ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲା ଶିମିଳିପାଳ ପାଦଦେଶରେ ରହିଛି ବିଜାତଳା ବ୍ଲକ ସରଗଡା ପଞ୍ଚାୟତର ଆଦିବାସୀବହୁଳ ଗାଁ ସାରଣ୍ଡା । ଏହି ଗାଁର ସମାୟ ମୁଣ୍ଡାଙ୍କ ୭ ବର୍ଷର ପୁଅ ବିକାଶ ମୁଣ୍ଡାଙ୍କ ଦୁଃଖ କହିଲେ ନ ସରେ । ବିକାଶର ଭାଗ୍ୟରେ ନ ଥିଲା ମାଆର ସ୍ନେହ ମମତା । ଜନ୍ମ ହେବାର ୩ ମାସ ପରେ ମାଆ ଛେଉଣ୍ଡ ହୋଇଗଲା ପିଲାଟି । ଦୁନିଆ କ'ଣ ଜାଣିବା ଆଗରୁ ଏଇ ତିନି ମାସ ପୂର୍ବରୁ ବାପା ମଧ୍ୟ ଚାଲିଗଲେ ଆରପାରିକୁ । ପରିବାର କହିଲେ ଘରେ କେବଳ ୭୫ ବର୍ଷୀୟ ବୃଦ୍ଧ ଜେଜେବାପା ମଙ୍ଗଲ ମୁଣ୍ଡା । ବୟସର ଅପରାହ୍ନରେ ୭ ବର୍ଷର ନାତି ବିକାଶର ଲାଳନପାଳନ ଓ ଭବିଷ୍ୟତ କଥା ଚିନ୍ତା କରି କେବଳ କାନ୍ଦିବା ବ୍ୟତୀତ ଜେଜେବାପାଙ୍କ ନିକଟରେ ଅନ୍ୟ ବାଟ ନଥିଲା । ଏ ବୟସରେ କାମଧନ୍ଦା କରି ନପାରି କିପରି ନିଜ ସହିତ ନାତିର ପ୍ରତିପୋଷଣ କରିବେ ସେଥିପାଇଁ ନିରୁପାୟ ହୋଇ ଶେଷରେ ଜେଜେ ମଙ୍ଗଳ ମୁୁଣ୍ଡା ସରଗଡ଼ା ବନାଞ୍ଚଳ କାର୍ଯ୍ୟାଳୟର ଦ୍ୱାରସ୍ଥ ହୋଇଥିଲେ ।
ଦୁଃଖ ବୁଝିଲେ ବନପାଳ, ଅସହାୟ ପାଇଁ ସାଜିଲେ ସାହାରା - ଅସହାୟ ପିଲାଙ୍କୁ ସାହାଯ୍ୟ କଲେ ବନପାଳ
ବାପାମାଆ ଆରପାରିକୁ ଚାଲିଗଲା ପରେ ଅସହାୟ ହୋଇପଡିଲା ୭ ବର୍ଷ ବୟସର ବିକାଶ । ଗରିବ ବୁଢା ଜେଜେବାପା ନାତିର ଲାଳନ ପାଳନ ପାଇଁ ଚିନ୍ତାରେ ପଡିଗଲେ । ଦୁଇ ଜେଜେ-ନାତି ଦୁଃଖର ଦରିଆରେ ଭାସୁଥିବା ସମୟରେ ଏତିକି ବେଳେ ସାହାରା ସାଜିଲେ ବନପାଳ । ଦେଖନ୍ତୁ ମୟୂରଭଞ୍ଜ ଜିଲ୍ଲା ବିଜାତଳା ବ୍ଲକ ସାରଣ୍ଡା ଗାଁରୁ ଇଟିଭି ଭାରତର ଏହି ରିପୋର୍ଟ ।

ଜେଜେ-ନାତିଙ୍କ ଦୁଃଖ ଶୁଣି ନାତି ବିକାଶକୁ କୋଳେଇ ନେଇଥିଲେ ବନପାଳ ଜୀବନ ବଲ୍ଲଭ ପାତ୍ର । ସେବେଠୁ ସେ ପିଲାଟିର ସବୁ ଅଭାବ ଓ ଇଚ୍ଛାକୁ ପୁରା କରିଛନ୍ତି । କେବଳ ଡ୍ରେସ ପତ୍ର, ପାଠ୍ୟ ଉପକରଣ ଓ ଆର୍ଥିକ ସହାୟତା ପ୍ରଦାନରେ ସୀମିତ ନ ରହି ତାଙ୍କ ଉଜ୍ଜ୍ୱଳ ଭବିଷ୍ୟତ ଗଢିବା ଦାୟିତ୍ୱ ମଧ୍ୟ ନେଇଛନ୍ତି । ପିଲାଟି ପାଠ ପଢ଼ି ବଡ଼ ମଣିଷ ହୋଇ ଚାକିରୀ କରିବାକୁ ଇଚ୍ଛା ରଖିଥିବାରୁ ବନପାଳ ଗାଁ ସ୍କୁଲରୁ ଟିସି ବାହାର କରି ଜିଲ୍ଲାର ଭଲ ଭଲ ଆବାସିକ ବିଦ୍ୟାଳୟରେ ନାମ ଲେଖାଇବା ପାଇଁ ଆବେଦନ ମଧ୍ୟ କରିଛନ୍ତି । ଜଙ୍ଗଲ ସୁରକ୍ଷା ସହିତ ବିଭିନ୍ନ ସମୟରେ ସମାଜସେବୀ କାର୍ଯ୍ୟ କରି ଚର୍ଚ୍ଚାରେ ରହି ଆସୁଥିବା ବନପାଳ ଜୀବନ ବଲ୍ଲବ ବାପାମାଆ ଛେଉଣ୍ଡ ବିକାଶର ଦାୟିତ୍ଵ ଗ୍ରହଣ କରି ଅଞ୍ଚଳରେ ବେଶ୍ ପ୍ରଶଂସାର ପାତ୍ର ହୋଇପାରିଛନ୍ତି । ଏପରି ମହାନ କାର୍ଯ୍ୟ କରି ସେ ଅନ୍ୟମାନଙ୍କ ପାଇଁ ପ୍ରେରଣା ପାଲଟିବେ ନିଶ୍ଚିୟ ଏଥିରେ ସନ୍ଦେହ ନାହିଁ ।
ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡା, ଇଟିଭି ଭାରତ