ଓଡିଶା

odisha

ETV Bharat / state

କାଳ ହେଲା ମର୍ଣ୍ଣିଂ ୱାକ, ରାସ୍ତାରେ ବୃଦ୍ଧାଙ୍କୁ କଚାଡି ମାରିଲା ଦନ୍ତା - ମୟୂରଭଞ୍ଜ ଖବର

ଝିଅକୁ ଘରକୁ ଆସିଥିଲେ ବୃଦ୍ଧା । ପ୍ରାତଃ ଭ୍ରମଣରେ ଯାଇଥିବା ବେଳେ କାଳ ରୂପରେ ଜଗିଥିଲା ଦନ୍ତା । ହାତୀ କଚାଡି ମାରିବାରୁ ବୃଦ୍ଧାଙ୍କ ମୃତ୍ୟୁ ହୋଇଛି । ମୟୂରଭଞ୍ଜରେ ଘଟିଛି ଏହି ଦୁଃଖଦ ଘଟଣା । ଅଧିକ ପଢନ୍ତୁ

Etv Bharat
Etv Bharat

By

Published : Jul 14, 2023, 12:46 PM IST

ରାଇରଙ୍ଗପୁର:ପୁଣି ଜୀବନ ନେଲା ଦନ୍ତା । ପ୍ରାତଃ ଭ୍ରମଣରେ ଯାଇଥିବା ବୃଦ୍ଧାଙ୍କୁ କଚାଡି ମାରିଲା ହାତୀ । ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ରେଞ୍ଜ ଅନ୍ତର୍ଗତ ସାରୁମୂଳା ଗାଁରେ ଏଭଳି ଦୁଃଖଦ ଘଟଣା ସାମ୍ନାକୁ ଆସିଛି । ମୃତକ ହେଲେ ପଶ୍ଚିମବଙ୍ଗର ଅଧର ପାତ୍ର । ସେ ଝିଅ ଘରକୁ ବୁଲିବାକୁ ଆସିଥିବା ବେଳେ ଘଟି ଯାଇଛି ଏପରି ଦୁଃଖଦ ଘଟଣା ।

ସୂଚନା ଅନୁଯାୟୀ, ପଶ୍ଚିମବଙ୍ଗ ରାଜ୍ୟର ନୟାଗ୍ରାମ ଥାନା ଅନ୍ତର୍ଗତ ବେଢାଝାଲର ଗ୍ରାମର ବୃଦ୍ଧା ଅଧର ପାତ୍ର ନିଜ ଝିଅ ଘରକୁ ବୁଲିବା ପାଇଁ ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ରେଞ୍ଜ ଅନ୍ତର୍ଗତ ସାରୁମୂଳା ଗାଁକୁ ଆସିଥିଲେ । ପ୍ରତିଦିନ ପରି ଆଜି(ଶୁକ୍ରବାର) ସକାଳୁ ବୃଦ୍ଧା ଜଣକ ଭୋର ସାଢେ ଚାରିଟା ସମୟରେ ପ୍ରାତଃ ଭ୍ରମଣରେ ବାହାରି ଥିଲେ । ସାରୁମୂଳା ଗାଁର ମାହାଲି ସାହି ଦେଇ ଚାଲି ଚାଲି ଯାଉଥିବା ସମୟରେ ରାସ୍ତା କଡ଼ରେ ଥିବା ବୁଦା ମୂଳରୁ ହଠାତ୍ ଏକ ଦନ୍ତାହାତୀ ତାଙ୍କ ସମ୍ମୁଖକୁ ଆସି ଯାଇଥିଲା ଓ ବୃଦ୍ଧା ଜଣକ ହାତୀ ହାବୁଡରେ ପଡି ଯାଇଥିଲେ । ଦନ୍ତାହାତୀଟି ଶୁଣ୍ଢରେ ବୃଦ୍ଧାଙ୍କୁ ଟାଣି ନେଇ ସେହି ଠାରେ ହିଁ କଚାଡି ଦେଇଥିଲା । ଫଳରେ ଘଟଣାସ୍ଥଳରେ ହିଁ ବୃଦ୍ଧା ଅଧର ପାତ୍ରଙ୍କ ପ୍ରାଣବାୟୁ ଉଡିଯାଇଥିଲା ।

ଗାଁ ସାହି ଲୋକେ ସେଠାରେ ପହଞ୍ଚି ତୁରନ୍ତ ରାସଗୋବିନ୍ଦପୁର ରେଞ୍ଜ ଅଫିସକୁ ଫୋନ ଯୋଗେ ଘଟଣା ସମ୍ପର୍କରେ ଅବଗତ କରାଇଥିଲେ । ପରେ ଖବର ପାଇ ରାସଗୋବିନ୍ଦପୁର ରେଞ୍ଜ ଅଧିକାରୀ ଓ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଥିଲେ। ତଦନ୍ତ ପରେ ମୃତଦେହକୁ ଉଦ୍ଧାର କରାଯାଇ ବ୍ୟବଚ୍ଛେଦ ନିମନ୍ତେ ବାରିପଦା ପିଆରଏମ ମେଡିକାଲକୁ ଅଣାଯାଇଛି । ଅନ୍ୟପଟେ ହାତୀ ଆକ୍ରମଣରେ ମୃତ୍ୟୁବରଣ କରିଥିବା ବୃଦ୍ଧାଙ୍କ ସମ୍ପର୍କୀୟ ବନବିଭାଗ ନିକଟରେ କ୍ଷତିପୂରଣ ରାଶି ପାଇଁ ଦାବି କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ:ଘରେ ଶୋଇଥିବା ବେଳେ ମହିଳାଙ୍କୁ ଦଳି ଦେଲା ଦନ୍ତା

ହାତୀ ମଣିଷ ଲଢେଇର ହେବ କି ଅନ୍ତ ! ସୁରକ୍ଷା ଅନୁଦାନ ଘୋଷଣା ପରେ ସାମାନ୍ୟ ଆଶ୍ବସ୍ତ ଲୋକେ

ସେହିପରି ଗତକାଲି(ଗୁରୁବାର) ରାସଗୋବିନ୍ଦପୁର ରେଞ୍ଜ ଅନ୍ତର୍ଗତ ଭରଡାଶୋଳ ମଧୁସାହି ଗ୍ରାମର ମନୋରଞ୍ଜନ ଦାସଙ୍କ ପରିବାର ଲୋକେ ଘରେ ଥିବା ବେଳେ ହଠାତ୍ ଏକ ହାତୀ ଓ ହାତୀ ଛୁଆ ତାଙ୍କ ଘର ଭାଙ୍ଗି ଦେଇଥିଲେ। ଘର ଭାଙ୍ଗିବା ସହ ଘରେ ଥିବା ଧାନ ଚାଉଳ ଖାଇ ଦେଇଥିଲା । ପରିବାର ଲୋକେ ସେଠାରୁ ଖସି ପଳେଇ ଯିବାରୁ ଅଳ୍ପକେ ବର୍ତ୍ତି ଯାଇଥିଲେ। ବାରମ୍ବାର ରାସଗୋବିନ୍ଦପୁର ରେଞ୍ଜ ଅଞ୍ଚଳରେ ହାତୀ ଆତଙ୍କ ବଢ଼ି ବଢ଼ି ଚାଲିଥିବା ବେଳେ ବନବିଭାଗ ପକ୍ଷରୁ ହାତୀ ଘଉଡ଼ାଇବାକୁ କୌଣସି ପଦକ୍ଷେପ ଗ୍ରହଣ କରାଯାଉ ନ ଥିବାରୁ ଯୋଗୁଁ ଅସନ୍ତୋଷ ପ୍ରକାଶ କରିଛନ୍ତି ଗ୍ରାମବାସୀ ।

ରାଇରଙ୍ଗପୁରରୁ ସଞ୍ଜୟ ପରିଡା, ଇଟିଭି ଭାରତ

ABOUT THE AUTHOR

...view details