ରାଇରଙ୍ଗପୁର: ଶିମିଳିପାଳ ଅଭୟାରଣ୍ୟରେ ପୁଣି ଏକ ଦନ୍ତା ହାତୀର ମୃତ୍ୟ ଘଟିଛି । ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ରେଞ୍ଜ ଅନ୍ତର୍ଗତ ଶାରୀଶୁଆ ସେକ୍ସନ ରାଇପାଳ ବିଟ୍ ନିକଟ ପଦ୍ମପୋଖରୀ ଅଞ୍ଚଳରେ ଥିବା ଜଙ୍ଗଲରୁ ଦନ୍ତା ହାତୀର ମୃତ ଦେହ ଠାବ କରିଛି ବନବିଭାଗ । ମୃତ ହାତୀର ବୟସ ୧୦ରୁ ୧୫ବର୍ଷ ହୋଇଥିବା ଜଣାପଡ଼ିଛି । ହାତୀ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବାବେଳେ ମିଳିତ ଟାସ୍କ ଫୋର୍ସଙ୍କ ଉପସ୍ଥିତିରେ ଗୁରୁବାର ଦିନ ମୃତହାତୀକୁ ବ୍ୟବଚ୍ଛେଦ କରିବା ପରେ ମୃତ୍ୟୁର କାରଣ ଜଣାପଡିବ ବୋଲି ବାରିପଦା ବନଖଣ୍ଡ ଅଧିକାରୀ ସନ୍ତୋଷ ଯୋଶୀ ପ୍ରକାଶ କରିଛନ୍ତି ।
ସୂଚନା ଅନୁଯାୟୀ, ଶିମିଳିପାଳ ଅଭୟାରଣ୍ୟର ପଦ୍ମପୋଖରୀ ଗ୍ରାମ ନିକଟରେ ବନବିଭାଗ କର୍ମଚାରୀଙ୍କ ପାଟ୍ରୋଲିଂ ଜାରି ରହିଥିବା ବେଳେ ଏକ ଦନ୍ତା ହାତୀର ମୃତଦେହ ଉଦ୍ଧାର ହୋଇଛି । ଖବରପାଇ ବନଖଣ୍ଡ ଅଧିକାରୀ ସନ୍ତୋଷ ଯୋଶୀ, ଏସିଏଫ, କପ୍ତିପଦା ରେଞ୍ଜର, କପ୍ତିପଦାର ପ୍ରାଣୀ ଚିକିତ୍ସକ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି । ମୃତ ହାତୀର ଦାନ୍ତ ଦୁଇଟି ରହିଥିବା ବେଳେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । ଏଥିପରେ ବନ ବିଭାଗ ପକ୍ଷରୁ ଯାଞ୍ଚ କରିବା ପାଇଁ ଏକ ଜଏଣ୍ଟ ଟାସ୍କଫୋର୍ସ ଗଠନ କରା ଯାଇଛି । ଏହି ଜଏଣ୍ଟ ଟାସ୍କଫୋର୍ସ ଉପସ୍ଥିତିରେ ମୃତଦେହ ବ୍ୟବଚ୍ଛେଦ ହେବ ବୋଲି ବନବିଭାଗ ପକ୍ଷରୁ ସୂଚନା ମିଳିଛି ।