ରାଇରଙ୍ଗପୁର: ଆଦିବାସୀ ଅଧ୍ୟୁଷିତ ଜିଲ୍ଲା ମୟୂରଭଞ୍ଜ । ଏଠାରେ ବାର ମାସରେ ତେର ପର୍ବ ପାଳନ ହୁଏ । ସେଥିମଧ୍ୟରୁ ସାନ୍ତାଳୀ ସମ୍ପ୍ରଦାୟର ଦିଶମ ବାହା ପର୍ବ ଅନ୍ୟତମ । ସାନ୍ତାଳୀ ଭାଷାରେ ଦିଶମ ବାହା ପର୍ବର ଅର୍ଥ ହେଉଛି ଅଞ୍ଚଳର ଫୁଲ ବାଙ୍ଗୁଣି ଉତ୍ସବ ବା ଅଞ୍ଚଳର ଫୁଲ ପୂଜା । ପ୍ରତିବର୍ଷ ଭଳି ଚଳିତ ବର୍ଷ ଜିଲ୍ଲାର ବିଶୋଇ ଠାରେ ଏହି ପର୍ବ ପାଳିତ ହୋଇଯାଇଛି । ରାଜ୍ୟର କୋଣ ଅନୁକୋଣରୁ ଶହ ଶହ ସଂଖ୍ୟାରେ ଆଦିବାସୀ ସମ୍ପ୍ରଦାୟର ଶ୍ରଦ୍ଧାଳୁ ଜାହିରା ଠାରେ ଠାକୁର ଦର୍ଶନ କରିବା ସହିତ ଆଶୀର୍ବାଦ ପ୍ରାପ୍ତ କରିଛନ୍ତି । ପ୍ରକୃତି ପୂଜକ ସାନ୍ତାଳୀ ସମ୍ପ୍ରଦାୟର ଲୋକେ ଫଗୁଣ ମାସର ପୂର୍ଣ୍ଣିମୀ ଦିନ ଏହି ପର୍ବକୁ ପାଳନ କରିଥାନ୍ତି । ବାହା ପର୍ବ ବା ଫୁଲ ପୂଜା ହେଉଛି ସାନ୍ତାଳୀ ସମ୍ପ୍ରଦାୟର ଏକ ବଡ଼ ପର୍ବ । ଫଗୁଣ ମାସରେ ଫଳୁଥିବା ନୁଆ ଫଳ, ଫୁଲ ଓ ପତ୍ରକୁ ଗାଁ ଜାହିରା ( ଧର୍ମ ପୀଠ)ରେ ପୂଜା କରାଯାଏ ।
ସାନ୍ତାଳୀ ପୂଜାରୀ ଗ୍ରାମର ଜାହିରାରେ ଠାକୁରଙ୍କୁ ସନ୍ତୁଷ୍ଟ କରିବା ପାଇଁ ସାନ୍ତାଳୀ ପାରମ୍ପରିକ ରୀତିନୀତି ଅନୁଯାୟୀ କଅଁଳ ଶାଳ ଫୁଲକୁ ପୂଜା କରିଥାନ୍ତି । ପୂଜା ପରେ ଶ୍ରଦ୍ଧାଳୁମାନେ ପୂଜାରୀଙ୍କ ଠାରୁ ସେହି ଫୁଲକୁ ଠାକୁରଙ୍କ ଆଶୀର୍ବାଦ ସ୍ବରୂପ ଗ୍ରହଣ କରିଥାନ୍ତି । ମହିଳା ଶ୍ରଦ୍ଧାଳୁମାନେ ପୂଜା ହୋଇଥିବା ଶାଳ ଫୁଲକୁ ମଥାରେ ଖୋସି ଧାର୍ମିକ ବିଧି ପାଳନ କରୁଥିବା ବେଳେ ପୁରୁଷ ଶ୍ରଦ୍ଧାଳୁମାନେ ଫୁଲକୁ କାନରେ ଲଗାଇଥାନ୍ତି । ପୂଜା ପରେ ଶ୍ରଦ୍ଧାଳୁମାନେ ଏକତ୍ରିତ ବସି ଭୋଗ ଖାଇବାର ଆନନ୍ଦ ଲାଭ କରିଥାନ୍ତି । ଜାହିରାରେ ପୂଜା କର୍ମ ସମ୍ପନ୍ନ କରି ଅଞ୍ଚଳର ସମସ୍ତ ଶ୍ରଦ୍ଧାଳୁ ଏକତ୍ରିତ ହୋଇ ମାଦଳର ତାଳେ ତାଳେ ପାରମ୍ପରିକ ନୃତ୍ୟ ଗୀତରେ ଝୁମି ଉଠି ପର୍ବକୁ ଆନନ୍ଦ ଉଲ୍ଲାସର ସହିତ ପାଳନ କରିଥାନ୍ତି । ଜାହିରା ପୀଠରେ ନାଚଗୀତ କରିବା ପରେ ବିଭିନ୍ନ ଛକରେ ପୂଜାରୀଙ୍କ ଗୋଡ଼ ଧୋଇ ସ୍ବାଗତ ଓ ଆଶୀର୍ବାଦ ଭିକ୍ଷା କରିଥାନ୍ତି ।