ରାଇରଙ୍ଗପୁର:ରାଜ୍ୟରେ ନୂଆ ଜିଲ୍ଲା ଗଠନ ଉପରେ ଲାଗିଲା ରୋକ । ରାଇରଙ୍ଗପୁର ନୂତନ ଜିଲ୍ଲା ଗଠନ ଦାବି କରି ରୁଜୁ ହୋଇଥିବା ଜନସ୍ବାର୍ଥ ମାମଲାର ଶୁଣାଣି କରି ଏହି ରୋକ ଲଗାଇଛନ୍ତି ହାଇକୋର୍ଟ । ଯଦି ରାଜ୍ୟ ସରକାର ଜିଲ୍ଲା ପୁନର୍ଗଠନ ପାଇଁ ପ୍ରକ୍ରିୟା ଆରମ୍ଭ କରିବାକୁ ଚାହାନ୍ତି, ତାହେଲେ ଏହି ପ୍ରକ୍ରିୟାରେ ଜାରି ରଖିପାରିବେ । ହେଲେ ହାଇକୋର୍ଟଙ୍କ ଅନୁମତି ବିନା ଜିଲ୍ଲା ଗଠନ ସମ୍ପର୍କରେ କିଛି ଚୂଡ଼ାନ୍ତ ନିଷ୍ପତ୍ତି ନେଇ ପାରିବେ ନାହିଁ ବୋଲି ଗୁରୁବାର ହାଇକୋର୍ଟ ଏକ ଗୁରୁତ୍ବପୂର୍ଣ୍ଣ ରାୟ ଶୁଣାଇଛନ୍ତି ।
ରାଇରଙ୍ଗପୁର ନୂତନ ଜିଲ୍ଲା ଗଠନକୁ ରାଜ୍ୟ ସରକାରଙ୍କ ଉପେକ୍ଷା ପରେ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲା ରାଇରଙ୍ଗପୁର ଜିଲ୍ଲା କ୍ରିୟାନୁଷ୍ଠାନ କମିଟି । ତତ୍କାଳୀନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ସମୟରୁ ରାଇରଙ୍ଗପୁର ନୂତନ ଜିଲ୍ଲା ଗଠନ ପାଇଁ ଦାବି ହୋଇ ଆସୁଅଛି । ରାଇରଙ୍ଗପୁର ନୂତନ ଜିଲ୍ଲା କ୍ରିୟାନୁଷ୍ଠାନ କମିଟି ଦୀର୍ଘ ବର୍ଷରୁ ନୂତନ ଜିଲ୍ଲା ଦାବି ନେଇ ରାଇରଙ୍ଗପୁର ଉପଖଣ୍ଡ ବନ୍ଦ, ଦୀର୍ଘ ଦିନ ଧରି ରାଇରଙ୍ଗପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦେବା ସହ ଭାରତର ରାଷ୍ଟ୍ରପତି, ଓଡ଼ିଶାର ରାଜ୍ୟପାଳ, ଓଡ଼ିଶାର ମୁଖ୍ୟମନ୍ତ୍ରୀ ଓ ମୁଖ୍ୟ ଶାସନ ସଚିବଙ୍କ ଦ୍ବାରସ୍ତ ହେବା ସହ ଦାବି ପତ୍ର ପ୍ରଦାନ କରି ଜିଲ୍ଲା ଗଠନ ଦାବି ଜଣାଇ ଆସୁଛନ୍ତି ।
ତେବେ ରାଜ୍ୟ ସରକାର ପଦ୍ମପୁର ଜିଲ୍ଲା ଗଠନ ନେଇ ପ୍ରକ୍ରିୟା ଆରମ୍ଭ କରିଥିବା ବେଳେ ରାଇରଙ୍ଗପୁର ଜିଲ୍ଲା ଗଠନକୁ ଉପେକ୍ଷା କରିଥିବାରୁ ହାଇକୋର୍ଟଙ୍କ ଦ୍ବାରସ୍ତ ହୋଇଥିଲା ରାଇରଙ୍ଗପୁର ନୂତନ ଜିଲ୍ଲା କ୍ରିୟାନୁଷ୍ଠାନ କମିଟି । ନୂତନ ଜିଲ୍ଲା ପୁନର୍ଗଠନକୁ ନେଇ ବିଭିନ୍ନ ଅଞ୍ଚଳରୁ ଦାବି ହୋଇ ଆସୁଥିବା ବେଳେ ଏହି ପ୍ରସଙ୍ଗରେ ହାଇକୋର୍ଟ ଏକ ଅନ୍ତରୀଣ ଅଙ୍କୁଶ ଜାରି କରିଛନ୍ତି । ଯଦି ରାଜ୍ୟ ସରକାର ଜିଲ୍ଲା ପୁନର୍ଗଠନ ପାଇଁ ପ୍ରକ୍ରିୟା ଆରମ୍ଭ କରିବାକୁ ଚାହାନ୍ତି, ତାହେଲେ ଏହି ପ୍ରକ୍ରିୟାରେ ଜାରି ରଖିପାରିବେ । ହେଲେ ହାଇକୋର୍ଟଙ୍କ ଅନୁମତି ବିନା ଜିଲ୍ଲା ଗଠନ ସମ୍ପର୍କରେ କିଛି ଚୂଡ଼ାନ୍ତ ନିଷ୍ପତ୍ତି ନେଇ ପାରିବେ ନାହିଁ ବୋଲି ଗୁରୁବାର ହାଇକୋର୍ଟ ଏକ ଗୁରୁତ୍ବପୂର୍ଣ୍ଣ ରାୟରେ ନିର୍ଦ୍ଦେଶ ଦେଇଛନ୍ତି । କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଜଷ୍ଟିସ ଡ. ବିଦ୍ୟୁତ୍ ରଞ୍ଜନ ଷଡ଼ଙ୍ଗୀ ଓ ଜଷ୍ଟିସ ଏମ୍.ଏସ୍.ରମଣଙ୍କୁ ନେଇ ଗଠିତ ଖଣ୍ଡପୀଠ ରାଇରଙ୍ଗପୁର ଜିଲ୍ଲା କ୍ରିୟାନୁଷ୍ଠାନ କମିଟି ଆବାହକ ତଥା ରାଇରଙ୍ଗପୁର ବାର୍ ଆସୋସିଏସନ ସଭାପତି ଅକ୍ଷୟ କୁମାର ମହାନ୍ତିଙ୍କ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି । ଅର୍ଥନୈତିକ ସ୍ଥିତି, ଜନସଂଖ୍ୟା, ଅଞ୍ଚଳର ପରିସୀମା, ପଛୁଆ ପ୍ରସଂଗକୁ ବିଚାରକୁ ନିଆଯାଉ ନଥିବା ଅଭିଯୋଗ କରି ଦାୟର ମାମଲାକୁ ହାଇକୋର୍ଟ ଗୁରୁତ୍ଵର ସହିତ ଗ୍ରହଣ କରିଛନ୍ତି । ଏହି ପ୍ରସଙ୍ଗରେ ସରକାରଙ୍କୁ ଜବାବ ତଲବ କରିଛନ୍ତି ଖଣ୍ଡପୀଠ ।