ରାଇରଙ୍ଗପୁର: ଆଜିଠୁ(ଗୁରୁବାର) ସମୂହ ଛୁଟିରେ ରହିବେ ଅମଲା କର୍ମଚାରୀ । ଏଭଳି କିଛି ଚେତାବନୀ ଦେଇଛି ଜିଲ୍ଲା ମିଳିତ ଅମଲା ମଞ୍ଚ । ପୂର୍ବରୁ ଦରମା ବୃଦ୍ଧି ଦାବିରେ ଜିଲ୍ଲାସ୍ତରୀୟ ଅମଲା କର୍ମଚାରୀ ମାନେ କଳା ବ୍ୟାଚ ପରିଧାନ କରିଥିଲେ । ହେଲେ ସରକାର ସେମାନଙ୍କ ଦାବି ନଶୁଣିବାରୁ ଆଜି ଠାରୁ ସମୂହ ଛୁଟିରେ ଯିବାକୁ ସେମାନେ ନିଷ୍ପତ୍ତି ନେଇଛନ୍ତି । ଫଳରେ ସରକାରୀ କାର୍ଯ୍ୟ ପ୍ରଭାବିତ ହୋଇପାରେ ।
ମୟୂରଭଞ୍ଜ ଜିଲ୍ଲା ମିଳିତ ଅମଲା ମଞ୍ଚ ତରଫରୁ ଗତ ୨୨ ତାରିଖରୁ ଦରମା ବୃଦ୍ଧି ଦାବି ନେଇ କଳା ବ୍ୟାଚ ପରିଧାନ କରାଯାଇଥିଲା । ଦରମା ବୃଦ୍ଧିକୁ ନେଇ ପୂର୍ବରୁ ଅମଲା ମଞ୍ଚ ତରଫରୁ ରାଜ୍ୟ ସରକାରଙ୍କ ନିକଟରେ ଦାବି ଉପସ୍ଥାପନ କରିଥିଲେ । ହେଲେ ରାଜ୍ୟ ସରକାର ଏ ଦିଗରେ ବର୍ତ୍ତମାନ ସୁଦ୍ଧା କର୍ଣ୍ଣପାତ କରି ନାହାନ୍ତି ଅଥବା କୌଣସି ପଦକ୍ଷେପ ଗ୍ରହଣ କରି ନାହାନ୍ତି ବୋଲି ସେମାନେ କହିଛନ୍ତି । ଫଳରେ ଏଭଳି ନିଷ୍ପତ୍ତି ନେଇଛନ୍ତି ଅମଲା ସଂଘ ।
ଅମଲା ସଂଘ ଆବାହକ ଅସିତ କୁମାର ମହାକୁଡ କହିଛନ୍ତି,"ଏପ୍ରିଲ ୨୧ ତାରିଖ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା । ଦାବି ପୂରଣ ନେଇ ସରକାରଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ପ୍ରକାଶ ନପାଇବାରୁ ଚଳିତ ମାସ ୧ ତାରିଖ ସରକାରଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯାଇଥିଲା । ହେଲେ ସରକାରଙ୍କ ପକ୍ଷରୁ କୌଣସି ପ୍ରତି ଉତ୍ତର ନପାଇ କଳାବ୍ୟାଚ୍ ପରିଧାନ କରାଯାଇଛି । କନିଷ୍ଠ ସହାୟକଙ୍କ ମୂଳ ଦରମା ୪୨୦୦ଟଙ୍କା ଗ୍ରେଡକୁ ବୃଦ୍ଧି କରାଯାଉ । ଲେବେଲ ୪ରୁ ଲେବେଲ-୯କୁ ବୃଦ୍ଧି କରାଯାଉ । ସରକାର ଦାବି ପୂରଣ ନକଲେ ବାଧ୍ୟ ହୋଇ ଜୁନ ୧ରୁ ଅମଲା ସମୂହ ଛୁଟିରେ ଯିବୁ । ଏହାକୁ ନେଇ ଜନ ସାଧାରଣଙ୍କ ସାହଯୋଗ ଲଡିଛି ଅମଲା ସଂଘ ।’’