ବାରିପଦା: କୋରୋନା ମହାମାରୀ ସମୟରେ ଆସିଛି ରଜ ପର୍ବ । ସମସ୍ତେ ଘରେ ରହି ରଜ ପାଳୁଥିବାବେଳେ ନିଜ କର୍ତ୍ତବ୍ୟରୁ ବିରତ ହୋଇ ନାହାଁନ୍ତି କୋରାେନା ଯୋଦ୍ଧା ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀ । ତେବେ କୋଭିଡରେ ଆକ୍ରାନ୍ତ ରୋଗୀ ମଧ୍ୟ ଏଥର ବଞ୍ଚିତ ହୋଇଛନ୍ତି ରଜ ମଉଜରୁ । ଏହିସବୁ ପରିସ୍ଥିତି ଭିତରେ କୋଭିଡ୍ ରୋଗୀଙ୍କ ମନରେ ଟିକେ ଖୁସି ଆଣି ଦେବାକୁ ତାଙ୍କ ସହ ରଜ ପାଳିଲେ ହସ୍ପିଟାଲ କର୍ମଚାରୀ। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ବାରିପଦା ବାଙ୍କୀଷୋଳ କୋଭିଡ୍ ହସ୍ପିଟାଲରେ ।
ବିଭିନ୍ନ ସମୟରେ ବାଙ୍କୀଷୋଳ କୋଭିଡ ହସ୍ପିଟାଲରେ ଅବ୍ୟବସ୍ଥାର ଚିତ୍ର ସାମ୍ନାକୁ ଆସିଥାଏ । କିନ୍ତୁ ଏବେ ଜିଲ୍ଲା ପ୍ରଶାସନ କୋଭିଡ ହସ୍ପିଟାଲରେ ରୋଗୀଙ୍କୁ ଉତ୍ତମ ଚିକିତ୍ସା ସେବା ଯୋଗାଇ ଦେଉଥିବାର ମଧ୍ୟ ଦେଖିବାକୁ ମିଳିଛି । ଆଉ ବର୍ତ୍ତମାନ ରଜ ପର୍ବରେ କୋଭିଡ ରୋଗୀଙ୍କୁ ପିଠା ଖୁଆଇ କେକ୍ କାଟି ନୃତ୍ୟର ତାଳେ ତାଳେ ଏକା ସଙ୍ଗେ ରଜ ମଉଜରେ ମସଗୁଲ ହେଲେ କୋଭିଡ୍ ରୋଗୀ, ଡାକ୍ତର ଓ ନର୍ସ।