ରାଇରଙ୍ଗପୁର: ଶିମିଳିପାଳ ଅଭୟାରଣ୍ୟରେ ବନ କର୍ମଚାରୀ-ଶିକାରୀ ମୁହାଁମୁହିଁ । ଏନକାଉଣ୍ଟରରେ ଶିକାରୀ ନିହତ । ଶିମିଳିପାଳ ଅଭୟାରଣ୍ୟ ମଧ୍ୟରେ ଗତ ମାସ ୨୨ ତାରିଖ ଦିନ ବନବିଭାଗର ପାଟ୍ରୋଲିଂ ଚାଲିଥିବା ବେଳେ ଶିକାରୀ ଗୁଳିରେ ବିମଲ କୁମାର ଜେନା ନାମକ ଜଣେ ଫରେଷ୍ଟ ଗାର୍ଡଙ୍କ ମୃତ୍ୟୁ ଘଟିଥିଲା । ଏହି ଘଟଣା ପରେ ଶିମିଳିପାଳ ଅଭୟାରଣ୍ୟ ମଧ୍ୟରେ ବିଭିନ୍ନ ସମୟରେ ପୋଲିସ ଓ ବନବିଭାଗ ପକ୍ଷରୁ ମିଳିତ ଭାବେ କମ୍ବିଂ ଅପରେସନ ଜାରି ରହିଛି । ଶିମିଳିପାଳ ଅଭୟାରଣ୍ୟରେ ଗତ ବୁଧବାର ରାତିରେ କମ୍ବିଂ ଅପରେସନ ଚାଲିଥିବା ବେଳେ ବନ କର୍ମଚାରୀ ଓ ଶିକାରୀ ମୁହାଁମୁଁହି ହୋଇଥିଲେ । ଏହି ଘଟଣାରେ ଅତର୍କିତ ଭାବେ ଶିକାରୀମାନେ ତୀର ମାଡ଼ କରିଥିବାର କରିଥିବା ବେଳେ ବନବିଭାଗ କର୍ମଚାରୀମାନେ ଫାଙ୍କା ଗୁଳି ଚାଳନା କରିଥିଲେ । ଫଳରେ ଜଣେ ଶିକାରୀଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି ।
ସୂଚନା ଅନୁଯାୟୀ, ଗତ ବୁଧବାର ରାତିରେ ବନବିଭାଗର ବାଙ୍ଗିରିପୋଷି ଓ ଚହଲା ରେଞ୍ଜର ଅଧିକାରୀ ଏବଂ ବନ କର୍ମୀଚାରୀ ମିଳିତ ଭାବେ ଶିମିଳିପାଳ ଅଭୟାରଣ୍ୟର ତାଳବନ୍ଧ ଇଲାକାରେ କମ୍ବିଂ ଅପରେସନ ଜାରି ରଖିଥିଲେ । ଏହି ସମୟରେ ଶିକାରୀଙ୍କ ସହିତ ସାମ୍ନା ସାମ୍ନି ହୋଇଥିଲା ବନବିଭାଗ । ୧୫ରୁ ଊର୍ଦ୍ଧ୍ବ ଶିକାରୀ ଦେଶୀ ବନ୍ଧୁକ ଓ ଧନୁ ତୀର ଧରି ଶିମିଳିପାଳ ଅଭୟାରଣ୍ୟ ମଧ୍ୟରେ ଶିକାର କରିବା ପାଇଁ ଯାଇଥିବା ବେଳେ ବନ କର୍ମଚାରୀମାନଙ୍କ ସହ ମୁହାଁମୁହିଁ ହୋଇଥିଲେ ।