ବାରିପଦା: ପଲ୍ଲୀରୁ ଦିଲ୍ଲୀ ଯାତ୍ରା ସାକାର । କାଲି ଯାହା ସ୍ବପ୍ନ ଥିଲା, ଆଜି ତାହା ନେଇଛି ବାସ୍ତବତାର ରୂପ । ମୟୂରଭଞ୍ଜ ମୋରଡା ବ୍ଲକରୁ ସିଧା କେନ୍ଦ୍ରମନ୍ତ୍ରୀ ମାନ୍ୟତା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନୂଆ ଡ୍ରିମ୍ ଟିମରେ ସାମିଲ ହେବାପରେ ଏକ ପ୍ରକାର ମୟୂରଭଞ୍ଜବାସୀଙ୍କ ଡ୍ରିମ ହୋଇଛି ପୂରଣ । କାରଣ ଖୁଣ୍ଟାପାଳ ଗାଁର ଟାଇଲି ଛପର ଘରୁ ଦିନେ ଦେଶବାସୀଙ୍କ ସେବା ପାଇଁ ସାଂସଦ ବିଶ୍ବେଶ୍ବର ଟୁଡୁ ଦେଖିଥିବା ସ୍ବପ୍ନ ଆଜି ସାକାର ହୋଇଛି । ରାଜ୍ୟ ସରକାରଙ୍କ ଜଳସମ୍ପଦ ବିଭାଗର ଜଣେ ସାଧାରଣ କର୍ମଚାରୀରୁ ସିଧା ମିଳିଛି ଭାରତ ସରକାରଙ୍କ ଜଳ ଶକ୍ତି ବିଭାଗ ଦାୟିତ୍ବ । ଏହା ସହ ଆଦିବାସୀ ବ୍ୟାପାର ମନ୍ତ୍ରୀ ଭାବେ ଦାୟିତ୍ବ ନେଇଛନ୍ତି ଆଦିବାସୀ ପୁଅ ବିଶ୍ବେଶ୍ବର ଟୁଡୁ ।
1965 ମସିହା ମାର୍ଚ୍ଚ 28 ତାରିଖରେ ମୟୂରଭଞ୍ଜ ଜିଲ୍ଲା ମୋରଡା ବ୍ଲକ ସାନମୁଣ୍ଡାବାଣି ଗ୍ରାମପଞ୍ଚାୟତ ଖୁଣ୍ଟାପାଳ ଗାଁରେ ଜନ୍ମ ନିଅନ୍ତି ବିଶ୍ବେଶ୍ବର ଟୁଡୁ । ଖୁଣ୍ଟାପାଳ ପ୍ରାଥମିକ ବିଦ୍ୟାଳୟରୁ ପାଠପଢା ଆରମ୍ଭ କରି ପାରିଆକୂଲିରେ ହାଇସ୍କୁଲ୍ ଶିକ୍ଷା ଶେଷ କରନ୍ତି ଟୁଡୁ । ଏହାପରେ ରାଉରକେଲାରେ ଇଲେକ୍ଟ୍ରୋନିକ୍ସ ବିଭାଗରେ ଇଞ୍ଜିନିୟରିଂ ପାଠପଢା ଆଉ ତା ପରେ ରାଜ୍ୟ ସରକାରଙ୍କ ଜଳସମ୍ପଦ ବିଭାଗରେ ନିଯୁକ୍ତି । ମାତ୍ର ତାଙ୍କର ପେଶା ଠୁ ଜନସେବାରେ ଥିଲା ଅଧିକ ନିଶା ।