ବାରିପଦା: ଗଡଜାତ ଅମଳରୁ ଲୁହାପଥର ରପ୍ତାନୀ ପାଇଁ ନିଜର ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିଛି ମୟୂରଭଞ୍ଜ । ଏଠାରୁ ଲୁହାପଥର ନେଇ କମ୍ପାନୀମାନେ ବାହାର ରାଜ୍ୟରେ କଳକାରଖାନା ଖୋଲି ହଜାର ହଜାର କୋଟି ଟଙ୍କା କମାଉଛନ୍ତି କିନ୍ତୁ ଜିଲ୍ଲାର ବେକାର ଯୁବକଯୁବତୀମାନେ କାମ ଧନ୍ଦା ନପାଇ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଉଛନ୍ତି ।
ଏହା କାରଣରୁ ‘ବେକାରୀ ମୁକ୍ତ ମୟୂରଭଞ୍ଜ’ ଏକ କ୍ୟାମ୍ପେନ କରି ଜିଲ୍ଲାରେ ବ୍ୟାପକ ନିଯୁକ୍ତି ସୃଷ୍ଟି କରିବା ପାଇଁ ଦାବି କରିଛି । କଳକାରଖାନା ପ୍ରତିଷ୍ଠା, ପର୍ଯ୍ୟଟନ ଶିଳ୍ପ, ସବାଇ ଓ ବାଉଁଶ ଶିଳ୍ପ ଆଦିର ବିକାଶ ଦିଗରେ ରୋଜଗାର ଯୋଗାଇ ଦେବାକୁ ଦାବି କରାଯାଇଛି । ବେକାରୀ ମୁକ୍ତ ମୟୂରଭଞ୍ଜ ସଂଗଠନ ପକ୍ଷରୁ ଜିଲ୍ଲାପାଳଙ୍କ ମାଧ୍ୟମରେ ଏ ବାବଦରେ ଏକ ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରାଯାଇଛି ।