ଓଡିଶା

odisha

ETV Bharat / state

ଗ୍ରାହମ ଷ୍ଟେନ୍ସ ହତ୍ୟାକାଣ୍ଡ: ଦାରା ସିଂ ସହଯୋଗୀ ବୁଦ୍ଧଦେବ ଗିରଫ - ଗ୍ରାହମ ଷ୍ଟେନ୍ସ ହତ୍ୟାକାଣ୍ଡ

ବହୁ ଚର୍ଚ୍ଚିତ ଗ୍ରାହମ ଷ୍ଟେନ୍ସ ହତ୍ୟାକାଣ୍ଡରେ ଧରା ପଡିଛି ଅନ୍ୟ ଏକ ଅଭିଯୁକ୍ତ । ମୁଖ୍ୟ ଅଭିଯୁକ୍ତ ଦାରା ସିଂର ସହଯୋଗୀ ବୁଦ୍ଧଦେବକୁ ଦୀର୍ଘ 20 ବର୍ଷ ପରେ ଗିରଫ କରିବାରେ ସଫଳ ହୋଇଛି କୋଲକାତା ସିବିଆଇ ।

ଫଟୋ ସୌଜନ୍ୟ: ପ୍ରତିନିଧି, ରାଇରଙ୍ଗପୁର

By

Published : Sep 21, 2019, 12:00 PM IST

Updated : Sep 21, 2019, 12:24 PM IST

ରାଇରଙ୍ଗପୁର: ବହୁ ଚର୍ଚ୍ଚିତ ଗ୍ରାହମ ଷ୍ଟେନ୍ସ ହତ୍ୟାକାଣ୍ଡରେ ଧରା ପଡିଛି ଅନ୍ୟ ଏକ ଅଭିଯୁକ୍ତ । ମୁଖ୍ୟ ଅଭିଯୁକ୍ତ ଦାରା ସିଂର ସହଯୋଗୀ ବୁଦ୍ଧଦେବ ନାଏକକୁ ଦୀର୍ଘ 20 ବର୍ଷ ପରେ ଗିରଫ କରିବାରେ ସଫଳ ହୋଇଛି କୋଲକାତା ସିବିଆଇ । ପୂର୍ବରୁ ବୁଦ୍ଧଦେବକୁ ଧରିବା ପାଇଁ ଅନେକ ଚେଷ୍ଟା କରାଯାଇଥିଲେ ମଧ୍ୟ ପ୍ରତିଥର ସିବିଆଇକୁ ଚକମା ଦେବାରେ ସଫଳ ହୋଇଥିଲା ବୁଦ୍ଧଦେବ ।

ହେଲେ ସମୟସମୟାନ୍ତରେ ଲୁଚି ଛପି ଘରକୁ ଆସୁଥିବା ଖବର ପାଇ ଜାଲ ବିଛାଇଥିଲା ସିବିଆଇ । ଯେଉଁଥିରେ ଶନିବାର ଭୋରୁ ଫସିଛି ଅଭିଯୁକ୍ତ ବୁଦ୍ଧଦେବ । ପୈତୃକ ଗ୍ରାମ ଭରାଣ୍ଡିଆ(ନିଶ୍ଚିତପୁର)ରୁ ଠାକୁରମୁଣ୍ଡା ଥାନା ପୋଲିସ ସହାୟତାରେ ବୁଦ୍ଧଦେବକୁ ଗିରଫ କରିଛି ସିବିଆଇ । ଏହା ପୂର୍ବରୁ ମୁଖ୍ୟ ଅଭିଯୁକ୍ତ ଦାରା ସିଂକୁ ପୋଲିସ ଗିରଫ କରିବାରେ ସଫଳ ହୋଇଥିବା ବେଳେ ତାକୁ ଫାଶୀ ଦଣ୍ଡାଦେଶ କରାଯାଇଥିଲା। ହେଲେ ପରବର୍ତ୍ତୀ ସମୟରେ ମାମଲାରେ ପୁନଃବିଚାର କରାଯାଇ ଦାରା ସିଂକୁ ଆଜୀବନ କାରାଦଣ୍ଡାଦେଶ ଶୁଣାଯାଇଥିଲା ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ରାଇରଙ୍ଗପୁର

ଘଟଣାକ୍ରମେ 1999 ମସିହାରେ କେନ୍ଦୁଝର ଜିଲ୍ଲା ମନୋହରପୁର ଗ୍ରାମରେ ମିଶିନାରୀ ଗ୍ରାହମ ଷ୍ଟେନ୍ସ ଓ ତାଙ୍କର ଦୁଇ ପୁଅଙ୍କୁ ଜିପ୍‌ରେ ନିଆଁ ଲଗାଇ ହତ୍ୟା କରାଯାଇଥିଲା । ଯାହା ସାରା ଦେଶରେ ପାଲଟିଥିଲା ଚର୍ଚ୍ଚାର ବିଷୟ । ଘଟଣାରେ କେନ୍ଦୁଝର ପୋଲିସ ତଦନ୍ତ କରି ମୁଖ୍ୟ ଅଭିଯୁକ୍ତ ଦାରା ସିଂ ଓ ତାଙ୍କର କିଛି ସହଯୋଗୀଙ୍କୁ ଗିରଫ କରିବାରେ ସଫଳ ହୋଇଥିଲା । ପରେ ମାମଲା ସିବିଆଇକୁ ହସ୍ତାନ୍ତର କରାଯାଇଥିଲା ।

ସିବିଆଇକୁ ହସ୍ତାନ୍ତର ହେବା ପରେ ହତ୍ୟାକାଣ୍ଡରେ ସମ୍ପୃକ୍ତ ଅନ୍ୟ 12 ଜଣଙ୍କୁ ଗିରଫ କରାଯାଇଥିଲା । ଏହି ସମୟରେ ମୁଖ୍ୟ ଅଭିଯୁକ୍ତକୁ ଫାଶୀ ଦଣ୍ଡାଦେଶ ଓ ଅନ୍ୟ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡାଦେଶ ଦିଆଯାଇଥିଲା । ହେଲେ ହାଇକୋର୍ଟର ଏହି ଦଣ୍ଡାଦେଶକୁ ଚ୍ୟାଲେଞ୍ଜ କରି ଅଭିଯୁକ୍ତଙ୍କ ଓକିଲ ମାମଲାର ପୁନଃ ବିଚାର ପାଇଁ ଅପିଲ କରିଥିଲେ ।

ପୁନଃ ବିଚାର ଆଧାରରେ ଗିରଫ 12 ଅଭିଯୁକ୍ତଙ୍କ ମଧ୍ୟରୁ 10 ଜଣଙ୍କୁ ନିର୍ଦ୍ଦୋଷରେ ଖଲାସ କରାଯାଇଥିବାବେଳେ ଦାରା ସିଂକୁ ଆଜୀବନ କାରାଦଣ୍ଡାଦେଶ ଦିଆଯାଇଥିଲା । ପରେ ସିବିଆଇ ସୁପ୍ରିମକୋର୍ଟର ଦ୍ବାରସ୍ଥ ହୋଇଥିଲା । ଯାହାର ବିଚାର ଆଜି ପର୍ଯ୍ୟନ୍ତ ଚାଲିଛି । ତେବେ ଦେଖିବା ବାକି ରହିଲା ଏହି ଜଘନ୍ୟ ହତ୍ୟାକାଣ୍ଡ ଭିଆଇଥିବା ଅଭିଯୁକ୍ତଙ୍କ ବିରୋଧରେ କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି ସୁପ୍ରିମକୋର୍ଟ ।

ରାଇରଙ୍ଗପୁରରୁ ସଞ୍ଜୟ ପରିଡା, ଇଟିଭି ଭାରତ

Last Updated : Sep 21, 2019, 12:24 PM IST

ABOUT THE AUTHOR

...view details