ରାଇରଙ୍ଗପୁର:ଭାଲୁବସା ଗ୍ରାମପଞ୍ଚାୟତ ଅନ୍ତର୍ଗତ ସମରଦଫା ଗାଁରେ ବାସହରା ହୋଇଛନ୍ତି 2ଟି ପରିବାର । ହେଲେ ସେମାନଙ୍କୁ ଆବାସ ପାଇଁ କୌଣସି ସରକାରୀ ସହାୟତା ମିଳିନଥିବାବେଳେ କେବଳ ପଲିଥିନ ଦେଇ ପ୍ରଶାସନ ଦାୟିତ୍ବ ତୁଟାଇ ଦେଇଥିବା ଅଭିଯୋଗ ହୋଇଛି । ରାଇରଙ୍ଗପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ସମରଦଫା ଗାଁକୁ ଯିବା ପାଇଁ ମାତ୍ର 7 କିଲୋମିଟର ଦୂରତା ରହିଛି । ହେଲେ ଏହି ସମସ୍ୟା ଉପରେ ଏଯାଏଁ ପ୍ରଶାସନର ଦୃଷ୍ଟି ପଡିନି । ଗାଁରେ ଥିବା ଅଙ୍ଗନୱାଡ଼ି କେନ୍ଦ୍ର ନିକଟରେ ରହିଛି ଦିଲ୍ଲୀପ ସେଠୀ ଓ ସ୍ବର୍ଗତ ବୀରେନ୍ଦ୍ର ନାଥ ସେଠୀଙ୍କ ଘର । ୨୦୧୩ ମସିହାରେ ରୋଗାକ୍ରାନ୍ତ ହୋଇ ବୀରେନ୍ଦ୍ର ମୃତ୍ୟୁବରଣ କରିବା ପରେ ସ୍ତ୍ରୀ ମାନୁ ସେଠୀ 3 ଝିଅ ଟିନା, ସୋନାଲି, ଲକ୍ଷ୍ମୀପ୍ରିୟା ଓ ପୁଅ ଜୀତେନ୍ଦ୍ରଙ୍କୁ ନେଇ ରହୁଛନ୍ତି । ରୋଜଗାରର କୌଣସି ପନ୍ଥା ନଥିବାରୁ ବିଧବା ମାନୁ ଲୋକଙ୍କ ଘରେ କାମ କରି 3 ଝିଅଙ୍କୁ ସ୍ନାତକ ପର୍ଯ୍ୟନ୍ତ ପଢାଇ ପୁଅ ଜୀତେନ୍ଦ୍ରକୁ ଏବେ ଯୁକ୍ତ ଦୁଇରେ ପଢ଼ାଉଛନ୍ତି । ରହିବାକୁ ଉପଯୁକ୍ତ ବାସଗୃହ ନଥିବାବେଳେ ଏବେ ଲଗାଣ ବର୍ଷାରେ ଘରର କାନ୍ଥ ଭୁଶୁଡ଼ି ପଡିଛି ।
ତେବେ ସୌଭାଗ୍ୟବଶତଃ, ସମସ୍ତେ ଏକ ବଡ଼ ଦୁର୍ଘଟଣାରୁ ରକ୍ଷା ପାଇଯାଇଥିଲେ ମଧ୍ୟ ଏବେ ମୁଣ୍ଡ ଗୁଞ୍ଜିବାକୁ ଛାତ ନାହିଁ । ସେମାନେ ରାତି ସାରା ଘର ବାହାରେ ଆଶ୍ରୟ ନେଇଥିବାବେଳେ ସକାଳୁ ସେମାନଙ୍କୁ ନିକଟସ୍ଥ ଅଙ୍ଗନୱାଡ଼ି କେନ୍ଦ୍ରରେ ରହିବା ପାଇଁ ପରାମର୍ଶ ଦିଆଯାଇଥିଲା । ଏହାସହ ଆରଆଇ ଆସି ଏକ ପଲିଥିନ ପ୍ରଦାନ କରିଥିଲେ । ତେବେ ଦୁର୍ଦ୍ଦିନରେ ଦିନ କାଟୁଥିବା ଅସହାୟ ମାନୁ ଏବଂ ଦିଲ୍ଲୀପ ସରକାରୀ ଯୋଜନାରୁ ବଞ୍ଚିତ ରହିଛନ୍ତି । ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଓ ବିଜୁ ପକ୍କାଘର ଏମାନଙ୍କ ପାଇଁ ସାତସପନ ପାଲଟିଛି । ରାଇରଙ୍ଗପୁର ଉପଜିଲ୍ଲାପାଳଙ୍କ ପାଖରେ ମଧ୍ୟ ଏନେଇ କୌଣସି ଖବର ନଥିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।
ଅତି ଦୁର୍ଦ୍ଦିନରେ ଦିନ କାଟୁଥିବା ରାଇରଙ୍ଗପୁର ବ୍ଲକ ସମରଦଫା ଗାଁର ଏହି 2ଜଣ ଯୋଗ୍ୟ ହିତାଧିକାରୀଙ୍କ ଘର ଉପରେ କାହାରି ବି ନଜର ପଡ଼ି ପାରୁନାହିଁ । ସପ୍ତାହେରୁ ଊର୍ଦ୍ଧ୍ଵ ସମୟ ହେବ ଅସହାୟ ବିଧବା ମାନୁଙ୍କ ଘର ଭାଙ୍ଗି ଯାଇଥିବାବେଳେ କେତେବେଳେ ସେ ଅଙ୍ଗନବାଡ଼ି କେନ୍ଦ୍ର ତ କେତେବେଳେ ନିଜ ଭଙ୍ଗା ଘରେ ରହୁଛନ୍ତି । ବାହାରୁ ଅଙ୍ଗନବାଡ଼ି କେନ୍ଦ୍ରଟି ଭଲ ଦେଖାଯାଉଥିଲେ ମଧ୍ୟ ଭିତରୁ ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି । ଏହାସହ ବର୍ତ୍ତମାନ ଚାରିଆଡ ଜଳମୟ ଥିବାରୁ ସରୀସୃପର ଭୟ ମଧ୍ୟ ରହୁଛି ।