ବାରିପଦା:ଲଘୁଚାପ ଜନିତ ବର୍ଷା ସାଙ୍ଗକୁ ବନ୍ୟା ପରିସ୍ଥିତି ଯୋଗୁଁ ମୟୂରଭଞ୍ଜ ଜିଲ୍ଲାବାସୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଶୁକ୍ରବାର ମୟୂରଭଞ୍ଜ ଜିଲ୍ଲାରେ ପ୍ରବଳ ବର୍ଷା ଯୋଗୁଁ ବୁଢ଼ାବଳଙ୍ଗ, ଜମ୍ଭୀରା ଓ ଗଙ୍ଗାହାର ନଦୀରେ ଜଳସ୍ତର ବୃଦ୍ଧି ହୋଇଛି । ଯାହାକୁ ନେଇ ଆତଙ୍କିତ ଅବସ୍ଥାରେ ରହିଛନ୍ତି ଜିଲ୍ଲାବାସୀ ।
ତେବେ କୌଣସି ନଦୀରେ ଏ ପର୍ଯ୍ୟନ୍ତ ବିପଦ ସଙ୍କେତ ଉପରେ ବନ୍ୟାଜଳ ପ୍ରଭାବିତ ହୋଇ ନ ଥିବା ସୂଚନା ରହିଛି । ବୁଢ଼ାବଳଙ୍ଗ ନଦୀରେ ଜଳସ୍ତର ବୃଦ୍ଧି ହୋଇ ବାରିପଦା ସହର ମଧୁବନ ଅଞ୍ଚଳରେ ପାଣି ବଢିବା ଯୋଗୁଁ ପ୍ରଶାସନ ପକ୍ଷରୁ ତଳିଆ ଅଞ୍ଚଳ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଛି । ବନ୍ୟା ସ୍ଥିତି ପରଖିବା ପାଇଁ ମୟୁରଭଞ୍ଜ ଜିଲ୍ଲାପାଳ ଭିନିତ ଭରଦ୍ବାଜ ନିଜେ ଯାଇ ବାତ୍ୟା ଆଶ୍ରୟସ୍ଥଳୀ ବୁଲି ସ୍ଥିତି ପରଖିଛନ୍ତି ।