ରାଇରଙ୍ଗପୁର: ପୁଣି ଜୀବନ ନେଲା ବିଷଧର ସାପ । ରାତିରେ ଶୋଇଥିବା ବେଳେ ବିଷାକ୍ତ ସାପ କାମୁଡ଼ାରେ ଦେଢବର୍ଷ ଶିଶୁର ମୃତ୍ୟୁ ଘଟିଥିବା ବେଳେ ମାଆ ଗୁରୁତର ହୋଇଛନ୍ତି । ଗୁରୁତର ଅବସ୍ଥାରେ ତାଙ୍କୁ ବାରିପଦା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ମୟୂରଭଞ୍ଜ ଜିଲ୍ଲା ଶରତ ଥାନା ଅନ୍ତର୍ଗତ କଟୁରିଆ ଗ୍ରାମରେ ଏଭଳି ଦୁଃଖଦ ଘଟଣା ଘଟିଛି ।
ସୂଚନା ଅନୁଯାୟୀ, ଶରତ ଥାନା ଅନ୍ତର୍ଗତ କଟୁରିଆ ଗ୍ରାମର ବାସିନ୍ଦା ଜଗା ମହାକୁଡ଼ଙ୍କ ଘରେ ଗତକାଲି (ସୋମବାର) ବିଳମ୍ବିତ ରାତିରେ ଏହି ଅଘଟଣ ଘଟିଛି । ଜଗା ମହାକୁଡ଼ ଓ ତାଙ୍କ ସ୍ତ୍ରୀ ମିନତୀ ମହାକୁଡ଼ ନିଜର ଦେଢ଼ ବର୍ଷର ଶିଶୁପୁତ୍ର ଘନ ସହିତରାତିରେ ନିଜ ଘରେ ଶୋଇଥିଲେ । ଉଭୟ ମାଆ ଓ ପୁଅ ମଶାରୀ ଟାଙ୍ଗି ଘରେ ଶୋଇଥିବା ବେଳେ ବିଳମ୍ବିତ ରାତିରେ ଏକ ବିଷାକ୍ତ ସାପ ସେମାନଙ୍କୁ କାମୁଡ଼ି ଦେଇଥିଲା । ହଠାତ୍ ନିଦ ଭାଙ୍ଗି ଯିବାରୁ ଘର ଭିତରେ ଏକ ଚିତି ସାପ ଥିବାର ପରିବାର ଲୋକେ ଦେଖିବାକୁ ପାଇଥିଲେ । ପରେ ଆମ୍ବୁଲାନ୍ସକୁ ଖବର ଦିଆ ଯାଇଥିଲା । ହେଲେ ଆମ୍ବୁଲାନ୍ସ ଆସିବାରେ ବିଳମ୍ବ ହେବାରୁ ଜଗା ମହାକୁଡ଼ ଭୋରରୁ ଉଭୟ ମାଆ ଓ ପୁଅଙ୍କୁ ଉଦଳା ଡାକ୍ତରଖାନାକୁ ଚିକିତ୍ସା ଲାଗି ନେଇ ଯାଇଥିଲେ । କିନ୍ତୁ ସେଠାରେ ଡାକ୍ତର ଶିଶୁପୁତ୍ର ଟିକୁ ମୃତ ଘୋଷଣା କରିଥିଲେ । ଏଥି ସହିତ ଗୁରୁତର ଅବସ୍ଥାରେ ଥିବା ମିନତୀର ପ୍ରାଥମିକ ଚିକିତ୍ସା କରାଯିବା ପରେ ସ୍ବାସ୍ଥ୍ୟାବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ ବାରିପଦା ପିଆରଏମ ମେଡ଼ିକାଲ କଲେଜ ଓ ହସ୍ପିଟାଲ ସ୍ଥାନାନ୍ତରିତ କରାଯାଇଥିଲା । ସେଠାରେ ମିନତୀଙ୍କ ଚିକିତ୍ସା ଜାରି ରହିଥିବା ଡାକ୍ତରଙ୍କ ପକ୍ଷରୁ ସୂଚନା ମିଳିଛି ।