ବାରିପଦା: ଦ୍ଵିତୀୟ ଶ୍ରୀକ୍ଷେତ୍ର ବାରିପଦାର ଶ୍ରୀ ଶ୍ରୀ ହରିବଳଦେବ ଜୀଉ ବିଜେ ମହାପ୍ରଭୁଙ୍କ ବଡ଼ଦାଣ୍ଡରେ ଅଶୋକାଷ୍ଟମୀ ଉପଲକ୍ଷେ ଅଶୋକାଝରି ରଥଯାତ୍ରା ଅନୁଷ୍ଠିତ ହୋଇଯାଇଛି । ୨୦୨୦ ରୁ କରୋନା କଟକଣା କାରଣରୁ ଏଠାରେ ପବିତ୍ର ଶ୍ରୀଗୁଣ୍ଡିଚା ଯାତ୍ରା ବନ୍ଦ ଥିବାରୁ ବଡ଼ଦାଣ୍ଡ ନୀରବ ପଡ଼ି ଥିବାବେଳେ ଚଳିତ ବର୍ଷ କୋରୋନା କଟକଣା ଭିତରେ କେବଳ ମୟୂରଭଞ୍ଜ ଗଡ଼ଜାତ ରାଜ୍ୟରେ ମହାରାଜୀମାନଙ୍କ ଶାସନ ସମୟରୁ ପାଳିତ ହୋଇ ଆସୁଥିବା ଅଶୋକଝରି ରଥଯାତ୍ରା ଅନୁଷ୍ଠିତ ହୋଇଥିଲା ।
ଦ୍ୱିତୀୟ ଶ୍ରୀକ୍ଷେତ୍ରରେ ଅଶୋକାଝରି ରଥଯାତ୍ରା - ରୁକୁଣା ରଥଯାତ୍ରା ମୟୂରଭଞ୍ଜ
ଦ୍ଵିତୀୟ ଶ୍ରୀକ୍ଷେତ୍ର ବାରିପଦାର ଶ୍ରୀ ଶ୍ରୀ ହରିବଳଦେବ ଜୀଉ ବିଜେ ମହାପ୍ରଭୁଙ୍କ ବଡ଼ଦାଣ୍ଡରେ ଅଶୋକାଷ୍ଟମୀ ଉପଲକ୍ଷେ ଅଶୋକାଝରି ରଥଯାତ୍ରା ଆଜି ଅନୁଷ୍ଠିତ ହୋଇଛି । ଅଧିକ ପଢନ୍ତୁ
ତେବେ ଏଥର କଟକଣା ନଥିବାରୁ ପୂର୍ବଭଳି ଆଡ଼ମ୍ବର ମଧ୍ୟରେ ପାଳିତ ହୋଇଛି ଏହି ରଥଯାତ୍ରା । ପରମ୍ପରା ଅନୁଯାୟୀ ଏହି ରଥକୁ କେବଳ ବାଳକ ବାଳିକାମାନେ ମିଳିମିଶି ଟାଣିଥାନ୍ତି । ଅଶୋକାଷ୍ଟମୀ ତିଥି ଅପରାହ୍ନରେ ସ୍ଥାନୀୟ ଶ୍ରୀଶ୍ରୀ ହରିବଳଦେବ ଜୀଉ ବିଜେ ବାରିପଦାଙ୍କ ମନ୍ଦିରରୁ ମହାପ୍ରଭୁ ଶ୍ରୀରାମ, ଅନୁଜ ଲକ୍ଷ୍ମଣ ଓ ଦେବୀ ସୀତା ଚୈତ୍ର ଶୁକ୍ଳପକ୍ଷ ରଥାରୂଢ଼ ହୋଇ ଅଶୋକବନକୁ ପରମ୍ପରା ବା ବିଧି ଅନୁଯାୟୀ ଯାତ୍ରା କରିଛନ୍ତି । ବାରିପଦା ଜଗନ୍ନାଥ ମନ୍ଦିରର ରୀତିନୀତି ଓ ପ୍ରଚଳିତ ପରମ୍ପରା ଅନୁସାରେ ମହାପ୍ରଭୁମାନଙ୍କ ନିକଟରେ ପହଡ଼, ପଣା କାର୍ଯ୍ୟ ସମାପନ ହେବାପରେ ପରିଛା ମହାପ୍ରଭୁଙ୍କ ନିକଟରୁ ଆଜ୍ଞାମାଳ ପାଇବା ପରେ ମନ୍ଦିରର ତିନି ପୂଜାପଣ୍ଡା ପହଣ୍ଡିରେ ମହାପ୍ରଭୁ ଶ୍ରୀରାମ, ଲକ୍ଷ୍ମଣ ଓ ମାତା ସୀତାଦେବୀଙ୍କୁ ମନ୍ଦିରର ବେଢ଼ା ପହଣ୍ଡିରେ ଠାକୁରମାନଙ୍କୁ ତିନିଥର ପରିକ୍ରମା କରାଇବା ପରେ ସିଂହଦ୍ବାର ନିକଟରେ ଅପେକ୍ଷା କରିଥିବା ଅଶୋକାଝରି ରଥରେ ରଥାରୂଢ଼ ହୋଇଥିଲେ ।
ଏହାପରେ ସୁସଜ୍ଜିତ ରଥକୁ ପ୍ରଶାସନିକ ଅଧିକାରୀ ଓ କର୍ମଚାରୀମାନଙ୍କ ଉପସ୍ଥିତି ଏବଂ ମନ୍ଦିରର ସେବାୟତମାନେ ଶଙ୍ଖ ଘଣ୍ଟ-ଘଣ୍ଟା-ମୃଦଙ୍ଗ ସହିତ ହରିବୋଲ ସଂକୀର୍ତ୍ତନ ଓ ହୁଳହୁଳିରେ ବଡ଼ ଜଗନ୍ନାଥ ମନ୍ଦିରରୁ ବଡ଼ଦାଣ୍ଡରେ ଥିବା ଶ୍ରୀରାଧାମୋହନ ମନ୍ଦିର ମାଉସୀ ମା' ମନ୍ଦିର ନିକଟକୁ ବାଳକ ବାଳିକା ମାନେ ଟାଣି ଆଣିଥିଲେ । ସେଠାରେ ସମସ୍ତ ସେବାୟତ ମାନେ ମୟୂରଭଞ୍ଜ ରାଜା ରାଜୁଡା ଅମଳର ପରମ୍ପରା ଅନୁଯାୟୀ ଅଶୋକ ଫୁଲର କଢ଼ି ସଂଗ୍ରହ କରି ରଥ ନିକଟକୁ ଆଣିବା ପରେ ରଥରେ ବିଧିବିଧାନ ଅନୁସାରେ ପୂଜାର୍ଚ୍ଚନାରେ ଅଶୋକ କଢ଼ି ଲାଗି ହୋଇଥିଲା । ଏହାପରେ ଉକ୍ତ ଅଶୋକ କଢ଼ିକୁ ପ୍ରସାଦ ରୂପେ ବଣ୍ଟନ କରାଯାଇଥିଲା । ପ୍ରକାଶ ଥାଉକି ଏହି ଅଶୋକାଷ୍ଟମୀ ତିଥିରେ ଅଶୋକ ଗଛର ଫୁଲକୁ ସେବନ କଲେ ସମସ୍ତ ପ୍ରକାରର ଦୁଃଖ ଦୂର ହେବା ସାଙ୍ଗକୁ ଶରୀର ସମସ୍ତ ରୋଗ ବୈରାଗ୍ୟରୁ ମୁକ୍ତି ମିଳିଥାଏ ବୋଲି ବିଶ୍ବାସ ରହିଆସିଛି ।
ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ