ରାଇରଙ୍ଗପୁର: ମୋବାଇଲ ଫୋନ ଆଗରେ ତୁଚ୍ଛ ହେଲା ଜୀବନ । ସାମାନ୍ୟ ଫୋନ୍ ପାଇଁ ସାତଜନ୍ମର ସମ୍ପର୍କ ଭୁଲିଗଲା ସ୍ବାମୀ । ସ୍ତ୍ରୀ ଫୋନ ହଜାଇ ଦେବାରୁ ଠେଙ୍ଗାରେ ପିଟି ପିଟି ତାର ଜୀବନ ନେଇଗଲା । ଏଭଳି ଏକ ଅଭାବନୀୟ ଘଟଣା ଘଟିଯାଇଛି ମୟୂରଭଞ୍ଜ ଜିଲ୍ଲା କୁଳିଅଣା ଥାନା ଅନ୍ତର୍ଗତ ତାରାଯୋଡ଼ି ଗ୍ରାମରେ । ମୃତ ମହିଳା ହେଉଛନ୍ତି ଗ୍ରାମର ରାମଚନ୍ଦ୍ର ସିଂଙ୍କ ସ୍ତ୍ରୀ ମୁଗୁଲି ସିଂ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଅଭିଯୁକ୍ତ ସ୍ବାମୀକୁ ମଧ୍ୟ ଗିରଫ କରିଛି ।
ସୂଚନା ଅନୁଯାୟୀ, ରବିବାର ରାତିରେ ତାରାଯୋଡ଼ି ଗ୍ରାମର ରାମଚନ୍ଦ୍ର ସିଂ ଓ ସ୍ତ୍ରୀ ମୁଗୁଲି ସିଂଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା । ସ୍ତ୍ରୀ ମୋବାଇଲ ଫୋନ ହଜାଇ ଦେଇଥିବାରୁ ସ୍ବାମୀ ରାମଚନ୍ଦ୍ର ତାଙ୍କୁ ଖୁବ୍ ଗାଳିଗୁଲଜ କରିଥିଲା । ଏହି ଘଟଣାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା । ଫଳରେ ରାଗ ଜର୍ଜରିତ ହୋଇ ରାମଚନ୍ଦ୍ର ସିଂ ପାଖରେ ଥିବା ଏକ ଠେଙ୍ଗାରେ ମୁଗୁଲିଙ୍କୁ ବାରମ୍ବାର ପିଟିଥିଲା । ଯେଉଁ କାରଣରୁ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଯାଇ ଥିଲା । ସୋମବାର ସକାଳୁ ଘଟଣା ସମ୍ପର୍କରେ ପଡ଼ୋଶୀ ଜାଣିବା ପରେ କୁଳିଅଣା ଥାନାକୁ ଖବର ଦେଇଥିଲେ ।
ଏହାମଧ୍ୟ ପଢନ୍ତୁ: ନାବାଳକ ନରବଳି ଘଟଣା: ଭୟରେ ମୃତକଙ୍କ ପରିବାର, ସିବିଆଇ ତଦନ୍ତ ଦାବି କଲେ ବିଜେପି ନେତା