ରାଇରଙ୍ଗପୁର: ଦୀର୍ଘ ୪୧ ବର୍ଷରୁ ଆଦିମ ଜନଜାତି ଆଦିବାସୀ ସଂପ୍ରଦାୟ ପକ୍ଷରୁ ପାଳିତ ହୋଇଆସୁଛି ଗୁରୁ ଦର୍ଶନ ଦିବସ । ସାନ୍ତାଳୀ ସମ୍ପ୍ରଦାୟର ଭଗବାନ ସଦୃଶ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ସ୍ମୃତିଚାରଣ କରିବା ପାଇଁ ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଆଦିବାସୀ ସଂପ୍ରଦାୟ ତରଫରୁ ପାଳନ କରାଯାଇଛି ଗୁରୁ ଦର୍ଶନ ଦିବସ । ତେବେ ସ୍ବର୍ଗତ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଜନ୍ମ ସ୍ଥାନରେ ତାଙ୍କ ତିରୋଧାନ ଦିବସକୁ ଗୁରୁ ଦର୍ଶନ ଦିବସ ଭାବେ କାହିଁକି ପାଳନ କରାଯାଉଛି, ସାନ୍ତାଳୀ ସମ୍ପ୍ରଦାୟ ପ୍ରତି ତାଙ୍କର କ'ଣ ଅବଦାନ ରହିଛି, କାହିଁକି ପଣ୍ଡିତ ରଘୁନାଥ ମୁର୍ମୁ ସାନ୍ତାଳୀଙ୍କ ଭଗବାନ ସଦୃଶ, ସେନେଇ ମୟୂରଭଞ୍ଜ ଜିଲ୍ଲାର ଦାଣ୍ଡବୋଷ ଗ୍ରାମରୁ ଆମ ଇଟିଭି ଭାରତର ଏହି ସ୍ବତନ୍ତ୍ର ରିପୋର୍ଟ ।
ଗୁରୁ ଦର୍ଶନ ପାଇଁ ଛୁଟିଛି ଶ୍ରଦ୍ଧାଳୁଙ୍କ ସୁଅ: ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ବ୍ଲକ ପୁରୁଣାପାଣି ପଞ୍ଚାୟତ ଅନ୍ତର୍ଗତ ଦାଣ୍ଡବୋଷ ଗ୍ରାମର କପିଡୁଙ୍ଗୁରିରେ ଆଦିମ ଜନଜାତି ଆଦିବାସୀ ସମ୍ପ୍ରଦାୟ ପକ୍ଷରୁ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଶ୍ରାଦ୍ଧ ତିଥି ଉପଲକ୍ଷେ ଗୁରୁ ଦର୍ଶନ ଦିବସ ପାଳିତ ହୋଇଆସୁଛି । ପଣ୍ଡିତ ରଘୁନାଥ ମୁର୍ମୁ ହେଉଛନ୍ତି ସାନ୍ତାଳୀ ସମ୍ପ୍ରଦାୟ ପାଇଁ ଭଗବାନ ସଦୃଶ । ତେଣୁ ତାଙ୍କର ୪୩ତମ ଶ୍ରାଦ୍ଧ ଦିବସ ଅବସରରେ ଦାଣ୍ଡବୋଷ କୋପିଡୁଙ୍ଗୁରିଠାରେ ହଜାରହଜାର ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ସୁଅ ଛୁଟିଛି । ସାନ୍ତାଳୀ ଶ୍ରଦ୍ଧାଳୁମାନେ ଉପବାସ ରଖି ସମାଧିସ୍ଥଳରେ ପୂଜାର୍ଚ୍ଚନା କରି ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଆଶୀର୍ବାଦ ପ୍ରାପ୍ତି କରିଥାନ୍ତି । ପଣ୍ଡିତଙ୍କ ସମାଧି ପୀଠରେ ଯିଏ ଯାହା ମାନସିକ ରଖିଥାନ୍ତି, ତାହା ନିଶ୍ଟୟ ପୂରଣ ହୋଇଥାଏ ବୋଲି ବିଶ୍ଵାସ ରହିଛି ।
ଅଲଚିକି ଲିପିର ଜନକ ପଣ୍ଡିତ ରଘୁନାଥ ମୁର୍ମୁ: ସାନ୍ତାଳୀ ସମ୍ପ୍ରଦାୟର ଲୋକେ ଶ୍ରଦ୍ଧାରେ ପଣ୍ଡିତ ରଘୁନାଥ ମୁର୍ମୁଙ୍କୁ ଗୁରୁ ଗୋମକେ ବୋଲି ସମ୍ବୋଧନ କରିଥାନ୍ତି । ପଣ୍ଡିତ ରଘୁନାଥ ମୁର୍ମୁ ୧୯୦୫ ମସିହା ମେ ମାସ ୧୮ ତାରିଖରେ ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ବ୍ଲକ ପୁରୁଣାପାଣି ପଞ୍ଚାୟତର ଦାଣ୍ଡବୋଷ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ସେ ଜଣେ ସାନ୍ତାଳୀ ଭାଷା ଓ ଲିପିର ଗବେଷକ ମଧ୍ୟ ଥିଲେ । ସେ ପ୍ରଥମେ ଅଲଚିକି ଲିପି ତିଆରି କରିଥିବାରୁ ଏହି ଲିପିର ଜନକ ଭାବରେ ବେଶ ଜଣାଶୁଣା । ୧୯୨୫ ମସିହାରୁ ଅଲଚିକି ଲିପି ସାନ୍ତାଳୀ ଭାଷାରେ ଲେଖିବା ପାଇଁ ଭାରତ ଓ ଅନ୍ୟାନ୍ୟ ଦେଶରେ ବ୍ୟବହାର କରାଯାଇଥିଲା । ସାନ୍ତାଳୀ ଜନଜୀବନରେ ଉନ୍ନତି ଆଣିବା ପାଇଁ ଓଡ଼ିଶା, ପଶ୍ଚିମବଙ୍ଗ ଓ ବିହାରର ସାନ୍ତାଳୀ ସମ୍ପ୍ରଦାୟ ପାଇଁ ଅନେକ ଉନ୍ନୟନମୂଳକ କାର୍ଯ୍ୟ କରିଥିଲେ । ସ୍ଵର୍ଗତ ମୁର୍ମୁଙ୍କ ସ୍ମୃତିରେ ପଶ୍ଚିମବଙ୍ଗର ବାଙ୍କୁଡା ଜିଲ୍ଲା ଜାମବଣୀ ଠାରେ ପଣ୍ଡିତ ରଘୁନାଥ ମୁର୍ମୁ ସ୍ମୃତି ମହାବିଦ୍ୟାଳୟ ଓ ମୁର୍ସିଦାବାଦ ଠାରେ କଲ୍ୟାଣୀ ବିଶ୍ଵବିଦ୍ୟାଳୟ ଅଧିନରେ ଏକ ଶିକ୍ଷକ ପ୍ରଶିକ୍ଷଣ ମହାବିଦ୍ୟାଳୟ ପଶ୍ଚିମବଙ୍ଗ ସରକାରଙ୍କ ଦ୍ବାରା ପ୍ରତିଷ୍ଠା କରାଯାଇଛି । ଓଡ଼ିଶା ସରକାର ମଧ୍ୟ ବାରିପଦାସ୍ଥିତ ରାଜ୍ୟର ପଞ୍ଚମ ମେଡିକାଲ କଲେଜକୁ ତାଙ୍କ ନାଁରେ ନାମିତ କରିଛନ୍ତି ।