ରାଇରଙ୍ଗପୁର: ପଣ୍ଡିତ ରଘୁନାଥ ମୁର୍ମୁ ସାନ୍ତାଳୀ ସମ୍ପ୍ରଦାୟର ଲୋକଙ୍କ ପାଇଁ ଭଗବାନ ସଦୃଶ୍ୟ। ଆଦରରେ ତାଙ୍କୁ ସାନ୍ତାଳୀ ସମ୍ପ୍ରଦାୟର ଲୋକେ "ଗୁରୁ ଗୋମକେ" ବୋଲି ମଧ୍ୟ ଡାକିଥାନ୍ତି। ୧୯୦୫ ମସିହା ମଇ ୧୮ ତାରିଖରେ ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ବ୍ଲକ ପୁରୁଣାପାଣି ପଞ୍ଚାୟତ ଅଧିନ ଦାଣ୍ଡବୋଷ ଗ୍ରାମରେ ପଣ୍ଡିତ ରଘୁନାଥ ମୁର୍ମୁ ଜନ୍ମ ଗ୍ରହଣ କରିଥିଲେ। ସେ ସାନ୍ତାଳୀ ଭାଷା ଓ ଲିପିର ଗବେଷକ ମଧ୍ୟ ଥିଲେ। ସେ ପ୍ରଥମେ ଅଲଚିକି ଲିପି ତିଆରି କରିଥିବାରୁ ଅଲଚିକି ଲିପିର ଜନକ ଭାବେ ବେଶ ପରିଚିତ। ୧୯୨୫ ମସିହାରୁ ଅଲଚିକି ଲିପି ସାନ୍ତାଳୀ ଭାଷାରେ ଲେଖିବା ନିମନ୍ତେ ଭାରତ ଓ ଅନ୍ୟାନ୍ୟ କେତୋଟି ଦେଶରେ ବ୍ୟବହାର କରାଯାଇଥିଲା।
ସାନ୍ତାଳୀ ଜନଜୀବନ ରେ ଉନ୍ନତି ଆଣିବା ନିମନ୍ତେ ଓଡ଼ିଶା, ପଶ୍ଚିମ ବଙ୍ଗ, ବିହାର ରାଜ୍ୟର ସାନ୍ତାଳୀ ସମ୍ପ୍ରଦାୟ ପାଇଁ ଅନେକ ଉନ୍ନୟନ ମୂଳକ କାର୍ଯ୍ୟ କରିଥିଲେ। ସ୍ବର୍ଗତ ମୁର୍ମୁ ଙ୍କ ସ୍ମୃତି ରେ ପଶ୍ଚିମବଙ୍ଗ ର ବାଙ୍କୁଡା ଜିଲ୍ଲା ଜାମବଣୀ ଠାରେ ପଣ୍ଡିତ ରଘୁନାଥ ମୁର୍ମୁ ସ୍ମୃତି ମହାବିଦ୍ୟାଳୟ ଓ ମୁର୍ଶିଦାବାଦ ଠାରେ କଲ୍ୟାଣୀ ବିଶ୍ବ ବିଦ୍ୟାଳୟ ଅଧିନରେ ଏକ ଶିକ୍ଷକ ପ୍ରଶିକ୍ଷଣ ମହାବିଦ୍ୟାଳୟ ପଶ୍ଚିମବଙ୍ଗ ସରକାରଙ୍କ ଦ୍ଵାରା ପ୍ରତିଷ୍ଠା କରାଯାଇଛି। ଓଡିଶା ସରକାର ମଧ୍ୟ ମୟୂରଭଞ୍ଜ ଜିଲ୍ଲା ବାରିପଦା ସ୍ଥିତ ରାଜ୍ୟର ପଞ୍ଚମ ମେଡିକାଲ କଲେଜ କୁ ତାଙ୍କ ନାଁରେ ନାମିତ କରି "ପଣ୍ଡିତ ରଘୁନାଥ ମୁର୍ମୁ ଆଣ୍ଡ ମେଡିକାଲ କଲେଜ" ରଖିଛନ୍ତି।
୧୯୮୨ ମସିହା ମାଘ ସପ୍ତମୀ ରେ ତାଙ୍କର ତିରୋଧାନ ପରେ ୧୯୮୩ ମସିହା ପାଖରୁ ମାଘ ମାସ ଅଷ୍ଟମୀ ତିଥିରୁ ମାଘ ମାସ ପୂର୍ଣ୍ଣିମା ପର୍ଯ୍ୟନ୍ତ ଗୁରୁ ଦର୍ଶନ ଦିବସ ପାଳିତ ହୋଇ ଆସୁଥିଲା କିନ୍ତୁ ଦୀର୍ଘ ୩୮ ବର୍ଷ ହେବ ମାଘ ମାସର ପୂର୍ଣ୍ଣିମା ତିଥିରେ ସାନ୍ତାଳୀ ସମ୍ପ୍ରଦାୟର ଲୋକେ ଗୁରୁ ଦର୍ଶନ ଦିବସ କୁ ପାଳନ କରି ଆସୁଛନ୍ତି। ସେପଟ କୋଭିଡ୍ ଗାଇଡ଼ଲାଇନ କୁ ପାଳନ କରି ମାସ୍କ ସାନିଟାଇଜର ବ୍ୟବହାର କରି ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ଦାଣ୍ଡବୋଷ ଗ୍ରାମ କପିଡୁଙ୍ଗୁରି ଠାରେ ସାନ୍ତାଳୀ ସମ୍ପ୍ରଦାୟର ଲୋକେ ତାଙ୍କୁ ସ୍ମୃତିଚାରଣ କରି ସମାଧି ପୀଠରେ ପୂଜାର୍ଚ୍ଚନା କରିବା ସହିତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।