ଓଡିଶା

odisha

ETV Bharat / state

ଗୁଣ୍ଡୁରିଆ ଶହୀଦଙ୍କୁ ମନେ ପକାଇଲେ ମୟୂରଭଞ୍ଜବାସୀ - mayurbhanj gunduriya martyrs day

ମୟୂରଭଞ୍ଜ ଜିଲ୍ଲା ବହଳଦା ବ୍ଲକ ଅନ୍ତର୍ଗତ ଗୁଣ୍ଡୁରିଆ ଠାରେ ଆଦିମ ଜନଜାତି ଆଦିବାସୀ ସମ୍ପ୍ରଦାୟ ପକ୍ଷରୁ ଶହୀଦ ଦିବସ ପାଳିତ ହୋଇଯାଇଛି । ତେବେ କାହିଁକି ପ୍ରତ୍ୟେକ ବର୍ଷ ୬ ଫେବୃଆରୀ ଦିନ ମୟୂରଭଞ୍ଜର ଆଦିବାସୀ ସମ୍ପ୍ରଦାୟର ଲୋକେ ଶହୀଦ ଦିବସ ପାଳନ କରିଥାନ୍ତି ଆସନ୍ତୁ ଜାଣିବା । ଅଧିକ ପଢନ୍ତୁ...

ଗୁଣ୍ଡୁରିଆ ଶହୀଦ ଦିବସ ପାଳିତ
ଗୁଣ୍ଡୁରିଆ ଶହୀଦ ଦିବସ ପାଳିତ

By

Published : Feb 6, 2021, 5:31 PM IST

ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲା ବହଳଦା ବ୍ଲକ ଅନ୍ତର୍ଗତ ଗୁଣ୍ଡୁରିଆ ଠାରେ ଆଦିମ ଜନଜାତି ଆଦିବାସୀ ସମ୍ପ୍ରଦାୟ ପକ୍ଷରୁ ଶହୀଦ ଦିବସ ପାଳିତ ହୋଇଯାଇଛି । ଶହୀଦ ଆଦିବାସୀ ମାନଙ୍କ ସ୍ମୃତିଚାରଣ କରିବା ପାଇଁ ପ୍ରତ୍ୟେକ ବର୍ଷ ପରି ଚଳିତ ବର୍ଷ ମଧ୍ୟ ପାଳନ କରାଯାଇଛି ଏହି ଶହୀଦ ଦିବସ । ଏହି ଅବସରରେ ରାଜ୍ୟ ତଥା ପଡୋଶୀ ଝାଡ଼ଖଣ୍ଡ ରାଜ୍ୟରୁ ମଧ୍ୟ ବହୁ ସଂଖ୍ୟାରେ ଆଦିବାସୀ ସମ୍ପ୍ରଦାୟର ଲୋକେ ଯୋଗ ଦେଇଥିଲେ । ଶହୀଦ ପୀଠକୁ ଯାଇ ସେଠାରେ ପୂଜାର୍ଚ୍ଚନା, ଶ୍ରଦ୍ଧାଞ୍ଜଳି ଅର୍ପଣ ସହ ଶହୀଦ ମାନଙ୍କ ସ୍ମୃତିଚାରଣ କରିଥିଲେ । ତେବେ କାହିଁକି ପ୍ରତ୍ୟେକ ବର୍ଷ ୬ ଫେବୃଆରୀ ଦିନ ମୟୂରଭଞ୍ଜର ଆଦିବାସୀ ସମ୍ପ୍ରଦାୟର ଲୋକେ ଶହୀଦ ଦିବସ ପାଳନ କରିଥାନ୍ତି ଆସନ୍ତୁ ଜାଣିବା ।

ଗୁଣ୍ଡୁରିଆ ଶହୀଦ ଦିବସ ପାଳିତ

ମୟୂରଭଞ୍ଜ ଗଡ଼ଜାତ ରାଜ୍ୟର ମିଶ୍ରଣକୁ ବିରୋଧ କରି ନିଜ ହକ୍ ଓ ଅଧିକାର ପାଇଁ ଆଦିବାସୀ ମହାସଭା ତରଫରୁ ୧୯୪୯ ମସିହା ଫେବୃଆରୀ ୬ ତାରିଖରେ ଗୁଣ୍ଡୁରିଆ ଠାରେ ଏକ ବିଶାଳ ଶୋଭାର ଆୟୋଜନ କରାଯାଇଥିଲା । ଆଦିବାସୀ ସମ୍ପ୍ରଦାୟର ଲୋକେ ଓଡ଼ିଶାରେ ମୟୂରଭଞ୍ଜର ମିଶ୍ରଣକୁ ବିରୋଧ କରି ସ୍ବତନ୍ତ୍ର " ଦିଶୋମ ରାଜ୍ୟ" ଘୋଷଣା କରିବାକୁ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଡ଼. ହରେକୃଷ୍ଣ ମହତାବ ସରକାରଙ୍କ ନିକଟରେ ଦାବି କରିଥିଲେ । ଓଡିଶା ସହିତ ନ ମିଶିବା ନେଇ ଆଦିବାସୀ ମହାସଭାର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜୈପାଲ ସିଂ ଓ ସମ୍ପାଦକ ସୁନାରାମ ସୋରେନଙ୍କ ନେତୃତ୍ୱରେ ମୟୂରଭଞ୍ଜ ଜିଲ୍ଲାର କୋହ୍ଲ, ସାନ୍ତାଳ, ଭୂମିଜ, ଧରୁଆ, ହୋ, ବାଥୁଡି, ଭୂୟାଁ, ଲୋଧା, ଖଡିଆ ଏବଂ ଅନ୍ୟାନ୍ୟ ଜନଜାତି ବର୍ଗର ଲୋକେ ଆନ୍ଦୋଳନକୁ ତୀବ୍ରତର କରିଥିଲେ । ଏ ନେଇ ଗୁଣ୍ଡୁରିଆ ଠାରେ ଏକ ବିଶାଳ ଶୋଭାର ଆୟୋଜନ କରାଯାଇ ଅସଂଖ୍ୟ ଆଦିବାସୀ ସମ୍ପ୍ରଦାୟର ଲୋକ ଯୋଗ ଦେଇଥିଲେ ।

ତେବେ କୌଣସି କାରଣ ବଶତଃ ତତ୍କାଳୀନ ପ୍ରଶାସନ ତରଫରୁ ନିରୀହ ଆଦିବାସୀଙ୍କ ଉପରେ ଗୁଳି ବର୍ଷଣ କରିଥିଲା ପୋଲିସ । ଏହି ଗୁଳିକାଣ୍ଡରେ ପ୍ରାୟ ଶତାଧିକ ଲୋକ ମୃତ୍ୟୁ ବରଣ କରିଥିଲେ । ଦୀର୍ଘ ୭୩ ବର୍ଷ ହେଲା ପୋଲିସ ଗୁଳିରେ ଆଖି ବୁଜିଥିବା ଆଦିବାସୀ ମାନଙ୍କ ଘଟଣା ଆଜି ବି ମନରୁ ଲିଭି ପାରୁନି । ତେବେ ଆଦିବାସୀ ସମ୍ପ୍ରଦାୟର ଲୋକେ ଗୁଳିକାଣ୍ଡ ସ୍ଥଳ ଗୁଣ୍ଡୁରିଆ ଠାରେ ଏକତ୍ରିତ ହୋଇ ଏକ ଶୋଭା ଯାତ୍ରାରେ ବାହାରି ଶହୀଦ ମାନଙ୍କୁ ସ୍ମୃତିଚାରଣ କରିଛନ୍ତି ।

ସେପଟେ ବର୍ଷକୁ ବର୍ଷ ଆଦିବାସୀ ପ୍ରୀତି ଦେଖାଇ ଦଳୀୟ ନେତା ମାନେ ଗୁଣ୍ଡୁରିଆ ଶହୀଦ ଦିବସ ପ୍ରତ୍ୟେକ ବର୍ଷ ପାଳନ କରୁଥିବା ବେଳେ ଏହି ଗାଁର ଉନ୍ନତି ଏବଂ ଶହୀଦ ମାନଙ୍କୁ ଚିହ୍ନଟ କରିବା ସହ ବିଧିବଦ୍ଧ ଭାବେ ସରକାରୀ ସ୍ତରରେ ଶହୀଦ ଦିବସ ରୂପେ ଘୋଷଣା କରିବାକୁ ଦାବି କରିଛନ୍ତି ଗ୍ରାମବାସୀ ।

ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡା, ଇଟିଭି ଭାରତ

ABOUT THE AUTHOR

...view details