ବାରିପଦା: ପୌର ନିର୍ବାଚନ ସରିବା ପରେ ଇଭିଏମ ସିଲ ନ ହେବାରୁ କୃଷ୍ଣଚନ୍ଦ୍ର ଗୋଲେଇରେ ଉତ୍ତେଜନା । ବାରିପଦା ପୌର ନିର୍ବାଚନରେ ଇଭିଏମ ମେସିନ ସିଲ ପରେ ଏଜେଣ୍ଟଙ୍କ ଦସ୍ତଖତ ନ କରାଇବା ଓ ପୋଲିସର ଅଶାଳୀନ ବ୍ୟବହାରକୁ ନେଇ ଉତେଜନା ପ୍ରକାଶ ପାଇଛି। ଜଣେ ପ୍ରାର୍ଥିନୀ ଅନ୍ୟ ବୁଥର ଇଭିଏମ ମେସିନକୁ ଅଟକ ରଖି ବାରିପଦା ସହର କୃଷ୍ଣଚନ୍ଦ୍ର ଗୋଲେଇରେ ଧାରଣା ଦେଇଥିଲେ। ଏଥିସହ ପୋଲିସର ଅଶାଳୀନ ବ୍ୟବହାରକୁ ନେଇ ଉତ୍ୟକ୍ତ ମହିଳା ମାନେ ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ। ଘଟଣା ସ୍ଥଳରେ ପୋଲିସ ଓ ତହସିଲଦାର ପହଞ୍ଚି ବୁଝାସୁଝା କରିବା ପରେ ସମସ୍ୟାର ସମାଧାନ ହୋଇଛି।
ଏହାକୁ ନେଇ କଂଗ୍ରେସ ଓ ଭାଜପା ଦଳର କର୍ମକର୍ତ୍ତା ମାନେ ବୁଥକୁ ଘେରି ରହିଥିବା ବେଳେ ପରିସ୍ଥିତି ଉତ୍ତେଜନା ପୂର୍ଣ୍ଣ ରହିଥିବା ନେଇ ସୂଚନା ମିଳିଥିଲା। ଏ ସଂକ୍ରାନ୍ତରେ କଂଗ୍ରେସ ପକ୍ଷରୁ ବାରିପଦା ଟାଉନ ଥାନାରେ ଏକ ଲିଖିତ ଅଭିଯୋଗ କରାଯାଇଛି। ସୂଚନା ଅନୁଯାୟୀ, ୱାର୍ଡ ନଂ ୬ ପାଇଁ ଶରତଚନ୍ଦ୍ର ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ୧୫ ଓ ୧୬ ନଂ ଦୁଇଟି ମତଦାନ କେନ୍ଦ୍ର କରାଯାଇଥିଲା। ୧୬ନଂ ବୁଥରେ ମତଦାନ ସରିବା ପରେ ଇଭିଏମ ମେସିନକୁ ସିଲ କରାଯାଇଥିଲା। ସିଲ ପରେ ଏଜେଣ୍ଟ ମାନଙ୍କ ଦସ୍ତଖତ ନନେଇ ଇଭିଏମ ବାକ୍ସକୁ ସ୍କୁଲର ପଛ ଫାଟକ ଦେଇ ନେଇ ଯାଇଥିଲେ। ଉକ୍ତ ଘଟଣାକୁ ନେଇ ଭାଜପାର କାଉନସିଲର ପ୍ରାର୍ଥିନୀ ପାୟଲ ରାୟଙ୍କ ସହ ସମର୍ଥକ ଏବଂ କଂଗ୍ରେସର ଏଜେଣ୍ଟ ଓ ସମର୍ଥକ ମାନେ ଏହାକୁ ନେଇ ପ୍ରଶ୍ନ ଉଠାଇଥିଲେ।