ରାଇରଙ୍ଗପୁର: ତେଜିଲା ନୂତନ ରାଇରଙ୍ଗପୁର ଜିଲ୍ଲା ଗଠନ ଦାବି । ରାଇରଙ୍ଗପୁର ଜିଲ୍ଲା କ୍ରିୟାନୁଷ୍ଠାନ କମିଟିର ବୈଠକ ଅନୁଷ୍ଠିତ । ବିଭିନ୍ନ ସଂଗଠନ ଏକତ୍ରିତ ହୋଇ ଜିଲ୍ଲା ଗଠନ ଆନ୍ଦୋଳନରେ ସାମିଲ ହେବାକୁ ଆହ୍ବାନ ଦିଆ ଯାଇଥିଲା । ନୂତନ ଜିଲ୍ଲା ଗଠନ ଦାବି ନେଇ ରାଷ୍ଟ୍ରପତି, ଓଡ଼ିଶାର ରାଜ୍ୟପାଳ ଓ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ଦାବିପତ୍ର ପ୍ରଦାନ କରାଯାଇଛି ।
ମୟୂରଭଞ୍ଜ ଜିଲ୍ଲା ଓଡ଼ିଶାର ସର୍ବବୃହତ ଜିଲ୍ଲା ଭାବେ ବେଶ ପରିଚିତ । ମୟୂରଭଞ୍ଜ ଜିଲ୍ଲାର ଚାରୋଟି ଉପଖଣ୍ଡ ମଧ୍ୟରୁ ରାଇରଙ୍ଗପୁର (ବାମନଘାଟି) ଉପଖଣ୍ଡ ଅନ୍ୟତମ । ରାଇରଙ୍ଗପୁର ଉପଖଣ୍ଡରେ ରହିଛି ନିଜର ପୌରପାଳିକା ଅଞ୍ଚଳ ସମେତ ସାତଗୋଟି ବ୍ଲକ ଓ ଆଠ ଗୋଟି ପୋଲିସ ଷ୍ଟେସନ । ରାଇରଙ୍ଗପୁର ଉପଖଣ୍ଡର କିଛି ବ୍ଲକଗୁଡ଼ିକରୁ ଜିଲ୍ଲା ମୁଖ୍ୟାଳୟ ବାରିପଦା ୧୦୦ କିଲୋମିଟରରୁ ଅଧିକ ଥିବାରୁ ଯାତାୟାତ ପାଇଁ ଏହି ଅଞ୍ଚଳର ଲୋକେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହୁଅନ୍ତି । ତେବେ ବିଭିନ୍ନ ସମସ୍ୟାକୁ ଦୃଷ୍ଟିରେ ରଖି ରାଇରଙ୍ଗପୁର ଜିଲ୍ଲା ଗଠନ ନେଇ ଦାବି ହୋଇ ଆସୁଛି । ଦିନକୁ ଦିନ ତେଜିବାରେ ଲାଗିଛି ରାଇରଙ୍ଗପୁର ଜିଲ୍ଲା ଗଠନ ଦାବି । ଏନେଇ ପୁଣି ଥରେ ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ସହରର କଲ୍ୟାଣୀ ମଣ୍ଡପ ଠାରେ ଜିଲ୍ଲା କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଏକ ବୈଠକର ଆୟୋଜନ କରା ଯାଇଥିଲା । ରାଇରଙ୍ଗପୁର ଜିଲ୍ଲା କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଦଳଗତ ନିର୍ବିଶେଷରେ ସମସ୍ତ ରାଜନୈତିକ ଦଳ, ଉପଖଣ୍ଡର ଜନସାଧାରଣ ଓ ବିଭିନ୍ନ ସଂଗଠନ ଏକତ୍ରିତ ହୋଇ ଜିଲ୍ଲା ଗଠନ ଆନ୍ଦୋଳନରେ ସାମିଲ ହେବାକୁ ଆହ୍ବାନ ଦିଆ ଯାଇଥିଲା । ଏଥି ସହିତ ରାଇରଙ୍ଗପୁର ଉପଖଣ୍ଡର ସମସ୍ତ ସଂଗଠନ, ରାଜନୈତିକ ଦଳ ଓ ବରିଷ୍ଠ ନାଗରିକମାନେ ନୂତନ ଜିଲ୍ଲା ସମ୍ବନ୍ଧରେ ନିଜ ନିଜ ଅଭିଭାଷଣ ରଖିଥିଲେ ।