ଭୁବନେଶ୍ବର: ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟରେ ସୁରକ୍ଷାକୁ ସୁଦୃଢ କର । ଏନେଇ ତୁରନ୍ତ ବ୍ୟାପକ ରଣନୀତି ଓ ପଦକ୍ଷେପ ନିଅ । ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଗତକାଲି ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ବସିଥିଲା ଗୁରୁତ୍ବପୂର୍ଣ୍ଣ ବୈଠକ । ବୈଠକରେ ନିଆଯାଇଥିବା ନିଷ୍ପତ୍ତିକୁ ତୁରନ୍ତ କାର୍ଯ୍ୟକାରୀ କରିବାକୁ ଆଜି ମଧ୍ୟ ବସିଛି ବୈଠକ । ଲୋକସେବା ଭବନରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ମୟୂରଭଂଜ ଜିଲ୍ଲା ପ୍ରଶାସନ, ବନ ବିଭାଗ ଓ ରାଜ୍ୟ ପ୍ରଶାସନର ବରିଷ୍ଠ ପଦାଧିକାରୀ ଉପସ୍ଥିତ ଥିଲେ । ପରବର୍ତ୍ତୀ ପଦକ୍ଷେପ ପାଇଁ ମୁଖ୍ୟ ଶାସନ ସଚିବ ଆବଶ୍ୟକ ନିର୍ଦ୍ଦେଶ ଓ ପରାମର୍ଶ ଦେଇଛନ୍ତି ।
ସଶସ୍ତ୍ର ଶିକାରୀଙ୍କ ଦ୍ବାରା ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟରେ ଦୁଇ ଜଣ ବନ କର୍ମଚାରୀଙ୍କ ଦୁଃଖଦ ମୃତ୍ୟୁ ହୋଇଛି । ଏହି ଅଭୟାରଣ୍ୟର ସୁରକ୍ଷା ପାଇଁ ଉଭୟ ସ୍ବଳ୍ପ ଏବଂ ଦୀର୍ଘମିଆଦୀ ଭିତ୍ତିରେ ପଦକ୍ଷେପ ଗ୍ରହଣ କରିବାର ଆବଶ୍ୟକତା ସଂପର୍କରେ ବିଶଦ ଆଲୋଚନା ହୋଇଛି । ମୁଖ୍ୟ ଶାସନ ସଚିବ କହିଛନ୍ତି ଯେ, ଓଡିଶାର ଶିମିଳିପାଳ ଅଭୟାରଣ୍ୟ ଆମ ଦେଶର ଗର୍ବ ଓ ଗୌରବ । ଏହାର ସୁରକ୍ଷା ପାଇଁ ସମସ୍ତଙ୍କର ସହଯୋଗ ନିତାନ୍ତ ଆବଶ୍ୟକ । ଅତୀତରେ ବନ୍ୟା ବାତ୍ୟା ଭଳି ବଡ ବଡ ବିପର୍ଯ୍ୟୟକୁ ମୁକାବିଲା କରିବାରେ ଓଡିଶା ସୁନାମ ଅର୍ଜନ କରିଛି । ନିକଟରେ ବାହାନଗା ରେଳ ଦୁର୍ଘଟଣାରେ ଉଦ୍ଧାର କାର୍ଯ୍ୟରେ ସ୍ଥାନୀୟ ଜନସାଧାରଣ ଓ ବିଭିନ୍ନ ଗୋଷ୍ଠୀ ଅଭୂତପୂର୍ବ ସହଯୋଗ ଦେଇଛନ୍ତି । ଶିମିଳିପାଳ ଅଭୟାରଣ୍ୟର ସୁରକ୍ଷା ପ୍ରସଙ୍ଗରେ ବନ ବିଭାଗରେ ଖାଲିଥିବା ପଦବୀଗୁଡିକ ପୂରଣ ପାଇଁ ନିଯୁକ୍ତି ପ୍ରକ୍ରିୟାକୁ ତ୍ବରାନ୍ବିତ କରାଯାଉଛି । ବର୍ତ୍ତମାନ ପରିପ୍ରେକ୍ଷୀରେ ଅଭୟାରଣ୍ୟ ଓ ଏହାର ଆଖପାଖ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ପାଇଁ ସମ୍ମିଳିତ ପ୍ରୟାସର ଆବଶ୍ୟକତା ରହିଛି ।
ବୈଠକରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇ ମୟୁରଭଂଜ ଜିଲ୍ଲାପାଳ, ଏସପି ଓ ବିଡିଓଙ୍କୁ ସମସ୍ୟାର ସମାଧାନ ପାଇଁ ସମ୍ମିଳିତ ପ୍ରୟାସ ଦିଗରେ ସମ୍ମନ୍ବିତ ଆକ୍ସନ ପ୍ଲାନ ଦେବାକୁ କୁହାଯାଇଛି । ସ୍ଥାନୀୟ ଭାଷାରେ ସୂଚନା, ଶିକ୍ଷା ଓ ଯୋଗାଯୋଗ ସାମଗ୍ରୀ ବିକଶିତ କରିବା ଏବଂ ଗ୍ରାମବାସୀଙ୍କ ସହ ନିୟମିତ ସଚେତନତା ବୈଠକ କରିବା ଉପରେ ଗୁରୁତ୍ୱ ଦିଆଯାଇଛି । ଜିଲ୍ଲାସ୍ତରରେ ସ୍ବେଚ୍ଛାସେବୀ ସଂଗଠନ, ସ୍ବୟଂ ସହାୟକ ଗୋଷ୍ଠୀଙ୍କ ସମ୍ପୃକ୍ତିରେ ସମନ୍ବୟ କକ୍ଷ ଖୋଲାଯାଇ ସଚେତନତା କାର୍ଯ୍ୟକ୍ରମକୁ ବ୍ୟାପକ କରାଯିବାକୁ କୁହାଯାଇଛି । ଆଇନ ଖିଲାପକାରୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୋଲିସ ଡିଜି କହିଛନ୍ତି । ଏହା ସହ ରାଜ୍ୟ ପ୍ରଶାସନର ନିଷ୍ପତ୍ତି ଅନୁସାରେ ଏହି ମିଶନର ସଫଳତା ପାଇଁ ପୋଲିସ ପ୍ରଶାସନର ସମସ୍ତ ସହଯୋଗ ରହିବ ବୋଲି ସେ କହିଛନ୍ତି ।
ପ୍ରଧାନ ମୁଖ୍ୟ ବନ ସଂରକ୍ଷକ (ବନ୍ୟପ୍ରାଣୀ) ଏବଂ ମୁଖ୍ୟ ବନ୍ୟପ୍ରାଣୀ ୱାର୍ଡେନ ଯୋଗଦେଇ ଶିମିଳିପାଳ ଅଭୟାରଣ୍ୟର ଗୁରୁତ୍ବ ସଂପର୍କରେ ସୂଚନା ଦେଇଛନ୍ତି । ଅଭୟାରଣ୍ୟ ସଂଲଗ୍ନ ଅଞ୍ଚଳରେ ୨୫୨ ଟି ଗ୍ରାମର ପ୍ରାୟ ୧୦ ହଜାରରୁ ଅଧିକ ଅଧିବାସୀ ଜଙ୍ଗଲ ସମ୍ପଦ ଉପରେ ନିର୍ଭର କରୁଛନ୍ତି । ଏଥିରୁ ୫ ଟି ଗ୍ରାମର ୨୫୦ ପରିବାରଙ୍କୁ ସଂପୂର୍ଣ୍ଣ ଭାବେ ଅନ୍ୟତ୍ର ସ୍ଥାନାନ୍ତର ପରେ ବସତି ବ୍ୟବସ୍ଥା କରାଯାଇସାରିଛି । ୧୯୭୩ ମସିହାରେ ଭାରତ ସରକାରଙ୍କ ଦ୍ବାରା ଆରମ୍ଭ କରାଯାଇଥିବା ଦେଶରେ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର ପ୍ରମୁଖ ୯ଟି ପ୍ରକଳ୍ପ ମଧ୍ୟରୁ ଏହା ଅନ୍ୟତମ । ଏଥିରେ ୧୨୦୦ ପ୍ରଜାତିର ଫୁଲ ଗଛ, ୯୭ ପ୍ରକାର ଅର୍କିଡ, ୬୦ ପ୍ରକାର ସରୀସୃପ, ୩୫୦ ପ୍ରକାର ପକ୍ଷୀ ଓ ୫୫ ପ୍ରକାର ସ୍ତନ୍ୟପାୟୀ ପ୍ରାଣୀ ଅଛନ୍ତି । ଏହି ଅଭୟାରଣ୍ୟ ଦେଶରେ ବିରଳ ପ୍ରଜାତିର ବାଘ ପାଇଁ ପ୍ରସିଦ୍ଧ । ଏହାର ସୁରକ୍ଷା ପାଇଁ ୬୦୦ରୁ ଉର୍ଦ୍ଧ୍ଵ ବନସୁରକ୍ଷା ସହାୟକ, ଆଖପାଖ ଅଂଚଳରୁ ନିୟୋଜିତ କରାଯାଇଥିବା ବେଳେ ଜଙ୍ଗଲରେ ନିଆଁ ଲିଭାଇବା ସମୟରେ ୨୦୦ ରୁ ଅଧିକ ଲୋକ ମୁତୟନ ରହିଥାନ୍ତି । ୮୦ ରୁ ଅଧିକ ଇକୋ ଉନ୍ନୟନ ପରିଷଦ ଜଙ୍ଗଲ ଡିଭିଜନ ସୀମାରେ ଗଠନ କରାଯାଇଛି ।