ବାରିପଦା: ସ୍ତ୍ରୀକୁ ପିଟି ପିଟି ମାରିଦେଲା ସ୍ବାମୀ । ପୂର୍ବରୁ ସାନ ବୋହୂକୁ ହତ୍ୟା କରି ଯାଇଥିଲା ଜେଲ । ଆଉ ଏବେ ଅତ୍ୟଧିକ ମଦ୍ୟପାନ କରି ପାରିବାରିକ କଳହ କାରଣରୁ ସ୍ତ୍ରୀର ଜୀବନ ନେଇଛି ମଦ୍ୟପ । ଏଭଳି ଅଭାବନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲାରେ ।
ସୂଚନା ଅନୁସାରେ, ମୋରଡ଼ା ଥାନା ଅନ୍ତର୍ଗତ ଚିକିଟାମାଟିଆ ଗ୍ରାମର ବିଦ୍ୟାଧର ନାୟକ ନିଜ ସାନ ବୋହୂକୁ ହତ୍ୟା କରିଥିବା ଅପରାଧରେ ପ୍ରାୟ ସାଢ଼େ ୩ ବର୍ଷ ଜେଲ ଦଣ୍ଡ ଭୋଗୁଥିଲା । ତେବେ ମେ ୨ ତାରିଖରେ ଜେଲରୁ ବାହାରିବା ପରେ ଏବେ ସ୍ତ୍ରୀ ପ୍ରଶନି ନାୟକ (୬୫)ଙ୍କୁ ହତ୍ୟା କରିଥିବା ପରିବାର ପକ୍ଷରୁ ଅଭିଯୋଗ ହୋଇଛି । ଘଟଣାଟି ଗତକାଲି ବିଳମ୍ବିତ ରାତିରେ ଘଟିଥିବା ବେଳେ ବୁଧବାର ଘଟଣାସ୍ଥଳରେ ମୋରଡ଼ା ଥାନା ଅଧିକାରୀ ପଦ୍ମଲୋଚନ ପାଣିଗ୍ରାହୀ ଓ ବେତନଟୀ ଏସଡିପିଓ ପହଞ୍ଚି ସାଇଣ୍ଟିଫିକ ଟିମ ଜରିଆରେ ତଦନ୍ତ ଆରମ୍ଭ କରିବା ସହ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି ।