ବାରିପଦା :ବାରିପଦାରୁ ବ୍ରାଉନ ସୁଗାର ଜବତ । ସହରର ଶୁନଗଡ଼ିଆରୁ ୧୮୨ ଗ୍ରାମ ବ୍ରାଉନ ସୁଗାର ଜବତ କରିଛି ରାଜ୍ୟ ଅବକାରୀ ବିଭାଗର ଟିମ୍ । ଏହି ଘଟଣାରେ ଜଣେ ମହିଳାକୁ ମଧ୍ୟ ଗିରଫ କରାଯାଇଛି । ଗିରଫ ହୋଇଥିବା ମହିଳା ଜଣକ ହେଲେ ସ୍ଥାନୀୟ ଅଞ୍ଚଳର ହାପୋ ଘଡେଇ (୩୦) । ଗିରଫ ମହିଳାଙ୍କୁ କୋର୍ଟ ଚାଲାଣ କରାଯାଇଛି ।
ସୂଚନା ଅନୁସାରେ, ବାରିପଦା ସହରରେ ଚାଲିଛି ବେଧଡକ ବ୍ରାଉନସୁଗାର ବ୍ୟାପାର । ବହୁଦିନ ଧରି ସହର ଭିତରେ ଧଳା ଜହର କବଳରେ ଯୁବପୀଢିରୁ ଆରମ୍ଭ କରି ବୟସ୍କ ପର୍ଯ୍ୟନ୍ତ କବଳିତ ଥିଲେ । ସହରର ଶୁନଗଡିଆ ଅଞ୍ଚଳରେ ବ୍ରାଉନସୁଗାର କାରବାର ଚାଲୁଥିବା ନେଇ ଖବର ପାଇଥିଲେ ରାଜ୍ୟ ଅବକାରୀ ବିଭାଗର ଟିମ୍ । ଏନେଇ ରାଜ୍ୟ ଅବକାରୀ ବିଭାଗର ଫ୍ଲାଇଂ ସ୍କ୍ବାଡ୍ର ସୁପରିଟେଣ୍ଡେଣ୍ଟ ସିଦ୍ଧେଶ୍ୱର ବେହେରାଙ୍କ ନେତୃତ୍ୱରେ ୨ଟି ୧୨ ଜଣିଆ ସ୍ବତନ୍ତ୍ର ଫ୍ଲାଇଂ ସ୍କ୍ବାଡ୍ ଟିମ୍ ସୋମବାର ସକାଳୁ ସହରର ବିଭିନ୍ନ ସ୍ଥାନରେ ଚଢାଉ କରିଥିଲେ । ଚଢାଉ ସମୟରେ ୨୦ ନମ୍ବର ୱାର୍ଡର ଶୁନଗଡିଆ ଅଞ୍ଚଳରୁ ପାଖାପାଖି ୧୮୨ ଗ୍ରାମ ବ୍ରାଉନସୁଗାର ଜବତ କରିଥିଲେ । ଯାହାର ଆନୁମାନିକ ମୂଲ୍ୟ ୧୮ ଲକ୍ଷ ୨୦ ହଜାର ଟଙ୍କା ହେବ ବୋଲି ବିଭାଗୀୟ ସୁତ୍ରରୁ ସୂଚନା ମିଳିଛି । ଏହି ବ୍ରାଉନସୁଗାର କାରବାରରେ ସମ୍ପୃକ୍ତ ଥିବା ହାପୋ ଘଡେଇ ନାମକ ମହିଳାକୁ ଗିରଫ କରାଯାଇଛି ।