ରାଇରଙ୍ଗପୁର: କେନାଲ ଥାଇ ମଧ୍ୟ ପାଣି ପାଇଁ ଚିନ୍ତାରେ ଚାଷୀ । ମୌସୁମୀ ବର୍ଷା ଆବଶ୍ୟକ ପରିମାଣରେ ହେଉନାହିଁ। ଯାହା ବର୍ଷା ହୋଇଥିଲା ମଧ୍ୟ ଚାଷୀମାନେ ତଳି ପକାଇ ରୁଆ କାମ କରିଥିଲେ କିନ୍ତୁ ଏବେ ବର୍ଷା ଅଭାବରୁ ଏପର୍ଯ୍ୟନ୍ତ ବେଉସା କାମ ହୋଇ ପାରୁନାହିଁ। ଏଭଳି ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ବ୍ଲକ ଭାଲୁବସା ପଞ୍ଚାୟତର ନେଉତି ଗ୍ରାମରେ।
ଗ୍ରାମରେ ଖଡଖାଇ ଡ୍ୟାମର କେନାଲ ସଂଯୋଗ ହୋଇ ବହୁ ବର୍ଷ ବିତିଯାଇଥିଲେ ମଧ୍ୟ କେନାଲ ପାଣି ପାଇବାରୁ ବଞ୍ଚିତ ହେଉଛନ୍ତି ଗ୍ରାମବାସୀ। ସେପଟେ ବର୍ଷା ଅଭାବରୁ ଚାଷଜମି ଫାଟି ଆଁ କରିଥିବାବେଳେ ଚାଷଜମି ସହିତ ଲାଗିକି ରହିଛି କେନାଲ ତଥାପି ପାଣି ପାଇଁ ଆଜିବି ଚାଷୀ ବର୍ଷା ପାଣି ଉପରେ ନିର୍ଭରଶୀଳ। ବର୍ଷ ବର୍ଷ ଧରି ଭଗବାନ ଭରସାରେ କରିଆସୁଅଛନ୍ତି ଚାଷକାର୍ଯ୍ୟ।