ଓଡିଶା

odisha

ETV Bharat / state

ଡାହାଣୀ ସନ୍ଦେହ; ପୁତୁରା ବୋହୂକୁ ତୀର ମାଡ଼ କଲେ କକା ଶ୍ବଶୁର

ଗୁଣି ଗାରେଡି ସନ୍ଦେହରେ ପୁତୁରା ବୋହୂକୁ ତୀର ମାରି ଆକ୍ରମଣ କଲେ କକା ଶ୍ବଶୁର । ଅଧିକ ପଢ଼ନ୍ତୁ

daughter in law attacked by uncle
ଡାହାଣୀ ସନ୍ଦେହରେ ବୋହୂକୁ ତୀର ମାଡ଼

By

Published : May 26, 2023, 5:26 PM IST

ପୁତୁରା ବୋହୂକୁ ତୀର ମାଡ଼ କଲେ କକା ଶ୍ବଶୁର

ରାଇରଙ୍ଗପୁର: ଆଧୁନିକ ଯୁଗରେ ବି ଅନ୍ଧବିଶ୍ବାସର ଅନ୍ଧ ଗଳିରେ ମଣିଷ । ଅନ୍ଧବିଶ୍ବାସକୁ ନେଇ ଘଟାଇ ଚାଲିଛନ୍ତି ଗୋଟିଏ ପରେ ଗୋଟିଏ ଜଘନ୍ୟ କାଣ୍ଡ । ମୟୂରଭଞ୍ଜ ଜିଲ୍ଲାରେ ପୁଣି ଦେଖିବାକୁ ମିଳିଛି ଏପରି ଏକ ଅଭାବନୀୟ ଘଟଣା । ଡାହାଣୀ ସନ୍ଦେହ କରି ନିଜ ପୁତୁରା ବୋହୂକୁ ତୀର ମାଡ଼ କଲେ କକା ଶ୍ବଶୁର । ତୀର ମାଡ଼ରେ ପୁତୁରା ବୋହୂଙ୍କୁ ଗୁରୁତର ଅବସ୍ଥାରେ ରାଇରଙ୍ଗପୁର ମେଡିକାଲରେ ଭର୍ତ୍ତି କରାଯାଇଛି । ମୟୂରଭଞ୍ଜ ଜିଲ୍ଲା ବିଶୋଇ ଥାନା ମଣଦା ଫାଣ୍ଡି ଅନ୍ତର୍ଗତ ରାଧାନଗର ଗ୍ରାମରେ ଏଭଳି ଘଟଣା ଘଟିଛି ।


ସୂଚନା ଅନୁଯାୟୀ, ବିଶୋଇ ଥାନା ଅନ୍ତର୍ଗତ ରାଧାନଗର ଗ୍ରାମର ପୁର୍ତ୍ତିଙ୍କ ସ୍ତ୍ରୀ ଶୁକୁରମଣୀ ପୁର୍ତ୍ତି ନିଜ ତିନି ବର୍ଷର ଝିଅ ସହିତ ଗୁରୁବାର ଦିନ ବିଶୋଇ ଥାନା ଅନ୍ତର୍ଗତ ମଣଦା ସ୍ଥିତ ସାପ୍ତାହିକ ହାଟକୁ ଆସିଥିଲେ। ହାଟରେ ପରିବା ପତ୍ର କିଣି ସାରି ସନ୍ଧ୍ୟା ପ୍ରାୟ ୫.୩୦ ରୁ ୬.୦୦ ସମୟ ମଧ୍ୟରେ ରାଧାନଗର ସ୍ଥିତ ନିଜ ଘରକୁ ଫେରୁଥିଲେ। ଘର ପାଖାପାଖି ପହଞ୍ଚି ଥିବା ବେଳେ ହଠାତ ଏକ ତୀର ଆସି ଶୁକୁରମଣୀ ପୁର୍ତ୍ତିଙ୍କ ବାମ ପଟ ପେଟରେ ବାଜିଥିଲା । ଶୁକୁରମଣୀଙ୍କ ନିଜ କକା ଶ୍ବଶୁର ଲକ୍ଷ୍ମଣ ପୁର୍ତ୍ତି ଏକ ଧନୁ ସାହାଯ୍ୟରେ ତାଙ୍କୁ ହତ୍ୟା କରିବା ପାଇଁ ତୀର ମାଡ଼ କରିଥିବା ଅଭିଯୋଗ ହୋଇଛି । ତୀର ପେଟରେ ବାଜିବା ପରେ ସେ ଚିତ୍କାର କରି ତଳେ ପଡି ଯାଇଥିଲେ। ସ୍ଥାନୀୟ ଲୋକଙ୍କ ସହିତ ଗାଁର ୱାର୍ଡ଼ ମେମ୍ବର ସେଠାରେ ପହଞ୍ଚି ଗୁରୁତର ଅବସ୍ଥାରେ ଶୁକୁରମଣୀଙ୍କୁ ଉଦ୍ଧାର କରି ମଣଦା ସ୍ବାସ୍ଥ୍ୟ ଗୋଷ୍ଠୀ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ସଙ୍କଟାପନ୍ନ ହେବାରୁ ଆମ୍ବୁଲାନ୍ସ ଯୋଗେ ରାଇରଙ୍ଗପୁର ଡାକ୍ତରଖାନାକୁ ପଠାଯାଇଥିଲା । ତେବେ ରାଇରଙ୍ଗପୁର ଡାକ୍ତରଖାନାରେ ଚିକିତ୍ସାଧିନ ଥିବାବେଳେ ବିପଦରୁ ମୁକ୍ତ ଥିବା ଡାକ୍ତର ସୂଚନା ଦେଇଛନ୍ତି । ଆକ୍ରମଣ ଶିକାର ହୋଇଥିବା ଶୁକୁରମଣୀ କହିଛନ୍ତି, " ଡାହାଣୀ ସନ୍ଦେହରେ କକା ଶ୍ବଶୁର ତୀର ମାଡ଼ କରିଛନ୍ତି । ତାଙ୍କ ପରିବାର ସଦସ୍ୟଙ୍କୁ ବାରମ୍ବାର ଜ୍ବର ଆସୁଥିବାରୁ ମୋତେ ଡାହାଣୀ ବୋଲି ସନ୍ଦେହ କରି ତୀର ମାଡ଼ କରାଯାଇଛି ।"

ଘଟଣା ସମ୍ପର୍କରେ ପୀଡିତାଙ୍କ ପରିବାର ଲୋକେ ବିଶୋଇ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ପାଇ ବିଶୋଇ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିବା ସହିତ ଅଭିଯୁକ୍ତ ଲକ୍ଷ୍ମଣ ପୁର୍ତ୍ତିକୁ ଗିରଫ କରି ଧନୁତୀରକୁ ଜବତ କରିଛି । ଆଜି ଅଭିଯୁକ୍ତ ଲକ୍ଷ୍ମଣର ଡାକ୍ତରୀ ପରୀକ୍ଷା ପରେ ରାଇରଙ୍ଗପୁର କୋର୍ଟ ଚାଲାଣ କରାଯିବ ବୋଲି ସୂଚନା ଦେଇଛନ୍ତି ବିଶୋଇ ଥାନା ଅଧିକାରିଣୀ ମିନି ଭୋଇ ।

ଇଟିଭି ଭାରତ, ରାଇରଙ୍ଗପୁର

ABOUT THE AUTHOR

...view details