ଓଡିଶା

odisha

ETV Bharat / state

ସରକାରୀ ଯୋଜନାରୁ ବଞ୍ଚିତ ଆଈ, ଦୁଇ ନାତୁଣୀଙ୍କ ସହ ପର ଘରେ ଆଶ୍ରିତ - ମଙ୍ଗୁଳୀ ପାତ୍ର କାହାଣୀ

ପର ଘରେ ମୁଣ୍ଡ ଗୁଞ୍ଜିବାକୁ ବାଧ୍ୟ ଆଈ ମାଆଙ୍କ ସହିତ ଦୁଇ ନାତୁଣୀ । ତିନି ବର୍ଷରୁ ପ୍ଲିଣ୍ଟ ଲେବେଲରେ ରହିଛି ନିର୍ମାଣଧିନ ପ୍ରଧାନମନ୍ତ୍ରୀ ଆବାସ । ଅଧିକ ପଢନ୍ତୁ...

ସରକାରୀ ଯୋଜନାରୁ ବଞ୍ଚିତ ଆଇ, ଦୁଇ ନାତୁଣୀଙ୍କ ସହ ପର ଘରେ ଆଶ୍ରିତ
ସରକାରୀ ଯୋଜନାରୁ ବଞ୍ଚିତ ଆଇ, ଦୁଇ ନାତୁଣୀଙ୍କ ସହ ପର ଘରେ ଆଶ୍ରିତ

By

Published : Jun 13, 2021, 7:39 PM IST

ରାଇରଙ୍ଗପୁର:ପରଘରେ ମୁଣ୍ଡ ଗୁଞ୍ଜିବାକୁ ବାଧ୍ୟ ଆଈ ମାଆଙ୍କ ସହିତ ଦୁଇ ନାବାଳିକା ନାତୁଣୀ । ଏପରି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ବହଳଦା ବ୍ଲକ ଅନ୍ତର୍ଗତ ଗିଦିଘାଟୀ ଗ୍ରାମରେ। ବିଧବା ମଙ୍ଗୁଳି ପାତ୍ରଙ୍କ ନଡାଛପର କଚ୍ଚା ଘରଟି ମରାମତି ଅଭାବରୁ ଭାଙ୍ଗି ପଡିଥିବାବେଳେ ସରକାରୀ ଯୋଜନାରେ ମିଳିଥିବା ପ୍ରଧାନମନ୍ତ୍ରୀ ଆବାସ ଗୃହଟି ଦୀର୍ଘ 3 ବର୍ଷରୁ ନିର୍ମାଣଧିନ ଅବସ୍ଥାରେ ରହିଛି । ଫଳରେ ପଡୋଶୀଙ୍କ କବାଟ ଝରକା ନଥିବା ଏକ ପ୍ରଧାନମନ୍ତ୍ରୀ ଆବାସ ଗୃହର ଗୋଟିଏ କୋଠରୀରେ ଦିନ ବିତାଉଛନ୍ତି ଏହି ତିନି ପ୍ରାଣୀ।

ସରକାରୀ ଯୋଜନାରୁ ବଞ୍ଚିତ ଆଇ, ଦୁଇ ନାତୁଣୀଙ୍କ ସହ ପର ଘରେ ଆଶ୍ରିତ

ଦିବଙ୍ଗତ ଦ୍ରୀବ ପାତ୍ରଙ୍କ ୬୫ ବର୍ଷ ବୟସ୍କା ବିଧବା ପତ୍ନୀ ମଙ୍ଗୁଳୀ ପାତ୍ର, ତାଙ୍କ ଦୁଇ ନାବାଳିକା ନାତୁଣି ଜ୍ୟୋତ୍ସ୍ନା ପାତ୍ର (୧୫ ବର୍ଷ) ଏବଂ ପୁଷ୍ପା ପାତ୍ର (୧୦ ବର୍ଷ)ଙ୍କୁ ନେଇ ପଡୋଶୀଙ୍କ କବାଟ ଝରକା ଲାଗି ନଥିବା ଏକ ପ୍ରଧାନମନ୍ତ୍ରୀ ଆବାସ ଗୃହର ଏକ କୋଠରୀରେ ରହିବାକୁ ବାଧ୍ୟ ହେଉଥିବା ଦେଖିବାକୁ ମିଳିଛି । ମାଆ ଛେଉଣ୍ଡ ଏହି ଦୁଇ ନାବାଳିକାଙ୍କ ମାଆ ପର ପୁରୁଷ ହାତଧରି ଚାଲି ଯାଇଥିବା ବେଳେ ବାପା ଦାଦନ ଖଟିବାକୁ ଯାଇ ଗୁଜୁରାଟରେ ରହିଛନ୍ତି । ଫଳରେ ଦୁଇ ନାବାଳିକା ଏବେ ବିଧବା ଆଈ ମା'ଙ୍କ ଭରସାରେ ରହିଛନ୍ତି ।

ତେବେ ଏହି ବାସହରା ବିଧବା ମଙ୍ଗୁଳି ପାତ୍ରଙ୍କୁ ବିଧବା ଭତ୍ତା କିମ୍ବା ବାର୍ଦ୍ଧକ୍ୟ ଭତ୍ତା ଜୋନରେ ସାମିଲ କରାଯାଇ ନଥିବାରୁ ଭତ୍ତା ପାଇବାରୁ ମଧ୍ୟ ବଞ୍ଚିତ ଥିବା ଏହି ବିଧବା ମହିଳା ପରଘରେ ମୂଲ ଲାଗି ବହୁ କଷ୍ଟରେ ଦୁଇ ନାତୁଣୀଙ୍କୁ ନେଇ ଗୁଜୁରାଣ ମେଣ୍ଟାଉଥିବା ପ୍ରକାଶ କରିଛନ୍ତି। ଖାଦ୍ୟ ସୁରକ୍ଷା ଯୋଜନାରେ ମିଳିଥିବା ରାସନ କାର୍ଡରେ ମିଳୁଥିବା ଚାଉଳ ତକରେ କ୍ଷୁଧା ମେଣ୍ଟାଇ ଏମାନଙ୍କ ଦିନ କଟୁଥିବା ଦେଖିବାକୁ ମିଳିଛି।

ତେବେ ଠିକାଦାରଙ୍କ ଜରିଆରେ ସରକାରୀ ଆବାସ ଗୃହ ନିର୍ମାଣ କରାଯାଉଥିବା ବେଳେ ଠିକାଦାରଙ୍କ ମନମୁଖି କାର୍ଯ୍ୟ ଯୋଗୁଁ ବର୍ଷବର୍ଷ ଧରି ବହୁ ହିତାଧିକାରୀଙ୍କ ସରକାରୀ ଆବାସ ଗୃହ ଅସମ୍ପୂର୍ଣ୍ଣ ଭାବେ ପଡି ରହୁଥିବା ଦେଖିବାକୁ ମିଳୁଛି । ଦୁର୍ନୀତିରେ ଲିପ୍ତ ବିଭାଗୀୟ ଅଧିକାରୀ ଏବଂ କର୍ମଚାରୀଙ୍କ ଅବହେଳା କାରଣରୁ ଏପରି ପରିସ୍ଥିତି ଉପୁଜୁଥିବା ନେଇ ସାଧାଣରଣରେ ଚର୍ଚ୍ଚା ହେଉଥିବାବେଳେ ଅସହାୟ ଗରିବ ପରିବାରଙ୍କ ସମସ୍ୟାକୁ ଦୃଷ୍ଟିରେ ରଖି ଯଥାଶୀଘ୍ର ସରକାରୀ ଆବାସ ଗୃହ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ କରାଯିବା ସହିତ ବିଧବା ବୃଦ୍ଧା ମହିଳାଙ୍କୁ ସରକାରୀ ଯୋଜନାରେ ଭତ୍ତା ପ୍ରଦାନ କରାଯିବାକୁ ନେଇ ସାଧାରଣରେ ଦାବି ହେଉଛି।

ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡା, ଇଟିଭି ଭାରତ

ABOUT THE AUTHOR

...view details