ରାଇରଙ୍ଗପୁର:ଦୀପାବଳିରେ ଅଘଟଣ। ଆଲୋକର ପର୍ବ ଦୀପାବଳିକୁ ନେଇ ଚାରିଆଡେ ଉତ୍ସବର ମାହୋଲ ଚାଲିଥିବା ବେଳେ ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ମୁଖ୍ୟ ରାସ୍ତାରେ ଥିବା ଇଲେକ୍ଟ୍ରୋନିକ୍ସ ଦୋକାନରେ ଭୟାବହ ଅଗ୍ନିକାଣ୍ଡ। ଘଟଣାସ୍ଥଳରେ ରାଇରଙ୍ଗପୁର ଅଗ୍ନିଶମ ବିଭାଗ ପହଞ୍ଚି ନିଆଁ ଲିଭାଇବା କାର୍ଯ୍ୟ ଜାରି ରଖିଥିଲା ।
ତେବେ ସୂଚନା ଅନୁଯାୟୀ, ଶ୍ରୀ ଇଲେକ୍ଟ୍ରୋନିକ୍ସ ଦୋକାନରେ ବିଳମ୍ବିତ ରାତି ରେ ନିଆଁ ଲାଗିଥିବା ଅନୁମାନ କରାଯାଉଛି । ଗତକାଲି ଦୋକାନ ମାଲିକ ମନୋରଞ୍ଜନ ମହାନ୍ତ ପୂଜା ସାରି ରାତିରେ ଦୋକାନ ବନ୍ଦ କରି ଘରକୁ ଯାଇଥିଲେ । ତେବେ ଆଜି ସକାଳୁ ତାଙ୍କ ଦୋକାନ ବନ୍ଦ ଥିବାବେଳେ ଦୋକାନ ରୁ ଧୂଆଁ ବାହାରିବା ଦେଖି ଆଖପାଖ ଲୋକେ ଦୋକାନ ମାଲିକ ଓ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଏନେଇ ଘଟଣା ସ୍ଥଳରେ ଦୋକାନ ମାଲିକ ପହଞ୍ଚି ଦୋକାନ ସଟର ଖୋଲି ଦେଖିବା ପରେ ଫ୍ରିଜ, ଏଲଇଡ଼ି ଟିଭି, ଏସି, କୁଲର, ଫେନ, ଇଣ୍ଡେକ୍ସନ ଚୁଲି ଆଦି ଦାମୀ ଇଲେକ୍ଟ୍ରୋନିକ୍ସ ଜିନିଷ ଗୁଡିକ ନିଆଁରେ ଜଳୁଥିବା ଦେଖିବାକୁ ପାଇଥିଲେ। ଏନେଇ ରାଇରଙ୍ଗପୁର ଅଗ୍ନିଶମବାହିନୀ ମଧ୍ୟ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇବା କାର୍ଯ୍ୟ ଜାରି ରଖିଥିଲା। ହେଲେ ସେତେବେଳେକୁ ସମସ୍ତ ଇଲେକ୍ଟ୍ରୋନିକ୍ସ ଜିନିଷ ଜଳି ପୋଡ଼ି ପାଉଁଶ ହୋଇ ଯାଇଥିଲା। ତେବେ ୨୫ ରୁ ୩୦ ଲକ୍ଷ ଟଙ୍କାର ଜିନିଷପତ୍ର ଜଳି ପୋଡ଼ି ନଷ୍ଟ ହୋଇ ଯାଇଥିବା ବେଳେ ଦୋକାନରେ ନିଆଁ ଲାଗିବାର କାରଣ ଅସ୍ପଷ୍ଟ ରହିଛି।