ଓଡିଶା

odisha

ETV Bharat / state

ପୋଖରୀରେ ବୁଡି ଶିଶୁ ମୃତ , ଅନ୍ୟ ଜଣେ ଗୁରୁତର - ମୟୂରଭଞ୍ଜରେ ଅଭାବନୀୟ ଘଟଣା

ଅଙ୍ଗନବାଡିରୁ ଫେରୁଥିବା ସମୟରେ ପୋଖରୀରେ ବୁଡିଗଲେ ଦୁଇ ଶିଶୁ। ଜଣେ ଶିଶୁ ମୃତ। ଅଧିକ ପଢନ୍ତୁ

four year old boy dies after drowning pond
four year old boy dies after drowning pond

By

Published : Jul 21, 2023, 2:59 PM IST

four year old boy dies after drowning pond

ରାଇରଙ୍ଗପୁର:ମୟୂରଭଞ୍ଜରେ ଅଭାବନୀୟ ଘଟଣା। ପୋଖରୀରେ ବୁଡି ଜଣେ ଶିଶୁର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଶିଶୁ ଗୁରୁତର । ଏଭଳି ଦୁଃଖଦ ଘଟଣା ଘଟିଛି ମହୁଲଡିହା ଥାନା ଅନ୍ତର୍ଗତ ଖେଳିଆପୋଷି ଗ୍ରାମରେ । ମୃତ ଶିଶୁ ହେଉଛି ଖେଳିଆପୋଷି ଗ୍ରାମର ଜୀବନ ନାଏକଙ୍କ ୪ ବର୍ଷର ପୁଅ ଶୁଭମ ନାଏକ ।

ମିଳିଥିବା ସୂଚନା ଅନୁଯାୟୀ, ଗୁରୁବାର ଶୁଭମ ନାଏକ ଏବଂ ଗ୍ରାମର ଟିକିନା ପୈଦାଙ୍କ ଛଅ ବର୍ଷର ଝିଅ ଭୂମି ପୈଦା ଘର ନିକଟସ୍ଥ ଅଙ୍ଗନବାଡ଼ି କେନ୍ଦ୍ରକୁ ପାଠ ପଢ଼ିବା ପାଇଁ ଯାଇଥିଲେ । ମଧ୍ୟାହ୍ନ ସାଢ଼େ 12ଟା ସମୟରେ ଅଙ୍ଗନବାଡ଼ି ଛୁଟି ହୋଇଥିଲା । ଏହାପରେ ସମସ୍ତ ଶିଶୁଙ୍କୁ ନିଜ ନିଜ ଘରକୁ ପଠାଇ ଦେଇଥିଲେ ଅଙ୍ଗନବାଡ଼ି କର୍ମୀ। ଚାରି ପାଞ୍ଚ ଜଣ ଶିଶୁ ଏକ ବିଲ ରାସ୍ତାରେ ନିଜ ଘରକୁ ଯାଉଥିବା ସମୟରେ ନିକଟରେ ଥିବା ପୋଖରୀ ରେ କୌଣସି କାରଣ ବଶତଃ ଦୁଇ ଜଣ ଶିଶୁ ପାଣିରେ ବୁଡି ଯାଇଥିଲେ।

ଏହା ଦେଖି ଅନ୍ୟ ଶିଶୁ ମାନେ ପାଟି କରିବାରୁ ନିକଟସ୍ଥ ବିଲରେ କାମ କରୁଥିବା ସ୍ଥାନୀୟ ଲୋକେ ଦୁଇ ଶିଶୁଙ୍କୁ ଉଦ୍ଧାର କରିଥିଲେ। ଏହାପରେ ଉଭୟଙ୍କୁ ଏକ ପିକ୍‌ଅପ ଭ୍ୟାନ ଯୋଗେ ଠାକୁରମୁଣ୍ଡା ମେଡ଼ିକାଲକୁ ନେଇଥିଲେ । ହେଲେ ସେଠାରେ ୪ ବର୍ଷର ଶିଶୁ ଶୁଭମକୁ ଡାକ୍ତର ମୃତ ଘୋଷଣା କରିଥିବା ବେଳେ ଅନ୍ୟ ଶିଶୁକନ୍ୟାର ଅବସ୍ଥା ଗୁରୁତର ରହିଛି । ପ୍ରାଥମିକ ଚିକିତ୍ସା କରାଯାଇ ପରେ ଅଧିକ ଚିକିତ୍ସା ନିମନ୍ତେ ଆନନ୍ଦପୁର ମେଡ଼ିକାଲକୁ ସ୍ଥାନାନ୍ତର କରିଥିଲେ ଡାକ୍ତର । ଶିଶୁକନ୍ୟାର ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିବା ସୂଚନା ମିଳିଛି ।

ଏହା ମଧ୍ୟ ପଢନ୍ତୁ-ଭାରସାମ୍ୟ ହରାଇ ପୋଖରୀ ଭିତରକୁ ଖସିଲା ଆମ୍ବୁଲାନ୍ସ, ଅଳ୍ପକେ ବର୍ତ୍ତିଲେ 4 ଜଣ

ଏପରି ଦୁଃଖଦ ଘଟଣା ଯୋଗୁଁ ଖେଳିଆପୋଷି ଗ୍ରାମରେ ଶୋକର ଛାୟା ଖେଳି ଯାଇଛି। ଖବର ପାଇ ଠାକୁରମୁଣ୍ଡା ବ୍ଳକର CDPO ଘଟଣାସ୍ଥଳରେ ପହଁଞ୍ଚି ଘଟଣା ସମ୍ପର୍କରେ ପଚାରି ବୁଝିଥିଲେ। ଏଥିସହ ଅଙ୍ଗନବାଡି ଛୁଟି ହୋଇ ଯାଇଥିବାରୁ ଅଙ୍ଗନବାଡ଼ି କର୍ମୀ ଛୁଆମାନଙ୍କୁ ଘରକୁ ମଧ୍ୟ ଛାଡି ଦେଇଥିବା କହିଥିଲେ ସିଡିପିଓ । ସେପଟେ ଅଙ୍ଗନବାଡ଼ି କର୍ମୀ ନିଜେ ସାଥିରେ ଶିଶୁଙ୍କୁ ନ ନେଇ ଏକୁଟିଆ ଛୋଟ ଛୋଟ ଛୁଆ ମାନଙ୍କୁ ଘରକୁ ଛାଡି ଦେଇଥିବାରୁ ଏପରି ଅଘଟଣ ଘଟିଥିବା ଅଭିଯୋଗ କରିଛନ୍ତି ମୃତ ଶିଶୁର ମାଆ । ତେବେ ଏହି ଘଟଣାକୁ ନେଇ ମହୁଲଡିହା ଥାନା ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଚଳାଇଛି ।

ଇଟିଭି ଭାରତ, ରାଇରଙ୍ଗପୁର

ABOUT THE AUTHOR

...view details