ବାରିପଦା:ମୟୂରଭଞ୍ଜ ଜିଲ୍ଲାରେ ମଙ୍ଗଳବାର ଠାରୁ ଆରମ୍ଭ ହୋଇଛି ବିଶ୍ୱ ପ୍ରସିଦ୍ଧ ଛଉନୃତ୍ୟ ମହୋତ୍ସବ । ଚୈତ୍ର ପର୍ବ ଅବସରରେ ବୀର ବାଦ୍ୟର ତାଳେ ତାଳେ ଛଉ କଳାକାରଙ୍କ ନୃତ୍ୟରେ ଦୁଲୁକିଛି ଛଉ ପଡ଼ିଆର ମଞ୍ଚ । ପ୍ରଥମ ଦିନରେ ଗ୍ରାମାଞ୍ଚଳର ଛଉ ନୃତ୍ୟ ପରିବେଷଣ ହୋଇଥିବା ବେଳେ କଳାକାରଙ୍କ ଚମତ୍କାର ନୃତ୍ୟ ପରିବେଷଣ ଦର୍ଶକଙ୍କୁ ଘଣ୍ଟା ଘଣ୍ଟା ଧରି ବାନ୍ଧି ରଖିଥିଲା । ମଙ୍ଗଳବାର ସନ୍ଧ୍ୟାରେ ମୟୂରଭଞ୍ଜ ଛଉ ପ୍ରତିଷ୍ଠାନର ସଭାପତି ତଥା ମୟୂରଭଞ୍ଜ ଜିଲ୍ଲାପାଳ ବିନୀତ ଭରଦ୍ୱାଜଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦଘାଟନୀ ଉତ୍ସବରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଭାରତୀ ହାଁସଦାଃ, ପୂର୍ବତନ ମନ୍ତ୍ରୀ ତଥା ବାଙ୍ଗିରିପୋଷି ବିଧାୟକ ସୁଦାମ ମାରାଣ୍ଡି, ମୋରଡ଼ା ବିଧାୟକ ରାଜକିଶୋର ଦାସ, ଆରକ୍ଷୀ ଅଧୀକ୍ଷକ ଋଷିକେଶ ଡି ଖିଲାରୀଙ୍କ ସମେତ ସମସ୍ତ ପ୍ରଶାସନିକ ଅଧିକାରୀଙ୍କ ଉପସ୍ଥିତ ଥିଲେ ।
ଛଉ ନୃତ୍ୟର ଇତିହାସ: ଛଉ ନୃତ୍ୟର ତାଳେ ତାଳେ ମହୁରୀର ବୀର ଦର୍ପର ସ୍ୱର ମୟୂରଭଞ୍ଜ ମାଟିକୁ ଏକ ସ୍ବତନ୍ତ୍ର ପରିଚୟ ଦେଇଛି । ମୟୂରଭଞ୍ଜ ଛଉନୃତ୍ୟର ଉତ୍ପତ୍ତିକୁ କେନ୍ଦ୍ର କରି ପଣ୍ଡିତମାନଙ୍କ ମଧ୍ୟରେ ମତ ପାର୍ଥକ୍ୟ ଅନୁଯାୟୀ ସୈନ୍ୟ ବାହିନୀ ରଣାଙ୍ଗନରେ ନଥିବା ସମୟରେ ଅବସର ଚିତ୍ତବିନୋଦନ ଉଦ୍ଦେଶ୍ୟରେ ଆଖଡ଼ା ଆୟୋଜନ ହେଉଥିଲା । ତହିଁରୁ ଛଉନୃତ୍ୟର ଉତ୍ପତ୍ତି ବୋଲି କୁହାଯାଏ । ଏଥିସହିତ ଛଉକୁ ତା ସହିତ ସଂପୃକ୍ତ କରାଯାଏ । ଯୁଦ୍ଧ ସହିତ ସଂପୃକ୍ତ ଥାଇ ଯେଉଁ ଲୋକନୃତ୍ୟର ଉତ୍ପତ୍ତି ହୋଇଛି ତାହା ଆଜି ଛଉ ନାମରେ ପରିଚିତ ।
ମୟୂରଭଞ୍ଜ ଜିଲ୍ଲାରେ ଛଉନୃତ୍ୟ ଚୈତ୍ରପର୍ବର ମୁଖ୍ୟ ଆକର୍ଷଣ । ଛଉନୃତ୍ୟ ପରମ୍ପରା ବିଗତ ଦୁଇ ଶତାଦ୍ଦୀର ଇତିହାସରେ ସମୃଦ୍ଧ । ଛଉନୃତ୍ୟର ବିକାଶ ଦିଗରେ ମୟୂରଭଞ୍ଜ ରାଜପରିବାରର ଭୂମିକା ଅତି ମହତ୍ୱପୂର୍ଣ୍ଣ । ପ୍ରଥମେ ରାଜାଙ୍କ କନିଷ୍ଠ ଭାଇ ବୃନ୍ଦାବନ ଚନ୍ଦ୍ର ଭଞ୍ଜ ନିଜେ ନାଚିବା ସହିତ ଉତ୍ତରସାହିର କଳାକାରମାନଙ୍କୁ ନୃତ୍ୟ ଶିକ୍ଷା ଦେଉଥିଲେ । ସେହିପରି ଦକ୍ଷିଣସାହି ସହିତ ସଂଶ୍ଳିଷ୍ଟ ଥିଲେ ଗୋକୁଳଚନ୍ଦ୍ର ଭଞ୍ଜ । ରାଜତନ୍ତ୍ରର ଅବସାନ ପରେ ସ୍ୱାଧୀନ ଭାରତରେ ଛଉନୃତ୍ୟକୁ ଅଭିନବ ରୂପରେ ପ୍ରଯୋଜନା କରାଯିବା ଫଳରେ ନାରୀମାନେ ନୃତ୍ୟାଙ୍ଗନକୁ ଆସିଥିଲେ ଓ ଛଉନୃତ୍ୟର ଆଭିମୁଖ୍ୟ ପରିବର୍ତ୍ତିତ ହୋଇଥିଲା । ଦଳବଦ୍ଧ ଭାବେ ବହୁ ସଂଖ୍ୟାରେ କଳାକାରମାନେ ନୃତ୍ୟ କରିବା ଆରମ୍ଭ କଲେ ଓ ନୂତନ ବିଷୟ ବସ୍ତୁ ଉପରେ ନୃତ୍ୟ ପ୍ରଯୋଜିତ ହୋଇଥିଲା ।