ରାଇରଙ୍ଗପୁର: ରାଇରଙ୍ଗପୁର ରେଳଷ୍ଟେସନ ନିକଟରେ ଟ୍ରେନରେ କଟି ବୃଦ୍ଧଙ୍କ ମୃତ୍ୟୁ ଘଟିବାର ଦଶ ଘଣ୍ଟାରୁ ଊର୍ଦ୍ଧ୍ବ ସମୟ ବିତି ଯାଇଥିଲେ ମଧ୍ୟ ପ୍ରଶାସନର ଦୃଷ୍ଟି ପଡିନଥିଲା । ଅବହେଳା ଯୋଗୁଁ ବୃଦ୍ଧଙ୍କ ମୃତଦେହ ସେହି ରେଳଲାଇନ ଉପରେ ପଡିରହିଥିବା ଦେଖିବାକୁ ମିଳିଥିଲା ।
ରେଳଧାରଣାରେ 10 ଘଣ୍ଟାରୁ ଉର୍ଦ୍ଧ୍ବ ସମୟ ପଡିରହିଲା ମୃତଦେହ - rairangpur railway station
ରାଇରଙ୍ଗପୁର ରେଲୱେ ଷ୍ଟେସନ ନିକଟରେ ଅଭାବନୀୟ ଘଟଣା । ଟ୍ରେନରେ କଟି ବୃଦ୍ଧଙ୍କ ମୃତ୍ୟୁ ଘଟିବାର ଦଶ ଘଣ୍ଟାରୁ ଉର୍ଦ୍ଧ୍ବ ସମୟ ବିତି ଯାଇଥିଲେ ମଧ୍ୟ ପ୍ରଶାସନର ଦୃଷ୍ଟି ପଡିନଥିଲା । ସଂଧ୍ୟାରେ ଜିଆରପି ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରିଛି ।
ରାଇରଙ୍ଗପୁର ଟାଉନ ଥାନା ଅଧିନ ଇଚିଣ୍ଡାର ନରେଶ ମହାନ୍ତ ଦୀର୍ଘ ଦିନରୁ କ୍ୟାନସର ରୋଗରେ ଆକ୍ରାନ୍ତ ହୋଇ ମାନସିକ ଚାପରେ ରହୁଥିଲେ। ତେବେ କଷ୍ଟ ସହି ନ ପାରି ଆତ୍ମହତ୍ୟା କରିବା ପାଇଁ ଟ୍ରେନ ତଳେ ଯାଇ କଟି ଯାଇଥିବା ପରିବାର ଲୋକଙ୍କ ଠାରୁ ସୂଚନା ମିଳିଛି । ସକାଳ ୬ଟାରୁ ବୃଦ୍ଧଙ୍କ ମୃତଦେହ ରେଳ ଲାଇନରେ ପଡିଥିବାର ଖବର ଜଣାପଡିବା ପରେ ମଧ୍ୟ ରେଳବାଇ ପୋଲିସର ଦେଖା ଦର୍ଶନ ନଥିଲା । ସେହି କଟା ମୁଣ୍ଡ ଉପର ଦେଇ ଟ୍ରେନ ଚଳାଚଳ କରୁଥିବାର ଦେଖିବାକୁ ମିଳିଥିଲା । ତେବେ ଦଶ ଘଣ୍ଟାରୁ ଉର୍ଦ୍ଧ୍ବ ମୃତଦେହ ପଡି ରହିବା ପରେ ରାଉଲକେଲା ଡିଭିଜନ ଝରାଡିହି ଆଉଟପୋଷ୍ଟରୁ ଜିଆରପି ପୋଲିସ ସନ୍ଧ୍ୟା ପ୍ରାୟ ୫ଟାରେ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରିଥିଲେ । ରାତି ୨ଟାରୁ ୩ଟା ମଧ୍ୟରେ ବାଦାମପାହାଡରୁ ଟାଟାନଗର ଯାଉଥିବା ମାଲବାହୀ ଟ୍ରେନରେ ଏହି ଦୁର୍ଘଟଣା ଘଟିଥିବା ତଦନ୍ତରୁ ଜଣାପଡିଛି ।
ଜିଆରପି ପୋଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ରାଇରଙ୍ଗପୁର ଡାକ୍ତରଖାନା ପଠାଇଥିଲେ । ଶନିବାର ମୃତଦେହ ବ୍ୟବଚ୍ଛେଦ ହେବ ବୋଲି ସୂଚନା ମିଳିଛି।
ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡା, ଇଟିଭି ଭାରତ