଦ ଦିବସ ପାଳନ ଅବସରରେ ଜେଏମଏମ ପକ୍ଷରୁ ବିଶାଳ ଜନସମାବେଶ ଅନୁଷ୍ଠିତ ହୋଇଯାଇଛି । ମୟୂରଭଞ୍ଜ ଜିଲ୍ଲା ବହଳଦା ବ୍ଲକ ଅନ୍ତର୍ଗତ ଗୁଣ୍ଡୁରିଆ ଠାରେ ସହିଦ ଦିବସ ପାଳନ କରାଯାଇଥିବା ବେଳେ ଏହି ଅବସରରେ ରାଇରଙ୍ଗପୁର ସହରର ବ୍ଲକ ପଡିଆରେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ପକ୍ଷରୁ ଏକ ବିଶାଳ ଜନସମାବେଶ ଆୟୋଜିତ ହୋଇଥିଲା । JMM ରାଜ୍ୟ ସଭାପତି ଅଞ୍ଜନା ସୋରେନଙ୍କ ନେତୃତ୍ବରେ ଏହି ବିଶାଳ ଜନ ସମାବେଶ ଅନୁଷ୍ଠିତ ହୋଇଥିଲା ।
ଏହି ସମାବେଶରେ ମୁଖ୍ୟ ଅତିଥି ଭାବେ ଝାଡ଼ଖଣ୍ଡ ରାଜ୍ୟର ମଝିଗାଁ ବିଧାୟକ ନିରାଲ୍ ପୁର୍ତ୍ତି ଓ ବହଡାଗୋଡା ବିଧାୟକ ସମୀର ମହାନ୍ତି ଯୋଗ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ମୟୂରଭଞ୍ଜ ଜିଲ୍ଲା ଓ ଝାଡ଼ଖଣ୍ଡ ରାଜ୍ୟର ତୁଙ୍ଗ ନେତା ଓ କର୍ମୀମାନେ ଉପସ୍ଥିତ ଥିଲେ । ଉକ୍ତ ସମାବେଶରେ ଯୋଗ ଦେଇଥିବା ଅତିଥିମାନେ ସର୍ବ ପ୍ରଥମ ଗୁଣ୍ଡୁରିଆରେ ପହଞ୍ଚି ସେଠାରେ ସହିଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଗୁଣ୍ଡୁରିଆରେ ସହିଦମାନଙ୍କୁ ଶ୍ରଦ୍ଧାସୁମନ ଅର୍ପଣ ପରେ ଜେଏମଏମ ପକ୍ଷରୁ ଆୟୋଜିତ ବିଶାଳ ଜନ ସମାବେଶରେ ଯୋଗଦେଇ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଉପରେ ଅସନ୍ତୋଷ ପ୍ରକାଶ କରିଥିଲେ । ବୃହତ ଝାଡ଼ଖଣ୍ଡ ରାଜ୍ୟ ଗଠନ ପାଇଁ ଆଦିବାସୀମାନେ ବଳିଦାନ ଦେଇ ସହିଦ ହୋଇଥିବାବେଳେ ସେମାନଙ୍କ ବଳିଦାନ ବ୍ୟର୍ଥ ଯିବନି ବୋଲି ମତବ୍ୟକ୍ତ କରିଥିଲେ JMMର ବରିଷ୍ଠ ନେତାମାନେ ।