ରାଇରଙ୍ଗପୁର: ରାଜ୍ୟରେ ହାତୀ ମୃତ୍ୟୁରେ ବ୍ରେକ ଲାଗୁ ନାହିଁ । ବିପଦରେ ଗଜରାଜ । ପୁଣି ଏକ ହାତୀ ମୃତଦେହ ଉଦ୍ଧାର ହୋଇଛି । ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁରରେ ଏକ ହାତୀ କଙ୍କାଳ ଉଦ୍ଧାର ହୋଇଛି । ପାଟ୍ରୋଲିଂ ସମୟରେ ହାତୀ କଙ୍କାଳ ଉଦ୍ଧାର କରିଛି ବନ ବିଭାଗ । କେଉଁ ପରିସ୍ଥିତିରେ ହାତୀ ମୃତ୍ୟୁ ହେଲା ତାର କାରଣ ଖୋଜୁଛି ବନ ବିଭାଗ ।
ରାଇରଙ୍ଗପୁର ବାରିପଦା ବନଖଣ୍ଡ ଅଧିନ ବେତନଟୀ ରେଞ୍ଜ ଅନ୍ତର୍ଗତ ଅଶନବଣି ସଂରକ୍ଷିତ ଜଙ୍ଗଲର ଭଦ୍ରାଶୁଳ ଗ୍ରାମ ନିକଟରେ ଏକ ହାତୀ କଙ୍କାଳ ଉଦ୍ଧାର କରାଯାଇଛି। ଭଦ୍ରାଶୋଳ ସଂରକ୍ଷିତ ଜଙ୍ଗଲରୁ ସୋମବାର ଅପରାହ୍ନରେ ଏକ ୬ ମାସର ହାତୀ ଛୁଆର ଗଳିତ ମୃତଦେହକୁ ବନବିଭାଗର କର୍ମଚାରୀ ଠାବ କରିଥିଲେ। କିଛିଦିନ ପୂର୍ବରୁ ଝାଡଖଣ୍ଡୀ ହାତୀପଲ ଓଡିଶା ଅନୁପ୍ରବେଶ କରି ବେତନଟୀ ରେଞ୍ଜ ଅଧୀନ ଗୋଡିଗାଁ ବିଟ୍ କାର୍ଯ୍ୟାଳୟର ଭଦ୍ରାଶୋଳ ସଂରକ୍ଷିତ ଜଙ୍ଗଲ ଅଞ୍ଚଳରେ ରହିଥିଲେ। ତେବେ ଏହି ଜଙ୍ଗଲ ଗୁଡିକରେ ଚଳପ୍ରଚଳ ଏବଂ ରହଣି ସମୟରେ ଏକ ହାତୀ ଶାବକର ଜନ୍ମ ମଧ୍ୟ ହୋଇଥିଲା। ତେବେ ହାତୀପଲ ଭଦ୍ରାଶୋଳ ଜଙ୍ଗଲ ଛାଡି ଯାଉନଥିବା ବେଳେ ଶେଷରେ ୧୫ ତାରିଖ ବିଳମ୍ବିତ ରାତିରେ ପଶ୍ଚିମବଙ୍ଗ ପ୍ରତ୍ୟାବର୍ତ୍ତନ କରି ଯାଇଥିଲେ। ତେବେ ୧୦ ଦିନର ରହଣି ସମୟରେ ବନବିଭାଗ ପକ୍ଷରୁ ଜଙ୍ଗଲ ଭିତରକୁ ନଯିବାକୁ ଜଙ୍ଗଲ ପାର୍ଶ୍ଵବର୍ତ୍ତୀ ଗାଁଗୁଡିକରେ ଡାକବାଜି ଯନ୍ତ୍ର ଦ୍ବାରା ପ୍ରଚାର କରାଯାଇଥିବାରୁ କୌଣସି ଗ୍ରାମବାସୀ ଜଙ୍ଗଲ ଭିତରକୁ ଯାଉନଥିଲେ ।