ରାଇରଙ୍ଗପୁର:ଟିକସ ଫାଙ୍କିଥିବା ଅଭିଯୋଗରେ ସିଟି ଓ ଜିଏସଟି ବିଭାଗର ଚଢ଼ାଉ । ରାଇରଙ୍ଗପୁର ସହରର ଦୁଇଟି ବଡ଼ ବଡ଼ ସଂସ୍ଥା ଆପୋଲୋ ଇଲେକ୍ଟ୍ରିକାଲ ଓ ଅନୁରାଧା ସେଲ୍ସ ଉପରେ ସିଟି ଓ ଜିଏସଟି ଏନଫୋର୍ସମେଣ୍ଟ ଟିମ ଚଢ଼ାଉ କରିଛି । ପୂର୍ବରୁ ଉକ୍ତ ଦୁଇଟି ସଂସ୍ଥା ଟ୍ୟାକ୍ସ ଫାଙ୍କୁଥିବା ନେଇ ଅଭିଯୋଗ ହୋଇ ଆସୁଥିଲା । ଏପରି ଅଭିଯୋଗ ପାଇବା ପରେ ବାଲେଶ୍ବର ଓ ମୟୂରଭଞ୍ଜର ସିଟି ଓ ଜିଏସଟି ଏନଫୋର୍ସମେଣ୍ଟ ଟିମର 10 ଜଣିଆ ଟିମ ଏକା ସାଙ୍ଗରେ ଗତକାଲି 5ଟି ସ୍ଥାନରେ (ବୁଧବାର) ଚଢ଼ାଉ କରିଥିଲା ।
ଆପୋଲୋ ଇଲେକ୍ଟ୍ରିକାଲରେ ଚଢ଼ାଉ ସମୟରେ ରାଇରଙ୍ଗପୁର ଗୋଶାଳା ଭିତରେ ମଧ୍ୟ ଗୋଦାମ କରାଯାଇଥିବା ଖବର ସାମ୍ନାକୁ ଆସିଥିଲା । ଏହାପରେ ଗୋଶାଳାରେ ମଧ୍ୟ ଜିଏସଟି ଟିମ ଚଢ଼ାଉ କରିଥିଲା । ସେହିପରି ଅନୁରାଧା ସେଲ୍ସରେ ଚଢ଼ାଉ ପରେ ହନୁମାନ ବାଟିକାରେ ଥିବା ଗୋଦାମ ଗୃହ ଓ ବନ୍ଧନ ବ୍ୟାଙ୍କ ନିକଟରେ ଥିବା ଗୋଦାମ ଗୃହରେ ଏକକାଳୀନ ଚଢ଼ାଉ କରାଯାଇଥିଲା । ସକାଳ 11ଟା 45 ମିନିଟ ସମୟରୁ ସିଟି ଜିଏସଟି ବିଭାଗ ପକ୍ଷରୁ ଉକ୍ତ ଦୁଇଟି ସଂସ୍ଥାର ପାଞ୍ଚଟି ସ୍ଥାନରେ ଚଢ଼ାଉ କରାଯାଇଥିବା ବେଳେ ସନ୍ଧ୍ୟା ପର୍ଯ୍ୟନ୍ତ ଜାରି ରହିଥିଲା ।
ତେବେ ଗୋଦାମ ଓ ଦୋକାନରେ ଥିବା ସମସ୍ତ ଷ୍ଟକର ଡାଟା ଓ ଜିଏସଟି କାଗଜପତ୍ର ସହିତ ଏହି ସମ୍ବନ୍ଧୀୟ ଅନ୍ୟାନ୍ୟ ଜାଗଜପତ୍ର ଗୁଡିକ ମଧ୍ୟ ଜବତ କରାଯାଇଛି । ପରେ କାଗଜପତ୍ରର ଯାଞ୍ଚ କରାଯାଇ ଫାଇନ ଆଦାୟ କରାଯିବ ବୋଲି ସୂଚନା ଦେଇଛନ୍ତି ମୟୂରଭଞ୍ଜ ସିଟି ଓ ଜିଏସଟି ଏନଫୋର୍ସମେଣ୍ଟର ଡେପୁଟି କମିସନର କୁଳମଣି ମଲ୍ଲିକ ।