ବାରିପଦା:ବାତ୍ୟା ୟସ ଦ୍ବାରା ଖୁବ୍ ପ୍ରଭାବିତ ହୋଇଛି ମୟୂରଭଞ୍ଜ ଜିଲ୍ଲା । ଲଗାଣ ବର୍ଷା ସାଙ୍ଗକୁ ପବନ ଜିଲ୍ଲାର ଅନେକ ସ୍ଥାନରେ ବ୍ୟାପକ କ୍ଷୟକ୍ଷତି ଘଟାଇଛି । ଏହି ପରିପ୍ରେକ୍ଷୀରେ ରାଜ୍ୟ ସରକାରଙ୍କ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଶୁକ୍ରବାର ମୟୂରଭଞ୍ଜ ଜିଲ୍ଲା ଗସ୍ତ କରିଛନ୍ତି । ସେଠାରେ ମନ୍ତ୍ରୀ ବାତ୍ୟା ଜନିତ କ୍ଷୟକ୍ଷତିର ସମୀକ୍ଷା କରିଛନ୍ତି ।
ଯୋଗାଣ ମନ୍ତ୍ରୀ ଶୁକ୍ରବାର ଦିନ 11ଟା ସମୟରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ସମୀକ୍ଷା ବୈଠକ କରିଛନ୍ତି । ବର୍ତ୍ତମାନ ଜିଲ୍ଲାରେ ବନ୍ୟା ସ୍ଥିତି ନାହିଁ । ବିଦ୍ୟୁତ ବିଭାଗ ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟ କରି ଜିଲ୍ଲାରେ ବାତ୍ୟା ଯୋଗୁଁ ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ ହୋଇଥିବା 75 ପ୍ରତିଶତ ସ୍ଥାନକୁ ବିଦ୍ୟୁତ ଯୋଗାଇ ଦେଇଛନ୍ତି ଏବଂ ଆଉ 25 ପ୍ରତିଶତ ସ୍ଥାନରେ 24 ରୁ 48 ଘଣ୍ଟା ମଧ୍ୟରେ ବିଦ୍ୟୁତ ସଂଯୋଗ ସ୍ବାଭାବିକ କରାଯିବ ବୋଲି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ କହିଛନ୍ତି ।