ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲାରେ ଅଭାବନୀୟ ଘଟଣା । ସ୍କୁଲ ବାରଣ୍ଡାରୁ ପ୍ରଧାନ ଶିକ୍ଷକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି । ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ଯାମଦା ଥାନା ଅନ୍ତର୍ଗତ ତାରଣା ଗ୍ରାମରେ । ତାରଣା ଆଶ୍ରମ ସ୍କୁଲ ବାରଣ୍ଡାରୁ ମୃତଦେହ ଉଦ୍ଧାର କରିଛି ପୋଲିସ । ମୃତକ ଜଣକ ତାରଣା ଆଶ୍ରମ ସ୍କୁଲରେ ପ୍ରଧାନ ଶିକ୍ଷକ ଥିବାବେଳେ ତାଙ୍କ ନାଁ ହେଉଛି ରାଜେନ୍ଦ୍ର କୁମାର ଶତପଥୀ । ତେବେ ମୃତ ଶିକ୍ଷକଙ୍କ ଘର ବାଲେଶ୍ବର ଜିଲ୍ଲା ଖଇରା ଥାନା ଅନ୍ତର୍ଗତ ନଛିପୁର ଗ୍ରାମରେ ଥିବା ଜଣାପଡିଛି ।
ସୂଚନାନୁଯାୟୀ, ଗୁରୁବାର ଦିନ ସନ୍ଧ୍ୟା ସମୟରେ ବିଜୁଳି ଘଡଘଡି ସହିତ ଅଳ୍ପ ବର୍ଷା ହେଉଥିବା ବେଳେ ତାରଣା ଆଶ୍ରମ ସ୍କୁଲରେ ଇଲେକ୍ଟ୍ରି ଲାଇନ୍ ମଧ୍ୟ କଟି ଯାଇଥିଲା । ସେ ସମୟରେ ଆଶ୍ରମ ସ୍କୁଲ ପରିସର ପୁରାପୁରି ଅନ୍ଧକାରରେ ଥିଲା । ପରେ ସେଠାରେ ଥିବା ଶିକ୍ଷକମାନେ ସ୍କୁଲ ବାରଣ୍ଡାରେ କେହି ଜଣେ ଝୁଲନ୍ତା ଅବସ୍ଥାରେ ଥିବା ଦେଖିବାକୁ ପାଇଥିଲେ । ପାଖକୁ ଆସି ଦେଖିବା ବେଳେ ସ୍କୁଲର ପ୍ରଧାନ ଶିକ୍ଷକ ବୋଲି ଜାଣିବା ପରେ ସଙ୍ଗେସଙ୍ଗେ ଉଦ୍ଧାର କରି ଯାମଦା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ହେଲେ ସେଠାରେ ଡାକ୍ତର ପ୍ରଧାନ ଶିକ୍ଷକଙ୍କୁ ମୃତ ଘୋଷଣା କରିଥିଲେ । ଏନେଇ ଆଶ୍ରମ ସ୍କୁଲର ଶିକ୍ଷକମାନେ ଯାମଦା ଥାନା ପୋଲିସକୁ ଖବର ଦେଇଥିଲେ । ଖବର ପାଇ ଯାମଦା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିବା ସହିତ ଏ ବାବଦରେ ରାଇରଙ୍ଗପୁର ଏସଡିପିଓ ଗୋକୁଳାନନ୍ଦ ସାହୁଙ୍କୁ ମଧ୍ୟ ଖବର ଦେଇଥିଲେ ।