ରାଇରଙ୍ଗପୁର :ଭାରତ-ଚୀନ ସୀମା ସିକିମ୍ରେ କାର୍ଯ୍ୟରତ ଜଣେ ITBP ଯବାନଙ୍କ ମୃତ୍ୟୁ ଘଟିଛି । ତେବେ ଯବାନଙ୍କ ମରଶରୀରକୁ ଭାରତୀୟ ସେନା ଦ୍ବାରା ପୈତୃକ ଗ୍ରାମ ଅଣାଯାଇଛି । ସେଠାରେ ଶୋକାକୁଳ ପରିବେଶ ମଧ୍ୟରେ ମୃତ ଯବାନଙ୍କ ଶେଷକୃତ୍ୟ ସମ୍ପନ୍ନ କରାଯାଇଛି । ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଉପଖଣ୍ଡ ବିଶୋଇ ଥାନା ଅନ୍ତର୍ଗତ ବନେଇକଳା ପଞ୍ଚାୟତର ଗୁଣ୍ଡୁରିଆ ଗ୍ରାମ ଯବାନଙ୍କ ପୈତୃକ ଗ୍ରାମ ହୋଇଥିବା ଜଣାପଡିଛି ।
ଗୁଣ୍ଡୁରିଆ ଗ୍ରାମର ଗୋପାଳ ନାଏକଙ୍କର ପୁତ୍ର ହେଉଛନ୍ତି ରାଜୀବ ନାଏକ। ତେବେ ଇଣ୍ଡୋ ତିବତ୍ ସୈନ୍ୟ ବଳ ଭାରତ-ଚୀନ ସୀମା ସିକିମରେ କାର୍ଯ୍ୟରତ ଥିଲେ ରାଜୀବ ନାଏକ। ଆଉ କାର୍ଯ୍ୟରତ ଅବସ୍ଥାରେ ହିଁ ଗତ ଶନିବାର ଦିନ ହୃଦଘାତରେ ରାଜୀବ ଆର ପାରିକୁ ଚାଲିଯାଇଛନ୍ତି । ଯବାନଙ୍କ ମୃତ୍ୟୁ ପରେ ତାଙ୍କୁ ପରିବାର ଲୋକଙ୍କୁ ଏ ସମ୍ପର୍କରେ ଖବର ଦିଆଯାଇଥିଲା । ସେଠାରୁ ସେନା କର୍ମଚାରୀମାନେ ଯବାନଙ୍କ ମର ଶରୀର ଧରି ପ୍ରଥମେ କୋଲକାତା ଆସିଥିଲେ । ଏହାପରେ ସେମାନେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଥିଲେ ।
ଶେଷରେ ଆଜି ଏକ ସ୍ୱତନ୍ତ୍ର ସୁସଜ୍ଜିତ ସେନା ଗାଡ଼ିରେ ଭୁବନେଶ୍ୱରରୁ ୧୨୦ ବାଟାଲିୟନର ଯବାନମାନେ ମୃତ ଯବାନଙ୍କ ପୈତୃକ ଗ୍ରାମ ଗୁଣ୍ଡୁରିଆକୁ ଆଣିଥିଲେ। ବିଶୋଇ ଥାନା ଅନ୍ତର୍ଗତ ୪୯ ନଂ ଜାତୀୟ ରାଜପଥ ବନେଇକଳା ଛକଠାରୁ ହଜାର ହଜାର ସ୍ଥାନୀୟ ଲୋକଙ୍କ ଉପସ୍ଥିତରେ ଯବାନଙ୍କ ମରଶରୀରକୁ ନିଜ ଘରକୁ ଅଣା ଯାଇଥିଲା । ସେଠାରେ ପରିବାର ଲୋକ ଓ ଗ୍ରାମବାସୀଙ୍କ କାନ୍ଦବୋବାଳିରେ ଫାଟି ପଡୁଥିଲା ପରିବେଶ । ଅତି କମ୍ ବୟସରେ ପୁଅକୁ ହରାଇ ପରିବାରଲୋକେ ଧୈର୍ଯ୍ୟହରା ହୋଇ ପଡିଛନ୍ତି ।