ରାଇରଙ୍ଗପୁର : ଶନିବାର ରାତିରୁ ତୁହାକୁ ତୁହା ବର୍ଷା ହେଉଥିବାରୁ ବେହାଲ ରାଇରଙ୍ଗପୁର । ସହରର ଓ୍ବାର୍ଡ ନଂ ୧୦ ଅଁଳାଡୁବାର ମହାନ୍ତ ସାହି ଓ ବାଦାମୀବାଈ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସର ସମ୍ପୂର୍ଣ୍ଣ ଜଳମଗ୍ନ । ଅଁଳାଡୁବାର ମହାନ୍ତ ସାହିରେ ପାଖାପାଖି ୫୦ ଟି ପରିବାର ବସବାସ କରନ୍ତି । ହେଲେ ଉକ୍ତ ସାହିରେ ଡ୍ରେନ ଥାଇ ମଧ୍ୟ ଡ୍ରେନେଜ ବ୍ୟବସ୍ଥା ସଠିକ ନାହିଁ ।
ଭିଡିଓ ସୌଜନ୍ୟ- ପ୍ରତିନିଧି, ରାଇରଙ୍ଗପୁର ପୂର୍ବରୁ ଏନଏସି ତରଫରୁ ସେଠାରେ ଡ୍ରେନ ନିର୍ମାଣ କରାଯାଇଥିଲା କିନ୍ତୁ ତ୍ରୁଟିପୂର୍ଣ୍ଣ ଡ୍ରେନ ନିର୍ମାଣ ଯୋଗୁଁ ନର୍ଦ୍ଦମା ପାଣି ନିଷ୍କାସିତ ହୋଇ ପାରୁନାହିଁ । ତା ସହିତ ଏନ୍ଏସି ତରଫରୁ ଡ୍ରେନ ସଫେଇ କାର୍ଯ୍ୟ ମଧ୍ୟ ହେଉନଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ବାସିନ୍ଦା । ଲଗାଣ ବର୍ଷା ଜାରି ରହିଥିବା ବେଳେ ନାଳନର୍ଦ୍ଦମା ପାଣି ରାସ୍ତା ଉପରକୁ ମାଡି ଆସି ରାସ୍ତାରେ ଆଣ୍ଠୁଏ ପାଣି ଜମି ଥିବା ଦେଖାଯାଇଛି । ଘରକୁ ମଧ୍ୟ ସେହି ପାଣି ପଶୁଥିବା ଦେଖିବାକୁ ମିଳିଛି।
ଫଳରେ ବିଷାକ୍ତ ସରୀସୃପ ପ୍ରାଣୀର ଭୟ ବି ରହିଛି । ଛୋଟଛୋଟ ପିଲାମାନେ ନାଳନର୍ଦ୍ଦମା ପାଣି ସଂସ୍ପର୍ଶରେ ଆସି ରୋଗରେ ଆକ୍ରାନ୍ତ ହେଉଥିବା ଦେଖିବାକୁ ମିଳିଛି । ଏପରିକି ସ୍କୁଲ କଲେଜର ପିଲା ଓ ଗ୍ରାମବାସୀଙ୍କ ପାଇଁ ସେହି ରାସ୍ତାରେ ଯାତାୟାତ କରିବା କଷ୍ଟକର ହୋଇପଡିଛି । ସେପଟେ ଏ ନେଇ ମହାନ୍ତ ସାହିର ଲୋକେ ଏନ୍ଏସି କର୍ତ୍ତୃପକ୍ଷଙ୍କୁ ବାରମ୍ବାର ଅବଗତ କରିଥିଲେ ସୁଦ୍ଧା କର୍ଣ୍ଣଗୋଚର ହୋଇନଥିବା ଅଭିଯୋଗ କରିଛନ୍ତି ଲୋକେ।
ଅନ୍ୟପଟେ ଅଁଳାଡୁବାରେ ଥିବା ବାଦାମୀବାଈ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଅବସ୍ଥା ନ କହିବା ଭଲ । ଲଗାଣ ବର୍ଷାରେ ବିଦ୍ୟାଳୟ ପରିସରରେ ଆଣ୍ଠୁଏ ପାଣି ଜମିଥିବା ଦେଖିବାକୁ ମିଳିଛି । ସେପଟେ ରାଇରଙ୍ଗପୁର ଶିକ୍ଷା ଗୋଷ୍ଠୀ ଅଧିକାରୀ ମଧ୍ୟ କୁମ୍ଭକର୍ଣ୍ଣ ନିଦ୍ରାରେ । ମୁଖ୍ୟତଃ ଡ୍ରେନେଜ ବ୍ୟବସ୍ଥା ଫେଲ୍ ଯୋଗୁଁ ଏପରି ପରିସ୍ଥିତି ସୃଷ୍ଟି ହେଉଥିବା ଦେଖିବାକୁ ମିଳିଛି । ତେବେ କେବେ ଅଁଳାଡୁବା ବାସୀଙ୍କ ଏସବୁ ସମସ୍ୟା ଦୂର ହେଉଛି ତାଉପରେ ସମସ୍ତଙ୍କ ନଜର ।
ରାଇରଙ୍ଗପୁରରୁ ସଞ୍ଜୟ ପରିଡା, ଇଟିଭି ଭାରତ