ରାଇରଙ୍ଗପୁର:ମୟୂରଭଞ୍ଜ ବିଶୋଇ ବ୍ଲକରେ ଆଦିମ ଜନଜାତି ସାନ୍ତାଳୀ ସଂପ୍ରଦାୟ ପ୍ରତ୍ୟେକ ବର୍ଷ ପରି ଏଥର ପାଳନ କରିଛନ୍ତି “ଦିଶମ ବାହା ପର୍ବ”। କୋରୋନା ସଙ୍କଟ ମଧ୍ୟରେ ସମସ୍ତ କଟକଣା ସହ ଏହାକୁ ପାଳନ କରାଯାଇଛି । ଏହି ଅବସରରେ ରାଜ୍ୟର କୋଣ ଅନୁକୋଣରୁ ଆଦିବାସୀ ସଂପ୍ରଦାୟର ଶ୍ରଦ୍ଧାଳୁ ଜାହିରା (ଧର୍ମ ପୀଠ) ଠାରେ ଠାକୁର ଦର୍ଶନ କରି ଆର୍ଶୀବାଦ ନେଇଛନ୍ତି । ତେବେ ଏହି ଦିଶମ ବାହା ପର୍ବ ପାଳନ ଏବଂ ଏହି ପର୍ବ ବିଶେଷତ୍ଵ କଣ , ଚାଲନ୍ତୁ ଜାଣିବା ..
ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ ଜିଲ୍ଲାରେ ପାଳନ ହୁଏ ବାର ମାସରେ ତେର ପର୍ବ। ସେଥିମଧ୍ୟରୁ ସାନ୍ତାଳୀ ସଂପ୍ରଦାୟ ର ଦିଶମ ବାହା ପର୍ବ ଅନ୍ୟତମ। ସାନ୍ତାଳ ସମ୍ପ୍ରଦାୟର ଆସ୍ଥା ଓ ବିଶ୍ବାସ ର ପର୍ବ ମଧ୍ୟରୁ ଅନନ୍ୟ ଦିଶମ ବାହା ପର୍ବ। ସାନ୍ତାଳୀ ଭାଷା ରେ “ଦିଶମ ବାହା ପର୍ବ” ର ଅର୍ଥ ହେଉଛି ଅଞ୍ଚଳର ଫୁଲ ବାଙ୍ଗୁଣି ଉତ୍ସବ ବା ଅଞ୍ଚଳର ଫୁଲ ପୁଜା ।
ଜିଲ୍ଲାର ବିଶୋଇ ଠାରେ ଏହି ପର୍ବ ପାଳିତ ହୋଇଛି। ପ୍ରକୃତି ପୂଜକ ସାନ୍ତାଳୀ ସଂପ୍ରଦାୟ ର ଲୋକେ ଫଗୁଣ ମାସର ପୂର୍ଣ୍ଣିମୀ ଦିନ ଏହି ପର୍ବକୁ ପାଳନ କରିଥାନ୍ତି। ବାହା ପର୍ବ ବା ଫୁଲ ପୁଜା ହେଉଛି ସାନ୍ତାଳୀ ସମ୍ପ୍ରଦାୟର ଏକ ବଡ଼ ପର୍ବ। ଫଗୁଣ ମାସରେ ଫଳୁଥିବା ନୂଆ ଫଳ, ଫୁଲ ଓ ପତ୍ର କୁ ଗାଁ ଜାହିରା ( ଧର୍ମ ପୀଠ) ରେ ପୂଜା କରାଯାଏ। ସାନ୍ତାଳୀ ପୂଜାରୀ ଗ୍ରାମର ଜାହିରା ରେ ଠାକୁରଙ୍କୁ ସନ୍ତୁଷ୍ଟ କରିବା ପାଇଁ ସାନ୍ତାଳୀ ପାରମ୍ପରିକ ରୀତିନୀତି ଅନୁଯାୟୀ କଁଅଳ ଶାଳ ଫୁଲକୁ ପୂଜା କରିଥାନ୍ତି। ପୂଜା ପରେ ଶ୍ରଦ୍ଧାଳୁମାନେ ପୂଜାରୀଙ୍କ ଠାରୁ ସେହି ଫୁଲକୁ ଠାକୁରଙ୍କ ଆର୍ଶୀବାଦ ସ୍ବରୂପ ଗ୍ରହଣ କରିଥାନ୍ତି। ମହିଳା ଶ୍ରଦ୍ଧାଳୁମାନେ ପୂଜା ହୋଇଥିବା ଶାଳ ଫୁଲକୁ ମଥାରେ ଖୋଶି ଧାର୍ମିକ ବିଧି ପାଳନ କରୁଥିବା ବେଳେ ପୁରୁଷ ଶ୍ରଦ୍ଧାଳୁମାନେ ମଧ୍ୟ କାନରେ ଲଗାଇଥାନ୍ତି। ପୂଜା ପରେ ଶ୍ରଦ୍ଧାଳୁମାନେ ଏକତ୍ରିତ ବସି ଭୋଗ ଖାଇବାର ଆନନ୍ଦ ଉଠାଇଥାନ୍ତି ।
ଜାହିରା ରେ ପୂଜା କର୍ମ ସମ୍ପନ୍ନ କରି ଅଞ୍ଚଳର ସମସ୍ତ ଶ୍ରଦ୍ଧାଳୁ ଏକତ୍ରିତ ହୋଇ ମାଦଳର ତାଳେ ତାଳେ ପାରମ୍ପରିକ ନୃତ୍ୟ ଗୀତ ରେ ଝୁମି ଉଠି ପର୍ବକୁ ଆନନ୍ଦ ଉଲ୍ଲାସର ସହିତ ପାଳନ କରିଥାନ୍ତି। ଜାହିରା ପୀଠରେ ନାଚଗୀତ କରିବା ପରେ ବିଭିନ୍ନ ଛକରେ ପୂଜାରୀଙ୍କ ଗୋଡ଼ ଧୋଇ ସ୍ବାଗତ ଓ ଆର୍ଶିବାଦ ଭିକ୍ଷା କରିଥାନ୍ତି ।