ବାରିପଦା: ମାଟ୍ରିକ ପରୀକ୍ଷାକୁ ଆଉ ମାତ୍ର 6 ଦିନ ବାକି ଥିବାବେଳେ ଛାତ୍ରଙ୍କ ଆଡମିଟ କାର୍ଡରେ ଦେଖିବାକୁ ମିଳିଛି ଗୁରୁତର ତ୍ରୁଟି । ଛାତ୍ରଙ୍କ ଫଟୋ ବଦଳରେ ଲାଗିଛି ଜଣେ ଦକ୍ଷିଣ ଭାରତୀୟ ଅଭିନେତ୍ରୀଙ୍କ ଫଟୋ । ମୟୂରଭଞ୍ଜ ଜିଲ୍ଲା ବେତନଟି ବ୍ଲକ ରାଇକମାସ୍ଥିତ ରଘୁନାଥ ଉଚ୍ଚ ବିଦ୍ୟାଳୟରେ ଘଟିଛି ଏଭଳି ଏକ ଅଭାବନୀୟ ଘଟଣା ।
ମାଟ୍ରିକ ପରୀକ୍ଷାକୁ ଆଉ କେଇ ଦିନ ବାକି ଥିବାବେଳେ ଶିକ୍ଷା ବିଭାଗ ପକ୍ଷରୁ ୱେବସାଇଟରେ ଉପଲବ୍ଧ ହୋଇଛି ଛାତ୍ରଛାତ୍ରୀଙ୍କ ଆଡ଼ମିଟ କାର୍ଡ । ତେବେ ଶିକ୍ଷା ବିଭାଗ ପକ୍ଷରୁ ୱେବସାଇଟରେ ଉପଲବ୍ଧ ହୋଇଥିବା ଆଡ଼ମିଟ କାର୍ଡ ଡାଉନଲୋଡ ପରେ ଦେଖିବାକୁ ମିଳିଛି ସାଂଘାତିକ ତ୍ରୁଟି । ସ୍ଥାନୀୟ ବେତନଟି ବ୍ଲକ ରାଇକମାରେ ଥିବା ରଘୁନାଥ ଉଚ୍ଚ ବିଦ୍ୟାଳୟର ଦଶମ ଶ୍ରେଣୀ ଛାତ୍ର ଅଭିଜିତ କବାଟଙ୍କ ଆଡ଼ମିଟ କାର୍ଡରେ ଲାଗିଛି ଦକ୍ଷିଣ ଭାରତୀୟ ଅଭିନେତ୍ରୀଙ୍କ ଫଟୋ ।
ମାଟ୍ରିକ ପରୀକ୍ଷା ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଗଢିବାରେ ଗୁରୁତ୍ବପୂର୍ଣ ଭୂମିକା ବହନ କରୁଥିବା ବେଳେ ଜିଲ୍ଲାରେ ଦେଖାଦେଇଥିବା ଅବହେଳା ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ପ୍ରତି ବିପଦର ଏକ ବଡ ସଙ୍କେତ । ତେବେ ସମ୍ପୃକ୍ତ ସ୍କୁଲର ଚଳିତ ବର୍ଷ 103 ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେବାକୁ ଥିବା ବେଳେ ସମସ୍ତଙ୍କ ଆଡ଼ମିଟ କାର୍ଡରେ ତ୍ରୁଟି ପରିଲକ୍ଷିତ ହୋଇଛି ବୋଲି କହିଛନ୍ତି ପ୍ରଧାନଶିକ୍ଷକ।