ଓଡିଶା

odisha

ETV Bharat / state

ଆଦିବାସୀଙ୍କ ଉନ୍ନତି ନାଁରେ ଚାଲିଛି ଶୋଷଣ, ITDA କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ - ଭଞ୍ଜସେନା

ITDAରେ ଚାଲିଥିବା ଅବ୍ୟବସ୍ଥାକୁ ନେଇ ସ୍ବର ଉତ୍ତୋଳନ କରିବା ସହିତ କାର୍ଯ୍ୟାଳୟ ଘେରାଉ କଲା ଭଞ୍ଜସେନା। ଅଧିକ ପଢନ୍ତୁ

ଆଇଟିଡିଏ କାର୍ଯ୍ୟାଳୟ ଘେରାଉ କଲା ଭଞ୍ଜସେନା
ଆଇଟିଡିଏ କାର୍ଯ୍ୟାଳୟ ଘେରାଉ କଲା ଭଞ୍ଜସେନା

By

Published : May 29, 2023, 5:01 PM IST

ଆଇଟିଡିଏ କାର୍ଯ୍ୟାଳୟ ଘେରାଉ କଲା ଭଞ୍ଜସେନା

ରାଇରଙ୍ଗପୁର: ସମ୍ୱନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା (ITDA) କାର୍ଯ୍ୟାଳୟରେ ଚାଲିଥିବା ଅବ୍ୟବସ୍ଥାକୁ ନେଇ ସ୍ବର ଉତ୍ତୋଳନ କରିଛି ଭଞ୍ଜସେନା । ଆଜି ସକାଳ ୭ ଘଟିକା ସମୟରୁ ରାଇରଙ୍ଗପୁର ITDA କାର୍ଯ୍ୟାଳୟ ଭଞ୍ଜସେନାର ସଦସ୍ୟମାନଙ୍କ ଦ୍ଵାରା ଘେରାଉ କରାଯାଇଛି । ଆଦିବାସୀଙ୍କ ବିକାଶ ପରିବର୍ତ୍ତେ ବିନାଶ କରୁଥିବା ଅଭିଯୋଗ କରିଛନ୍ତି । ଜିଲ୍ଲାଠାରୁ ଆରମ୍ଭ କରି ରାଜ୍ୟ ପର୍ଯ୍ୟନ୍ତ ଠିକାଦାର କାର୍ଯ୍ୟକୁ ଅଧିକ ପ୍ରାଧାନ୍ୟ ଦେବା ବିରୁଦ୍ଧରେ ରାଇରଙ୍ଗପୁର ITDA କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛି ଭଞ୍ଜସେନା ।

ସୂଚନାଯୋଗ୍ୟ ଯେ, ଆଦିବାସୀଙ୍କ ସର୍ବାଙ୍ଗୀନ ଉନ୍ନତି ନିମନ୍ତେ ସମ୍ୱନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା (ITDA) ଗଠନ କରାଯାଇଛି । ଅନୁସୂଚିତ ଜନଜାତିଙ୍କ ପାଇଁ ବିଭିନ୍ନ ପ୍ରକାରର ଯୋଜନା କରାଯାଇ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ କୋଟିକୋଟି ଟଙ୍କା ବ୍ୟୟ ମଧ୍ୟ କରାଯାଉଛି । କିନ୍ତୁ ସ୍ୱାଧୀନତାର ଦୀର୍ଘ ୭୬ ବର୍ଷ ବିତି ଯାଇଥିଲେ ମଧ୍ୟ ସମଗ୍ର ଆଦିବାସୀ ସମାଜ ବହୁ ପଛରେ ରହି ଯାଇଛି । ମୟୁରଭଞ୍ଜ ଜିଲ୍ଲାରେ ଏବେବି ପାଖାପାଖି ୭୦ ପ୍ରତିଶତରୁ ଊର୍ଦ୍ଧ୍ବ ଲୋକେ ଦାରିଦ୍ର୍ୟ ସୀମାରେଖା ତଳେ ଜୀବନ ଜୀବିକା ପାଇଁ ସଂଗ୍ରାମ କରୁଛନ୍ତି।

ଭଞ୍ଜସେନା ଜିଲ୍ଲା ସଭାପତି ବାଜୁନ ହାଁସଦା କହିଛନ୍ତି,‘‘ଆଦିବାସୀ ବହୁଳ ମୟୁରଭଞ୍ଜର ବାମନଘାଟି ଉପଖଣ୍ଡରେ ବର୍ତ୍ତମାନ ପର୍ଯ୍ୟନ୍ତ ଅନୁସୂଚିତ ଜାନଜାତି ସମ୍ପ୍ରଦାୟ ଅବହେଳିତ ଅବସ୍ଥାରେ ରହିଛନ୍ତି । ଏପରି କି ମୌଳିକ ସୁବିଧାରୁ ମଧ୍ୟ ବଞ୍ଚିତ ରହୁଛନ୍ତି । ଅନ୍ୟପକ୍ଷରେ ଅନୁସୂଚିତ ଜନଜାତିକୁ ବିକାଶର ଧାରାରେ ସାମିଲ କରିବା ଉଦ୍ଦେଶ୍ୟରେ କାର୍ଯ୍ୟ କରୁଥିବା ଆଇଟିଡିଏର ସଫଳତା କେବଳ କାଗଜପତ୍ରରେ ଦର୍ଶା ଯାଇଛି । ବାସ୍ତବ ଚିତ୍ର କିନ୍ତୁ ଓଲଟା। ନା ଚାକିରି ଅଛି ନା କୌଣସି ପ୍ରକାର ରୋଜଗାରର ପନ୍ଥା । ବିଭାଗ କେବଳ ନିର୍ମାଣ କାର୍ଯ୍ୟ ଉପରେ ଗୁରୁତ୍ୱ ଦେଇ ଗୋଟିଏ ପ୍ରକଳ୍ପକୁ ପ୍ରତିବର୍ଷ ସମ୍ପ୍ରସାରଣ ଏବଂ ନିର୍ମାଣ ଆଳରେ ଲକ୍ଷଲକ୍ଷ ଟଙ୍କା ବିଲ୍‌ ପୈଠ କରୁଥିବାର ଅଭିଯୋଗ କରିଛନ୍ତି । କେବଳ ନିର୍ମାଣ କାର୍ଯ୍ୟକୁ ଗୁରୁତ୍ୱ ଦିଆଯାଇ ଠିକାଦାରଙ୍କ ପ୍ରୀତିକୁ ସ୍ପଷ୍ଟ କରା ଯାଉଛି ।"

ଆଗାମୀ ୭ ଦିନ ମଧ୍ୟରେ ଅନାବଶ୍ୟକ କାର୍ଯ୍ୟ ଗୁଡ଼ିକରେ ରୋକ୍‌ ଲଗାଇ ଓ ଠିକାଦାରଙ୍କୁ ସୁହାଇଲା ଭଳିଆ କାର୍ଯ୍ୟ ବନ୍ଦ କରିବା ପାଇଁ ଦାବି କରିଛନ୍ତି । ଏହାସହ ଆଦିବାସୀ ବହୁଳ ବାମନଘାଟି ଉପଖଣ୍ଡ ରାଇରଙ୍ଗପୁର ଆଇଟିଡିଏ, ଆଦିବାସୀଙ୍କ ବିକାଶ ପାଇଁ ଆସୁଥିବା ସରକାରୀ ଯୋଜନା ଗୁଡ଼ିକୁ ସଠିକ ଭାବେ କାର୍ଯ୍ୟକାରୀ ନ କରାଇଲେ ଆନ୍ଦୋଳନାତ୍ମକ ପନ୍ଥା ଅବଲମ୍ବନ କରିବେ ବୋଲି ଚେତାବନୀ ଦେଇଛି ଭଞ୍ଜସେନା ।

ଇଟିଭି ଭାରତ, ମୟୂରଭଞ୍ଜ

ABOUT THE AUTHOR

...view details