ରାଇରଙ୍ଗପୁର: ରାକ୍ଷୀ ପୂର୍ଣ୍ଣିମାରେ ଘଟିଲା ଅଘଟଣ । ଭାଇଙ୍କ ସହ ଗାଧୋଇବାକୁ ଯାଇ ବୁଡ଼ିଗଲା ଭଉଣୀ । ଖଡ଼ଖାଇ ନଦୀରେ ଅକାଳରେ ଚାଲିଗଲା ଏକ ନିଷ୍ପାପ ଶିଶୁକନ୍ୟାର ଜୀବନ । ଏଭଳି ଏକ ଦୁଃଖଦ ଘଟଣା ମୟୂରଭଞ୍ଜ ଜିଲ୍ଲା ବିଶୋଇ ଥାନା ଅନ୍ତର୍ଗତ କୁଡୁମଦା ଗ୍ରାମରେ ଘଟିଛି ।
ରାକ୍ଷୀ ପୂର୍ଣ୍ଣିମାରେ ଅଘଟଣ, ପୋଖରୀରେ ବୁଡ଼ି ଭଉଣୀ ମୃତ ରାକ୍ଷୀ ପୂର୍ଣ୍ଣିମା ଅବସରରେ ମାଆ ମାୟାବତୀ ଟୁଡୁ ନିଜ ପୁଅ ଝିଅଙ୍କୁ ନେଇ ଖଡ଼ଖାଇ ନଦୀକୁ ଗାଧୋଇବା ପାଇଁ ଯାଇଥିଲେ । ମା' ଗାଧୋଇ ସାରି ଘରକୁ ଫେରିଥିବା ବେଳେ ୪ ବର୍ଷର ଶିଶୁକନ୍ୟା ସାଉଁରି ଟୁଡୁ ଓ ଭାଇ ଚିତ୍ତରଞ୍ଜନ ଟୁଡୁ ନଦୀରେ ଗାଧୋଉଥିଲେ । ମାୟାବତୀ ଘରେ ପହଞ୍ଚିବା ପରେ କନ୍ୟା ସାଉଁରି ଟୁଡୁ ନଦୀରେ ଖସି ପଡି ନିଖୋଜ ହୋଇଯାଇଥିବା ସମ୍ପର୍କରେ ଖବର ପାଇ ନଦୀକୁ ଦୌଡ଼ି ଯାଇଥିଲେ । ତେବେ ସେଠାରେ ଲୋକେ ସାଉଁରିଙ୍କୁ ମୃତ ଅବସ୍ଥାରେ ଉଦ୍ଧାର କରିଥିବା ଜଣାପଡ଼ିଛି ।
ଭାଇ ଭଉଣୀ ନଦୀରେ ଗାଧୋଉଥିବା ବେଳେ ଭଉଣୀ ସାଉଁରିଙ୍କ ଗୋଡ଼ ଖସିଯିବାରୁ ସେ ବୁଡି ଯାଇଥିଲେ । ୪ ବର୍ଷର ଭଉଣୀଙ୍କୁ ୧୨ବର୍ଷର ଭାଇ ବହୁ ପ୍ରଚେଷ୍ଟା ସତ୍ତ୍ବେ ମଧ୍ୟ ବଞ୍ଚାଇନପାରି କାନ୍ଦି କାନ୍ଦି ଗ୍ରାମବାସୀଙ୍କୁ ଡାକିଥିଲେ । ଗ୍ରାମବାସୀ ଶିଶୁ କନ୍ୟାଟିକୁ ନଦୀରୁ ଭାସମାନ ଅବସ୍ଥାରେ ଉଦ୍ଧାର କରିଥିଲେ । ପରିବାର ଲୋକେ ରାଇରଙ୍ଗପୁର ହସ୍ପିଟାଲକୁ ଆଣିବା ପରେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତ ଶିଶୁକନ୍ୟା ଭାଇକୁ ରାକ୍ଷୀ ବାନ୍ଧିବ ବୋଲି ଖୁସିରେ ନଦୀକୁ ଗାଧୋଇବାକୁ ଯାଇଥିଲେ । ହେଲେ ବିଧିର ବିଧାନ କିଛି ଅଲଗା ଥିଲା । ଭାଇଙ୍କୁ ରାକ୍ଷୀ ବାନ୍ଧିବା ପୂର୍ବରୁ ଭଉଣୀ ଚାଲିଗଲେ ଆରପାରିକୁ । ଏହି ଦୁଃଖଦ ଖବର ଜଣାପଡି଼ବା ପରେ ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।
ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡ଼ା, ଇଟିଭି ଭାରତ